ରଥଯାତ୍ରା ଅବସରରେ ଗାହାଣୀ ‘ପାତାଳି ଶ୍ରୀକ୍ଷେତ୍ର’ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ସୋନପୁର: ଜଗତର ନାଥ ଜଗନ୍ନାଥ ଜାତି-ଧର୍ମ-ବର୍ଣ୍ଣର ଊର୍ଦ୍ଧ୍ବରେ।ସେ ଓଡ଼ିଆମାନଙ୍କ ହୃଦୟର ସ୍ପନ୍ଦନ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଠାକୁର ଶ୍ରୀଜଗନ୍ନାଥ। ଭକ୍ତକୁ ଦର୍ଶନ ଦେବା ପାଇଁ ଭଗବାନ ଜନ୍ମବେଦୀକୁ ଯାତ୍ରା ନାଁରେ ବଡଦାଣ୍ଡକୁ ଓହ୍ଲାଇ ଆସନ୍ତି। ପ୍ରଭୁଙ୍କ ଅନନ୍ତ ମହିମା ଦେଖି ବିଧର୍ମୀମାନେ ବାରମ୍ବାର ଶ୍ରୀମନ୍ଦିର ଆକ୍ରମଣ କରିଛନ୍ତି। ସେବକମାନେ ନିଜ ଆରାଧ୍ୟ ପ୍ରଭୁଙ୍କୁ ଅନେକଥର ମନ୍ଦିରରୁ ସ୍ଥାନାନ୍ତର କରିଛନ୍ତି। ଏମିତି ବି ଠାକୁରଙ୍କୁ ପାତାଳି ହେବାକୁ ପଡିଛି।ସୋନପୁରର ଗୋପାଳିଠାରେ ୧୪୪ବର୍ଷ ପାତାଳି ହେବା ଏକ ଅନନ୍ୟ ଓ ରହସ୍ୟମୟ ଲୀଳା। କେବେ, କାହିଁକି, କେମିତି ଓ କେତେଥର କାଳିଆ ସାଆନ୍ତଙ୍କ ସ୍ଥାନାନ୍ତର ଓ ପାତାଳି ହୋଇଛି ତାହାର ଏକ ତଥ୍ୟ ଭିତ୍ତିକ ଗାହାଣୀ ‘ପାତାଳି ଶ୍ରୀକ୍ଷେତ୍ର’ ଏସଏସ ମ୍ୟୁଜିକ, କଟକ ତରଫରୁ ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରା ଅବସରରେ ଲୋକାର୍ପିତ ହୋଇଯାଇଛି। ଅଧ ଘଣ୍ଟାର ଏଇ ଜଗନ୍ନାଥାମୃତ ଗାହାଣୀ ପାଇଁ କଣ୍ଠଦାନ କରିଛନ୍ତି ସୁପ୍ରସିଦ୍ଧ ଗାୟକ ଶ୍ରୀଚରଣ ମହାନ୍ତି ଓ ଯୁବଶିଳ୍ପୀ ପିଙ୍କି ସାହୁ। କୁଳଦୀପ ସାହୁ ପ୍ରଯୋଜନା କରିଥିବାବେଳେ ପ୍ରମୋଦ ନନ୍ଦ ସଂଗୀତ ପରିଚାଳନା କରିଛନ୍ତି।ବିରଞ୍ଚି ନାରାୟଣ ମୁଣ୍ଡ ତଥ୍ୟ ସଂଗ୍ରହ ସହ ଗୀତ ରଚନା ଏବଂ ଏସଏସ ମ୍ୟୁଜିକର ପରିଚାଳକ ତଥା ଯୁବ ପ୍ରତିଭା ସୌମ୍ୟ ରଞ୍ଜନ ସାହୁ ସମ୍ପାଦନା ଓ ରେକର୍ଡିଂ କରିଛନ୍ତି। ପ୍ରକାଶ ଥାଉକି, ପ୍ରଯୋଜକ,ଗୀତିକାର ଓ ପରିଚାଳକ ପୂର୍ବରୁ ୟୁ ଟ୍ୟୁବରେ ବହୁ ଚର୍ଚ୍ଚିତ ମା ମାଣିକେଶ୍ବରୀ ଗାହାଣୀ ଓ ମା ଲଙ୍କେଶ୍ୱରୀ ଗାହାଣୀର ସଫଳ ପ୍ରସ୍ତୁତ କରିସାରିଛନ୍ତି। ‘ପାତାଳି ଶ୍ରୀକ୍ଷେତ୍ର’ମଧ୍ୟ ଲୋକପ୍ରିୟ ହେବ ବୋଲି ବିଭିନ୍ନ ଅଂଚଳରୁ ଲେଖକ, କଳାକାର ଓ ଗାହାଣୀପ୍ରେମୀ ସମସ୍ତକଳାକାରଙ୍କୁ ଶୁଭେଚ୍ଛା ଜଣାଇଥିବା ଜଣାଯାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.