ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ବିଶ୍ୱ ଜନସଂଖ୍ୟା ଦିବସ

ପରିବେଶ ସୁରକ୍ଷା, ମାନବୀୟ ମୂଲ୍ୟବୋଧ ଏବଂ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଲେ ଅତିଥି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାର୍କ ଆଉଟରିଚ୍ ବିଲ୍ଡିଂ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ପପୁଲେସନ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ‘ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗଦେଇ କହିଥିଲେ ଯେ, “ବିଗତ ଦଶନ୍ଧିଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ଏବଂ ଉପଭୋଗ ପ୍ରବୃତ୍ତି ଯେଭଳି ଭାବେ ବଢ଼ିଛି, ତାହା ପୃଥିବୀର ପରିସଂସ୍ଥା ଏବଂ ପ୍ରାକୃତିକ ସମ୍ପଦ ଉପରେ ପ୍ରଚଣ୍ଡ ଚାପ ସୃଷ୍ଟି କରିଛି।” ବିଶ୍ୱ ଜନସଂଖ୍ୟା ଦିବସ ୨୦୨୬ର ଆଭିମୁଖ୍ୟ ଉପରେ ଆଲୋଚନା କରି ସେ ଯୁବପିଢ଼ିଙ୍କୁ ଧରିତ୍ରୀର ସୁରକ୍ଷା ତଥା ଏକ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନିଜର ଦାୟିତ୍ୱ ଉପଲବ୍ଧି କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ଶିକ୍ଷା ଓ ଜନସଂପର୍କ ମାଧ୍ୟମରେ ମାନବଜାତିର କଲ୍ୟାଣ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ସର୍ବଦା ସଚେତନତା ଅଭିଯାନ ଜାରି ରଖିବ ବୋଲି ସେ ଦୋହରାଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ବିଲାସପୁରସ୍ଥିତ ଗୁରୁ ଘାସୀଦାସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ କୁମାର ଚକ୍ରୱାଲ ଯୋଗଦେଇ କହିଥିଲେ ଯେ, ବିକାଶର ମୂଳଦୁଆରେ ମାନବୀୟ ମୂଲ୍ୟବୋଧ ରହିବା ଆବଶ୍ୟକ। ଆଜିର ଯୁବପିଢ଼ି ବିଶେଷକରି ‘ଜେନ ଜି’ଙ୍କୁ ଜଣେ ଜଣେ ଦାୟିତ୍ୱବାନ ନାଗରିକ ଏବଂ ଦେଶ ଗଠନର ସାରଥୀ ଭାବେ ଗଢ଼ିତୋଳିବାରେ ପିତାମାତା ଓ ଗୁରୁଜନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ମୂଲ୍ୟବୋଧଭିତ୍ତିକ ଯୁବପିଢ଼ି ହିଁ ଭାରତକୁ ବିଶ୍ୱଗୁରୁ କରିବାରେ ସହାୟକ ହେବେ।


ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ କହିଥିଲେ, କନ୍ୟାରତ୍ନଙ୍କ ସୁରକ୍ଷା ଆଜିର ସମୟର ସବୁଠାରୁ ବଡ଼ ପ୍ରାଥମିକତା। ଜୀବନର ଗୁଣବତ୍ତା ତଥା ଜନସଂଖ୍ୟା ବୃଦ୍ଧିର ମାନକୁ ସୁଧାରିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ କନ୍ୟା ସନ୍ତାନମାନେ ହେଉଛନ୍ତି ଏକ ସୁସ୍ଥ, ପ୍ରଗତିଶୀଳ ଓ ସମ୍ବେଦନଶୀଳ ରାଷ୍ଟ୍ରର ମୂଳଦୁଆ। ତେଣୁ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ମିଳିତ ପ୍ରୟାସ ଜରୁରୀ।ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଆଇଏଲଏସର ପୂର୍ବତନ ନିର୍ଦ୍ଦେଶକ ଏବଂ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମତବ୍ୟକ୍ତ କରିଥିଲେ ଯେ, ବିଶ୍ୱ ଏବେ ମଧ୍ୟ କୋଭିଡ ମହାମାରୀର ପ୍ରଭାବରୁ ସୁଧୁରିବା ପ୍ରକ୍ରିୟାରେ ରହିଛି। ସେ ବିଶ୍ୱ ଜନସଂଖ୍ୟାର ସାମ୍ପ୍ରତିକ ସ୍ଥିତି ଓ ମାନବଜାତି ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକର ଏକ ରୂପରେଖ ଉପସ୍ଥାପନ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ଏକ ସୁସ୍ଥ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡଃ ମୁରଲୀ ଧର ପାଢ଼ୀ, ଏମ୍ସ ଭୁବନେଶ୍ୱରର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ଯୁବପିଢ଼ିର ସ୍ୱାସ୍ଥ୍ୟ ସୁରକ୍ଷା, ଜନସଂଖ୍ୟା ସ୍ଥିରତା, ପରିବାର କଲ୍ୟାଣ ଏବଂ ସଚେତନ ସମାଜ ଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, ଗବେଷକ, ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବହୁ ସଂଖ୍ୟାରେ ଯୋଗଦେଇ ମତ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ପପୁଲେସନ୍ ରିସର୍ଚ୍ଚ ସେଣ୍ଟରର ଡେପୁଟି ନିର୍ଦ୍ଦେଶକ ଡଃ ହିମାଂଶୁ ଶେଖର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.