ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ଗୁଣାତ୍ମକ କରିବା ପାଇଁ ପ୍ରୟାସ ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ବ୍ଲକର ବିଭିନ୍ନ ବିଦ୍ୟାଳୟର ହଠାତ୍ ପରିଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ମେହେର ଶନିବାର ସକାଳୁ ଲାଞ୍ଜିଗଡ଼ ବ୍ଲକ ସ୍ଥିତ ହତୀମୁଣ୍ଡା, କାର୍କଟା, କିଡିଙ୍ଗ ଓ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ଗସ୍ତ କରି ଶ୍ରେଣୀଗୃହରେ ବସି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଠପଢ଼ା ଶୈଳୀର ପ୍ରତ୍ୟକ୍ଷ ମୂଲ୍ୟାଙ୍କନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ପାଠପଢ଼ା ଓ ସମସ୍ୟା ବିଷୟରେ ପଚାରିଥିଲେ। ସରକାରଙ୍କ ଯୋଜନା ଅନୁଯାୟୀ ପରସା ଯାଉଥିବା ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ପରିମାଣ ଏବଂ ରୋଷେଇ ଘର ସ୍ୱଚ୍ଛତାର ବିଧିବଦ୍ଧ ତଦନ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷକଙ୍କ ଉପସ୍ଥାନ, ପାଠାଗାର, ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପାଠପଢ଼ାକୁ ଅଧିକ ସରସ, ସୁନ୍ଦର ଏବଂ ଶିଶୁ ଅନୁକୂଳ କରିବା ସହିତ ପିଲାମାନଙ୍କୁ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ମେହେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଇଛି। ତାଙ୍କର ନିୟମିତ ବିଦ୍ୟାଳୟ ପରିଦର୍ଶନ ଏବଂ କଡ଼ା ତଦାରକୀ ଯୋଗୁଁ ଶିକ୍ଷକ ଓ କର୍ମଚାରୀମାନଙ୍କ ମଧ୍ୟରେ ସମୟାନୁବର୍ତ୍ତିତା ଏବଂ ଦାୟିତ୍ୱବୋଧ ବୃଦ୍ଧି ପାଇଛି। ଶିକ୍ଷା ଅଧିକାରୀଙ୍କ ଏଭଳି ସକ୍ରିୟ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ବହୁତ ପ୍ରଶଂସା କରୁଛନ୍ତି।





