ବସ୍ତା ବିଧାୟିକା ସୁବାସିନୀ ଜେନା ପାଳିଲେ ଦୁଇ ବର୍ଷ ପୂର୍ତ୍ତି ସମାରୋହ

• ଜନସାଧାରଣଙ୍କୁ ଦେଲେ ବିକାଶର ରିପୋର୍ଟ କାର୍ଡ

• ବସ୍ତା ବାଲିଆପାଳର ବିକାଶ ପାଇଁ ଗତ ଦୁଇ ବର୍ଷରେ ୨୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଅନୁଦାନ

• ଲଙ୍ଗଳେଶ୍ୱର ଠାରେ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତିରେ ଭବ୍ୟ ଉତ୍ସବ

• ଅଞ୍ଚଳର ସର୍ବାଙ୍ଗୀନ ପ୍ରଗତି ପାଇଁ ମୁଁ ସଦା ପ୍ରତିଶ୍ରୁତିବଦ୍ଧ, କହିଲେ ବିଧାୟିକା ସୁବାସିନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରାଜ୍ୟରେ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ପୂରଣ ହୋଇଥିବା ବେଳେ ଏହି ଅବସରରେ ବସ୍ତା ବିଧାୟିକା ସୁବାସିନୀ ଜେନା ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ସମାରୋହକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି। ଲଙ୍ଗଳେଶ୍ୱରସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଏହି ସମାରୋହରେ ବସ୍ତା ଓ ବାଲିଆପାଳ ଅଞ୍ଚଳର ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ବିଗତ ଦୁଇ ବର୍ଷ ମଧ୍ୟରେ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଥିବା ଶ୍ରୀମତୀ ଜେନା ଏହି ଅବସରରେ ତାଙ୍କର ‘ରିପୋର୍ଟ କାର୍ଡ’ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବସ୍ତା ନିର୍ବାଚନ ମଣ୍ଡଳୀକୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅନୁଦାନ ମିଳିଥିବା ପ୍ରକାଶ କରି ସେ କହିଛନ୍ତି ଯେ, ଶୋଚନୀୟ ହୋଇପଡ଼ିଥିବା ବସ୍ତା ବାଲିଆପାଳ ମୂଖ୍ୟ ରାସ୍ତାର ଉନ୍ନତିକରଣ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କା ଏବଂ ଜଳକା ଓ ପଳପଳା ନଦୀର ବନ୍ୟା ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଉଛି। ସେହିପରି ମାନ୍ଧାତା ଠାରୁ ଡଗରା ବେଳାଭୂମି ପର୍ଯ୍ୟନ୍ତ ଭାୟା ଜମ୍ଭିରାଇ, ନୂଆଗାଁ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ପାଖାପାଖି ୬୦ କୋଟି ଟଙ୍କା ବ୍ୟୟରେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏହା ସହିତ ବସ୍ତା ଓ ବାଲିଆପାଳଠାରେ ଦୁଇଟି ବହୁମୁଖୀ ଅଡିଟୋରିଅମ ନିର୍ମାଣ ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି।

ଅପରପକ୍ଷରେ, ବାଲିଆପାଳର ବନ୍ଦ ପଡ଼ିଥିବା ଶ୍ରୀ ଗୋପୀନାଥ ସୂତା କଳର ପୁନରୁଦ୍ଧାର ଏବଂ ବୋଳଂ ଠାରେ ଏକ ବୃହତ୍ ଇଣ୍ଡଷ୍ଟ୍ରିଆଲ୍ ହବ୍ ପ୍ରତିଷ୍ଠା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବିଧାୟିକା ସୂଚନା ଦେଇଛନ୍ତି। ଏଥିସହିତ ବାଲିଆପାଳ ବ୍ଲକର ପ୍ରସିଦ୍ଧ ଶୈବପୀଠ ଲଙ୍ଗଳେଶ୍ୱର ମହାଦେବ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ୨୫ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ରଖାଯାଇଥିବା କଥା ଶ୍ରୀମତୀ ଜେନା କହିଛନ୍ତି। ଏହି ଉତ୍ସବରେ ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ରହି ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ବସ୍ତା-ବାଲିଆପାଳର ବିକାଶ ହିଁ ତାଙ୍କର ଏକମାତ୍ର ସ୍ୱପ୍ନ ବୋଲି କହିଥିଲେ। ଆଗାମୀ ଦିନରେ ଆମ ଅଞ୍ଚଳର ବେକାର ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ସହ ଅର୍ଥନୈତିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଖୁବଶୀଘ୍ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଇଂ ଜେନା ପ୍ରକାଶ କରିଛନ୍ତି। ବରିଷ୍ଠ ନେତା ଅନିଲ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସ, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନୀତା ବେହେରା, ବାଲେଶ୍ୱର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଜୟ ସାହୁ, ଗୋବିନ୍ଦ ଚନ୍ଦ୍ର ଦାସ, ଲକ୍ଷ୍ମୀଧର ଦାସ, ମହେଶ୍ୱର ଜେନା, ପ୍ରଦୀପ ବିଶ୍ୱାଳ, ସୁବ୍ରତ ପଣ୍ଡା, ଅଜୟ ସାମଲ, ଦେବ କୁମାର ଦେ, ବେଣୁଧର ଜେନା, ନିଶାକର ସେଠୀ ଏବଂ ସୁଜାତାରାଣୀ ଦଣ୍ଡପାଟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ନେତା ରଞ୍ଜନ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବସ୍ତା ଏବଂ ବାଲିଆପାଳର ବିଭିନ୍ନ ପଞ୍ଚାୟତରୁ ୧୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ସାମିଲ ହୋଇ ଉତ୍ସବକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.