ଭାରତୀୟ ଛନ୍ଦ କବିତା ସାରା ପୃଥିବୀରେ ଶ୍ରେଷ୍ଠ -ହରପ୍ରସାଦ ଦାସ

ଅନୁଷ୍ଠିତ ହେଲା ଜୟନ୍ତ ହଂସରାଜଙ୍କ କାବ୍ୟଗ୍ରନ୍ଥ ‘ଗୀତିମାଲ୍ୟ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସମଗ୍ର ବିଶ୍ବ ସାହିତ୍ୟରେ ଭାରତୀୟ ଛନ୍ଦସାହିତ୍ୟ ହିଁ ଶ୍ରେଷ୍ଠ ଓ ଅନନ୍ୟ ଏବଂ ପୃଥିବୀର ସମସ୍ତ ସଭ୍ୟତା ମଧ୍ୟରୁ ଭାରତୀୟ ସଭ୍ୟତା ହିଁ କେବଳ ବଞ୍ଚି ରହିଛି। ଆଞ୍ଚଳିକ ଭିତ୍ତିରେ ଓଡ଼ିଆ ଭାଷାର ବୈଚିତ୍ର୍ୟ ପାଇଁ ଏହା ଅତ୍ୟନ୍ତ ଚଳଚଞ୍ଚଳ ଓ ସମୃଦ୍ଧ ତଥା ଆମୋଦଦାୟକ । ଓଡ଼ିଆ ଭାଷାର ପ୍ରତିଟି ଅକ୍ଷର ଓ ଫଳା ଇତ୍ୟାଦିର ବ୍ୟବହାର ହେବା ଯୋଗୁଁ ଅନ୍ୟ ଭାଷାମାନଙ୍କ ଠାରୁ ଏହା ସ୍ବତନ୍ତ୍ର। ଆମର ସୌଭାଗ୍ୟ ଯେ ଆମେ ଏହି ଭାଷାର ପରିଚୟ ନେଇ ପରିଚିତ ବୋଲି ‘ବିଦ୍ୟାଭାରତୀ’ ଦ୍ବାରା ପ୍ରକାଶିତ କବି ଜୟନ୍ତ ହଂସରାଜଙ୍କ ଛନ୍ଦକାବ୍ୟ ସଂକଳନ ‘ଗୀତିମାଲ୍ୟ’ର ଉନ୍ମୋଚନ ଉତ୍ସବରେ ଉନ୍ମୋଚକ ତଥା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଶିଷ୍ଟ କବି ତଥା ଚିନ୍ତକ ହରପ୍ରସାଦ ଦାସ ଏହା କହିଛନ୍ତି।

ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ସଭାଗୃହରେ ପୁସ୍ତକର ପ୍ରକାଶକ କବି ଅଭୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସ୍ତମ୍ଭକାର ଓ ପ୍ରାବନ୍ଧିକ ଉପେନ୍ଦ୍ର ବିଶ୍ବାଳ ଯୋଗ ଦେଇ କହିଥିଲେ ଯେ ଯେଉଁ ଦେଶ ବିଦ୍ୟାଚର୍ଚ୍ଚାରେ ଯେତେ ଆଗୁଆ ଏବଂ ଯେଉଁ ଦେଶର ଅଧିବାସୀ ମାନବସମାଜର ପ୍ରଗତି ଓ ସୁରକ୍ଷା ପାଇଁ ଯେତେ ସମର୍ପିତ ସେ ଦେଶ ସେତେ ସମୃଦ୍ଧ ଓ ସଂସ୍କୃତ । ସଭାପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଓଡ଼ିଶାରେ ପୂର୍ବସୂରୀମାନଙ୍କ ପ୍ରତି ଅବଜ୍ଞା ଓ ଅସମ୍ମାନ ପ୍ରଦର୍ଶନର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା ପରମ୍ପରାରେ ପରିଣତ ନହେଉ। ପୂର୍ବଜ ଲେଖକମାନଙ୍କ ପ୍ରତି ଉତ୍ତର ପିଢ଼ି ଯଥାଯଥ ସମ୍ମାନ ପ୍ରଦର୍ଶନ କରିବା ଶିକ୍ଷା କରନ୍ତୁ।

ସଭା ପ୍ରାରମ୍ଭରେ ଗୁରୁ ସତ୍ୟଜିତ୍ ମହାରଣାଙ୍କ ଗୀଟାରରେ ଶାସ୍ତ୍ରୀୟ ରାଗ ପରିବେଷଣ ଏବଂ ଗୁରୁ କମଳାକାନ୍ତ ବେହେରା ଓ ଗୁରୁ ଇଂ ତୀର୍ଥରଞ୍ଜନ ବଳଙ୍କର ତବଲା ବାଦନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଏବଂ ଏହି କଳାକାରମାନଙ୍କୁ ମୁଖ୍ୟଅତିଥି ଡକ୍ଟର ଦାସ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ସଂଗୀତ ଗୁରୁ ବ୍ରଜେଶ ପଣ୍ଡା ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପ୍ରାଥମିକ ସୂଚନା ପ୍ରଦାନ ଏବଂ କଳାକାରମାନଙ୍କର ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ପ୍ରବୀର କମିଳା ଓ ଚିଦାନନ୍ଦ ଅର୍ପିତା । କବି ଜୟନ୍ତ ହଂସରାଜ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓମ୍ ପ୍ରୟାସ, ଗୋବର୍ଦ୍ଧନ ମାଝୀ, ନିଗମ୍ ଶାଶ୍ବତ ସାହୁ, ଶୁଚିସ୍ମିତା କର ଏବଂ ରଶ୍ମିତା ପ୍ରମାଣିକ୍ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.