ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଲେଖକର ଲେଖାରେ ପାଠକ ନିଜକୁ ଖୋଜି ପାଇବା ହେଉଛି ଭଲ ଲେଖାର ଆଉ ଏକ ଆଲୋକିତ ବୈଶିଷ୍ଟ୍ୟ ଏବଂ ଏହାର ବିସ୍ତାରିତ ଦିଗଟି ହେଉଛି ସେଇ ଲେଖାର ବିଭବ। ଏ ଧରଣର ଲେଖା ଲେଖକର ପ୍ରତିବିମ୍ବିତ ବ୍ୟକ୍ତିତ୍ଵର ଆଉ ଗୋଟିଏ ଦିଗକୁ ଉନ୍ମୋଚନ କରିଥାଏ ବୋଲି ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଉପନ୍ୟାସ ‘ଖୋଳପା’କୁ ଉନ୍ମୋଚନ କରି ଅତିଥିମାନେ ମତବ୍ୟକ୍ତ କରିଥିଲେ। ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ଶ୍ରୀକକ୍ଷରେ ସମ୍ପ୍ରତି ଗଙ୍ଗାଧର ବିଶ୍ୱାଳଙ୍କ ଉପନ୍ୟାସ ‘ଖୋଳପା’ ଉନ୍ମୋଚନ ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ଉପନ୍ୟାସକୁ ଉନ୍ମୋଚନ କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ, ଉପନ୍ୟାସର କଳେବର ବା ପୃଷ୍ଠା ସଂଖ୍ୟା ଅପେକ୍ଷା ଏହାର ଅନ୍ତଃସ୍ଵର ଗୁରୁତ୍ୱପୂର୍ଣ୍ଣ । ଉପନ୍ୟାସ ‘ଖୋଳପା’ ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିବା ସହ ପ୍ରତିଟି ଅନାବରଣ ପରେ ପ୍ରକୃତ ସ୍ଵରୂପ ଉନ୍ମୋଚିତ ହୋଇଥାଏ ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ନିବାରଣ ଜେନା ଯୋଗଦେଇ ଔପନ୍ୟାସିକ ଶ୍ରୀ ବିଶ୍ଵାଳଙ୍କ ସାହିତ୍ୟ ସାଧନା ଓ କଥାକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ ଔପନ୍ୟାସିକ ଶ୍ରୀ ବିଶ୍ଵାଳ ନିଜ ଲେଖକୀୟ ଉପଲବ୍ଧି ବିଷୟକ ସ୍ମୃତି ଚାରଣ କରିଥିବା ବେଳେ କବି ତଥା ଆଇନଜୀବୀ ଉତ୍ପଳ ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। କବି ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉନ୍ମୋଚନ ଉତ୍ସବରେ କବି ଶ୍ରୀଦେବ, ଗାଳ୍ପିକ ଅଞ୍ଜନ ଚାନ୍ଦ, ସଂଜୟ ପଣ୍ଡା, ଦେବଯାନୀ ଦାସ, ସ୍ମୃତି ଦାସ, ଶୁଭେନ୍ଦୁ ଦାସ, ଅଧ୍ୟାପକ ସୁନୀଲ ନାୟକ, କବି ଜ୍ୟୋତ୍ସ୍ନା ବିଶ୍ଵାଳ, ଗୀତିକା ଜ୍ୟୋତିପର୍ଣ୍ଣା ବିଶ୍ଵାଳ, ପ୍ରେୟସୀ ମହାପାତ୍ର, ବିପ୍ଳବ ଦାସ ମହାପାତ୍ର, ‘ପ୍ରମେୟ’ର ସାମ୍ବାଦିକ ଆଲୋକ ବାରିକ, ମନୋଜ ବିଶ୍ଵାଳ, ପାଠିକା ପ୍ରୀତିକ୍ରିଷ୍ଣା ଦାସ ଉପସ୍ଥିତ ରହି ନିଜ ନିଜ ଉପନ୍ୟାସ ବିଷୟରେ ସୁଚିନ୍ତିତ ମନ୍ତବ୍ୟ ରଖିଥିଲେ।





