ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର କମ୍ପ୍ୟୁଟର ସାଇନ୍ସ ଏବଂ ଆପ୍ଲିକେସନ୍ସ ବିଭାଗ ପକ୍ଷରୁ “କ୍ଲାଉଡ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂର ଆଧୁନିକ ଦିଗନ୍ତ” ଶୀର୍ଷକ ଏକ ଏକ୍ସଟ୍ରାମ୍ୟୁରାଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଷ୍ଟ୍ରେଲିଆ ସ୍ଥିତ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ପ୍ରଫେସର ରାଜକୁମାର ବୁୟା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏଆଇ, ବିଗ୍ ଡାଟା ଓ IoT କ୍ଷେତ୍ରରେ ଏହି ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ।
ବିଭାଗୀୟ ମୁଖ୍ୟ ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରି ସୂଚନା ଦେଇଥିଲେ ଯେ, ୧୯୭୦ ମସିହାରେ ୟୁଜିସି ଦ୍ୱାରା ପ୍ରଦତ୍ତ ପୂର୍ବ ଭାରତର ପ୍ରଥମ ସେଣ୍ଟ୍ରାଲ୍ କମ୍ପ୍ୟୁଟର (IBM-1130) ଏହି ବିଭାଗରେ ସ୍ଥାପିତ ହେବାର ଗୌରବ ମିଳିଥିଲା। ବର୍ତ୍ତମାନ ଏହି ବିଭାଗ HPC ଲାବୋରେଟୋରୀ, କମ୍ପ୍ୟୁଟେସନାଲ୍ ବାୟୋଇନଫର୍ମାଟିକ୍ସ ପ୍ଲାଟଫର୍ମ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ମାଧ୍ୟମରେ ଆନ୍ତଃ-ବିଭାଗୀୟ ଗବେଷଣା କ୍ଷେତ୍ରରେ ଅଗ୍ରଗତି କରୁଛି।

ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ନିଜ ଅଭିଭାଷଣରେ ସ୍ୱାସ୍ଥ୍ୟସେବାର ବିଭିନ୍ନ ସମସ୍ୟାର ସମାଧାନ ଓ ସାମାଜିକ କଲ୍ୟାଣ ପାଇଁ କ୍ଲାଉଡ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଡକ୍ଟର ନିବେଦିତା ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ସ୍ୱତନ୍ତ୍ର ଅଧିବେଶନରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ ପ୍ରାୟ ୮୫ ଜଣ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ମୁଖ୍ୟ ବକ୍ତାଙ୍କ ସହ ଆଲୋଚନା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମିଳିତ ଗବେଷଣା ଓ କ୍ଲାଉଡ୍ କମ୍ପ୍ୟୁଟିଂର ବିକାଶ ଉପରେ ଗୁରୁତ୍ୱାରୋପ କରି ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ‘କ୍ଲାଉଡ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଲାବୋରେଟୋରୀ’ ପ୍ରତିଷ୍ଠା କରାଯିବା ନେଇ ଆଲୋଚନା ହୋଇଛି ବୋଲି ସୂଚନା ଦେଇଥିଲେ।





