ପ୍ରବଳ ଉତ୍ସାହ ଉଦ୍ଦୀପନା ଏବଂ ନୂତନ ଆଶାର ଆଲୋକରେ ଉଦ୍ଭାସିତ ହେବାପାଇଁ ନୂତନ ବର୍ଷ ୨୦୨୫କୁ ସ୍ବାଗତ କରିଛି ସାରା ବିଶ୍ବ। ଏମିତି ବର୍ଷ ପରେ ପର୍ବ ଗଡ଼ି ଚାଲିଛି। ପୂରାତନ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରାଯାଉଛି। ବିଗତ ବର୍ଷର ସ୍ମୃତି ବିଜଡ଼ିତ ଅତୀତକୁ ନୂତନ ବର୍ଷ ପ୍ରାରମ୍ଭରେ ରୋମନ୍ଥନ କରାଯାଉଛି। ସମୟର ତାଳ ସହ ପାଦ ମିଳାଇ ଚାଲିବାକୁ ଚେଷ୍ଟା କରୁଛି ମଣିଷ। ପୁରାତନ ବର୍ଷରେ ହୋଇଥିବା ଭୁଲକୁ ନୂତନ ବର୍ଷରେ ସୁଧାରିବାକୁ ଚେଷ୍ଟା କରାଯାଉଛି। ଏମିତି ବିତିଚାଲିଛି ସମୟ। ଭଲମନ୍ଦ, ସୁଖଦୁଃଖ, ହାନିଲାଭର ହିସାବ ନିକାଶ ମଧ୍ୟରେ ସମୟ ଗଡ଼ିଚାଲିଛି ସ୍ବାଭାବିକ ଧାରାରେ। ନୂତନ ବର୍ଷର ସୂର୍ଯ୍ୟ କିରଣରେ ମାନବ ସଭ୍ୟତା କିଛି ସମୟ ପାଇଁ ନୂତନ ସଂକଳ୍ପ ନେଉଛି ସତ, ତେବେ ଧାରାବାହିକ ସମୟର ସ୍ରୋତରେ ଧୀରେ ଧୀରେ ତାହା ଭାସିଯାଉଛି। କ୍ୟାଲେଣ୍ଡରର ପୃଷ୍ଠା ଓଲଟି ଚାଲିଛି। ଏହା ଭିତରେ ସମୟ ମଧ୍ୟ ଗତାନୁଗତିକ ଧାରାରେ ପ୍ରବାହିତ ହେଉଛି। ଏହି ସମୟ ଭିତରେ ଦେଶ ପାଇଁ, ଜାତି ପାଇଁ ଓ ବିଶ୍ବ ସମୁଦାୟ କିଛି ଭଲକାମ କରିବାର ଆହ୍ବାନ ଦେଉଛି ନବବର୍ଷ। ତେବେ ଏଥିପାଇଁ ଆମେ ସଜାଗ ରହିଲେ ଦେଶ, ଜାତି ଓ ବିଶ୍ବର ଅଶେଷ ମଙ୍ଗଳ ସାଧିତ ହୋଇପାରିବ, ଏଥିରେ ଦ୍ବିରୁକ୍ତି ନାହିଁ।