ବହୁ ଚର୍ଚ୍ଚିତ ରିୟା ମୃତ୍ୟୁ ପ୍ରସଙ୍ଗ; ପରିବାରକୁ ଭେଟିଲେ ନର୍ଲା ବ୍ଳକ ଯାଦବ ସମିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆମ୍ବୁଲାନ୍ସ ସେବାର ଦାୟିତ୍ୱହୀନତା ଯୋଗୁଁ ନର୍ଲା ବ୍ଳକ୍ ତୁଲାପଡାର ୧୧ ବର୍ଷିୟ ଶିଶୁ କନ୍ୟା ରିୟା ନାଏକଙ୍କ ମୃତ୍ୟୁ ଘଟିଛି। ଗତ ଗୁରୁବାର ଦିନ ଘଟିଥିବା ଏହି ଅଭାବନୀୟ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ସହ ସରକାରଙ୍କ ସ୍ବାସ୍ଥ୍ୟ ସେବା ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରିଛି। ବିଜେଡି ଏହି ଘଟଣାରେ ସରକାରଙ୍କୁ ସିଧା ଟାର୍ଗେଟ କରିଛି। ଅନ୍ୟପକ୍ଷରେ କୁନି ଝିଅକୁ ହରାଇ ଭାଙ୍ଗି ପଡିଛନ୍ତି ପିତା ମାତା ଓ ପରିବାର। ସରକାରୀ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବାରୁ ନ୍ୟାୟ ଦାବି କରିଛନ୍ତି ମୃତ ଶିଶୁ କନ୍ୟାଙ୍କ ଆତ୍ମିୟ ସ୍ବଜନ। ଅନ୍ୟପକ୍ଷରେ ଶନିବାର ନର୍ଲା ବ୍ଳକ ଯାଦବ ସମିତିର ଏକ ପ୍ରତିନିଧି ମଣ୍ଡଳୀ ତୁଳାପଡା ଯାଇ ମୃତକଙ୍କ ପିତା ଡିଙ୍ଗର ନାଏକଙ୍କୁ ଭେଟିବା ସହ ସ୍ବାନ୍ତନା ପ୍ରଦାନ କରିଛନ୍ତି। ନର୍ଲା ବ୍ଳକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ମାର୍କଣ୍ଡ ଜାଲ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଯୁଧିଷ୍ଠିର ଗଉଡ, ତୁଲାପଡା ଆଞ୍ଚଳିକ ଯାଦବ ସମିତି ସଭାପତି ଶଶିଦେବ ବଗର୍ତ୍ତି ଓ ସାଧାରଣ ସମ୍ପାଦକ ଗୋକୁଳ ଭୋଇ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ। ମୃତ ଶିଶୁକନ୍ୟାକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଯାଦବ ସମାଜ ପକ୍ଷରୁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.