ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପରିବେଶର ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ୍) ପକ୍ଷରୁ ମଙ୍ଗଳବାର କାଉଡୋଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟ ଶଙ୍କର ପାଠୀ ଉପସ୍ଥିତ ରହି ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସଂଘର ସମ୍ପାଦକ ସାମ୍ବାଦିକ ଜଗଦୀଶ ନାଏକ, ଉପ-ସଭାପତି ହିରଣ୍ୟ ବେହେରା, ସାଂଗଠନିକ ସମ୍ପାଦକ ପରେଶ ପଟ୍ଟନାୟକ, ସାମ୍ବାଦିକ ତୁଲାରାମ ବେହେରା ଓ ଗଜିନ୍ଦ୍ର ନାଗ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ। କେବଳ ବୃକ୍ଷରୋପଣ ନୁହେଁ, ବରଂ ରୋପଣ କରାଯାଇଥିବା ଗଛଗୁଡ଼ିକର ପରବର୍ତ୍ତୀ ସୁରକ୍ଷା, ନିୟମିତ ଜଳସେଚନ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଉପରେ ସମସ୍ତ ସଦସ୍ୟ ଆଲୋକପାତ କରିବା ସହ ସଂକଳ୍ପବଦ୍ଧ ହୋଇଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସଂଘର ସଭାପତି ମତପ୍ରକାଶ କରିଥିଲେ। ଏଥିସହିତ ଏହି ଶିକ୍ଷାନୁଷ୍ଠାନରୁ ସବୁଜିମାର ଅଭିଯାନ ଆରମ୍ଭ କରାଯାଇଛି, ଆଗାମୀ ଦିନରେ ସଂଘ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯିବା ନେଇ ସୂଚନା ଦିଆଯାଇଛି।





