ସୌମ୍ୟାଶ୍ରୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଜେଡି ଜଣାଇଲା ଶ୍ରଦ୍ଧାଞ୍ଜଳି: “ଏକ ବର୍ଷ ପରେ ବି ନ୍ୟାୟ ମିଳିଲାନି”, ହଜାରେ ହାତରେ ଜଳିଲା କ୍ୟାଣ୍ଡେଲ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ବର୍ଗତା ସୌମ୍ୟାଶ୍ରୀ ବିଶିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଲେଶ୍ଵର ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ କର୍ମୀ କ୍ୟାଣ୍ଡେଲ ଧରି ସୌମ୍ୟାଶ୍ରୀଙ୍କ ସ୍ମୃତିକୁ ସ୍ମରଣ କରିବା ସହ ତୁରନ୍ତ ନ୍ୟାୟ ଦାବି କରିଥିଲେ। ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଏବଂ ବାଲେଶ୍ଵରର ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। ଏହା ସହ ନୀଳଗିରି ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ବାବୁ ଖାନ, ଉପ ସଭାପତି ସ୍ନେହାଶିଷ ଜେନା ଓ ତବରେଜ ଖାନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ସଭାରେ ବକ୍ତାମାନେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ ଯେ ଘଟଣାକୁ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅଭିଯୁକ୍ତମାନେ ବିଜେପିର ଛାତ୍ର ସଂଗଠନ ଏବିଭିପି ସହ ଜଡିତ ଥିବାରୁ ନିଜ ଦଳର କର୍ମକର୍ତ୍ତାଙ୍କୁ ବଞ୍ଚାଇବାକୁ କ୍ରାଇମବ୍ରାଞ୍ଚ ଇଚ୍ଛାକୃତ ଭାବେ ଚୂଡ଼ାନ୍ତ ଚାର୍ଟସିଟ ଦାଖଲ କରୁନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଥାଇ ମଧ୍ୟ ଏହି ଘଟଣାରେ ରାଜନୈତିକ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆସିଥିଲା। ଶ୍ରଦ୍ଧାଞ୍ଜଳି ସଭା ପରେ ଗାନ୍ଧୀ ସ୍ମୃତି ଭବନ ପରିସରରେ ହଜାର ହଜାର ଯୁବ ଛାତ୍ର କ୍ୟାଣ୍ଡେଲ ଧରି ଶୋଭାଯାତ୍ରା କରି ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର ଓ ଛାତ୍ରନେତା ହରେକୃଷ୍ଣ ପ୍ରଧାନ ମଧ୍ୟ ସଭାରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରଞ୍ଜିତ ଜେନା ଶ୍ରଦ୍ଧାଞ୍ଜଳି ସଂଗୀତ ପରିବେଷଣ କରିଥିଲେ। ଟାଉନ ବିଜେଡି ସଭାପତି ମନୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସ, ଯୁବନେତା ସେକ ଅନସର ଅଲ୍ଲୀ, ଭରତ ଭୂଷଣ ଦାସ, କାଉନସିଲର ମୀନା ମହାନ୍ତି, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ ପ୍ରମୁଖ ଅନ୍ୟମାନଙ୍କ ସହ ଶତାଧିକ କର୍ମୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.