କଳାହାଣ୍ଡି ଜିଲ୍ଲା ସ୍ତରୀୟ ସ୍ମାର୍ଟ ଓଡ଼ିଶା ହେକାଥନ୍ ୩.୦ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସ୍ମାର୍ଟ ଓଡ଼ିଶା ହେକାଥନ୍ ୩.୦ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ଦାଶ, ସେକ୍ ରୋବୋଟିକ୍ସର ପରିଚାଳନା ନିର୍ଦ୍ଦେଶକ ତଥା ଆଇଆଇଟି ଭୁବନେଶ୍ବର ପ୍ରତିନିଧି ଶାକ୍ୟସିଂହ ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ ଓ ତପିମଣି ଜାନୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଶିକ୍ଷକ ନୀଳାଞ୍ଚଳ ପାନଙ୍କ ନିର୍ଦ୍ଦେଶନାରେ ତଳବେଲଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଛାତ୍ରୀ ଅମୃତା ସାହୁ ଓଡ଼ିଶୀ ନୃତ୍ୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଜିଲ୍ଲାର ୨୩ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଓଡିଶା ଆଦର୍ଶ ବିଦ୍ୟାଳୟରୁ ମୋଟ ୪୯ ଗୋଟି ମନୋନୀତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ୧୪୭ ଜଣ ତରୁଣ ବୈଜ୍ଞାନିକ ମାର୍ଗଦର୍ଶୀ ଶିକ୍ଷକଙ୍କ ସହ ଯୋଗଦେଇ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶ୍ରେଷ୍ଠ ୪ ଗୋଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲା।

ବିଚାରକ ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ଅଶୋକ କୁମାର ଭୋଇ ଓ ଆଇଆଇଟି ପ୍ରତିନିଧି ଶାକ୍ୟସିଂହ ମହାପାତ୍ର ଶିକ୍ଷାର୍ଥୀମାନଙ୍କ ପ୍ରକଳ୍ପ ମୂଲ୍ୟାୟନ କରିଥିଲେ।

ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କଳାହାଣ୍ଡି ତହସିଲଦାର କ୍ଷୀରୋଦ ଚନ୍ଦ୍ର ନାଗ, ମାଇ ଭାରତ ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା, ରାଜ୍ୟ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ପ୍ରମୁଖ ମଞ୍ଚାସୀନ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ ଆୟୋଜନରେ ବୀରେନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ, ସୌମେନ୍ଦ୍ର ପଟ୍ଟନାୟକ, ହରିଶଚନ୍ଦ୍ର ମୁଣ୍ଡ, ଅମରେଶ ନେଗୀ, ପ୍ରଦୀପ ନେଗୀ, ଓମ ପ୍ରକାଶ ନାଏକ, ପ୍ରମୋଦ ସାହୁ, ବିଭୁ ପଣ୍ଡା, ଆଦିତ୍ଯ ଆଚାର୍ଯ୍ୟ, ସ୍ମିତା ଚୌଧୁରୀ, ପ୍ରତିଭା ରଥ, ଶ୍ରୁତି ସିଲ୍ଭା ପଣ୍ଡାଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.