ଆରବିଆଇ ତରଫରୁ ଶିବପଦର ଠାରେ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ମୁନିଗୁଡ଼ା (ଲିଙ୍ଗରାଜ ମିଶ୍ର): ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମୁନିଗୁଡା ବ୍ଲକର ଶିବପଦର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ଆର୍ଥିକ ସାକ୍ଷରତା ଏବଂ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଶିବପଦର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରକାଶ କରସିକା, ଏଡିଇଓ ଜି. ରବି କୁମାର, ଶକ୍ତିମୟୀ ଫାଉଣ୍ଡେସନର ବୋର୍ଡ ମେମ୍ବର ସାବିତ୍ରୀ ସଲକିଆ, ହର୍ଷାଟ୍ରଷ୍ଟ ମୁନିଗୁଡାର ସୁପର ଭାଇଇଯାର ସୁବାସ ସଲକିଆ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ। ବିଭିନ୍ନ ଅଜଣା ନମ୍ବର ରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ନ ଦେବାପାଇଁ ସୂଚନା ଦିଆଯାଇଥିଲା।

ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ପରିବାରକୁ ଠିକ୍ ଭାବେ ପରିଚାଳନା କରିପାରିବେ ବୋଲି ତାଲିମ ଦାତା ବୁଝାଇଥିଲେ।କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ ଓ ପିଟର ଚାନ୍ଦ ପାଣିଗ୍ରାହୀ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ। ପିଟର ଚାନ୍ଦ ପାଣିଗ୍ରାହୀ, ଜୋସ୍ନା, ଶକ୍ତିମୟୀ ଫାଉଣ୍ଡେସନ ଏବଂ ସଖୀ ପ୍ରକଳପର କର୍ମୀ ଓ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କର୍ମଶାଳାରେ ମିଶନ ଶକ୍ତି ଗୋଷ୍ଠୀ ସହାୟିକା, ଶକ୍ତିମୟୀ ଫାଉଣ୍ଡେସନର ସ୍ଵୟଂ ସହାୟକ ଗୋଷ୍ଠୀ, ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀରୁ ୬୫ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.