ଶଯ୍ୟାଶାୟୀ ରୋଗାକ୍ରାନ୍ତ ଲକ୍ଷ୍ମୀକାନ୍ତ: ଭୋକ ଓପାସରେ ପରିବାର, ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ପଟାମରା ଗ୍ରାମର ୪୫ ବର୍ଷ ବୟସ୍କ ଲକ୍ଷ୍ମୀକାନ୍ତ ଖମାରି | ୨ ବର୍ଷ ପୂର୍ବେ ଅଣ୍ଟା ପଛ ପଟ ଅଙ୍ଗ ବହୁତ ଜୋରରେ ଦରଜ ହେଲା | କୁଲି ମଜୁରୀ କରି ବହୁ କଷ୍ଟରେ ବିଭିନ୍ନ ଡାକ୍ତରଖାନାରେ ଦେଖାଇ ଚିକିତ୍ସା କଲେ ବି କିଛି ଫଳ ମିଳିଲାନି | ଶେଷରେ ତିନି ମାସ ତଳେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାହେଲା | ଅସ୍ତ୍ରୋପଚାର ପରେ ଠିକ ଚଲାବୁଲା କରୁଥିଲେ | ତେବେ ଅଢେଇ ମାସ ପରେ ଚାରି ହାତ ଗୋଡ଼ ଅଚଳ ହୋଇପଡ଼ିଲା | ଲକ୍ଷ୍ମୀକାନ୍ତଙ୍କ ପକ୍ଷେ ବସିବା ଉଠିବା ବି ଆଉ ସମ୍ଭବପର ହେଲା ନାହିଁ |

 

ଏବେ ୧୫ ଦିନ ହେବ ଶଯ୍ୟାଶାୟୀ ହୋଇପଡ଼ି ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି | ଖୁଆଇବା ପିଆଇବା ଠାରୁ ନିତ୍ୟ କର୍ମ ଆଦି ଯାବତୀୟ କାର୍ଯ୍ୟ ପାଇଁ ସ୍ତ୍ରୀ ରାଜ ଏବେ ଲୋଡ଼ା ପଡୁଛନ୍ତି | ଆଗରୁ ରାଜ ଦିନ ମଜୁରିଆ ଭାବେ ମଜୁରୀ ଖଟୁଥିଲେ | ଲକ୍ଷ୍ମୀକାନ୍ତ ଶଯ୍ୟାଶାୟୀ ହେବା ଦିନଠୁଁ ତାଙ୍କୁ ଦେଖାଶୁଣା କରିବାକୁ ପଡୁଥିବାରୁ ଏବେ ରାଜ ଆଉ ମଜୁରୀକୁ ଯାଇପାରୁନାହାନ୍ତି | ଫଳରେ ୧0 ଓ ୭ ବର୍ଷର ୨ ପୁଅଙ୍କ ସମେତ ପରିବାର ଲୋକଙ୍କୁ ଅନେକ ସମୟରେ ଭୋକ ଓପାସରେ ରହିବାକୁ ପଡୁଛି | ଗାଁ ଲୋକ ଦୟାକରି କିଏ କେତେବେଳେ ଖାଦ୍ୟ କିମ୍ବା ରନ୍ଧା ସାମଗ୍ରୀ ଦେଲେ ତହିଁରେ ବହୁ କଷ୍ଟରେ ପରିବାର ଚଳୁଛନ୍ତି | ରାସନ କାର୍ଡରେ ମାସକୁ ମିଳୁଥିବା ଚାଉଳ ଗଣ୍ଡାକ ହିଁ ସାହା ଭରସା | ଜମିବାଡ଼ି କିଛି ନାହିଁ | ଅର୍ଥାଭାବ ଯୋଗୁଁ ସ୍ୱାମୀଙ୍କୁ ଚିକିତ୍ସା ପାଇଁ କୁଆଡ଼େ ନେଇ ଚିକିତ୍ସା କରାଇବା ସମ୍ଭବ ହେଉନାହିଁ |

ସରକାର ଆର୍ଥିକ ସହାୟତା ଯୋଗାଇଦେଲେ ସ୍ୱାମୀଙ୍କ ଚିକିତ୍ସା ସମ୍ଭବପର ହୋଇପାରନ୍ତା ବୋଲି ସ୍ତ୍ରୀ ରାଜ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି | ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବଳଦେବ ମାଝୀ ସୋମବାର ଲକ୍ଷ୍ମୀକାନ୍ତଙ୍କ ଘରକୁ ଯାଇ କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ | ଲକ୍ଷ୍ମୀକାନ୍ତଙ୍କୁ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ତରଫରୁ ସରକାରୀ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.