ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧିୟ ମଶାରୀ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଭୋକ୍ତା ମାନଙ୍କୁ ଔଷଧିୟ ମଶାରୀ ବଣ୍ଟନ କରାଯାଇଛି। ଗ୍ରାମାଞ୍ଚଳରେ ବାସ କରୁଥିବା ଓ ସ୍ଵାସ୍ଥ୍ୟ ରକ୍ଷା ପ୍ରତି ସଚେତନ ନଥିବା ଗରୀବ ଲୋକ ମାନେ ମଶା କାମୁଡିବା ଯୋଗୁଁ ବାରମ୍ବାର ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଣୁ ସରକାରଙ୍କ ଜନ ହିତକର ଯୋଜନା ଅନୁଯାୟୀ ଆଜି ନର୍ଲା ମେଡିକାଲ ପରିସରରେ ଏକ ସଭା ଆୟୋଜନ କରାଯାଇ ମଶାରୀ ବଣ୍ଟନ କରାଯାଇଥିଲା। ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ କାର୍ଯ୍ୟକ୍ରମର ଶୁଭ ଉଦ୍ଘଟାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ସରପଞ୍ଚ ତନୁଜା ହରପାଲ, ଏବିଇଓ ଗୋବର୍ଦ୍ଧନ ମାଝୀ, ଭିବିଡିଟିଏସ ଦେବାଶିଷ ଭୋଇ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ମହିଳା ସ୍ଵାସ୍ଥ୍ୟ କର୍ମୀ ବବିତା ପଧାନ ପ୍ରମୁଖ ମଞ୍ଚାସୀନ ହୋଇ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ଭୟଙ୍କର ରୋଗର ମୂଳ କାରଣ ମଶା କାମୁଡିବା। ଏଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ମଶାରୀ ବ୍ୟବହାର ଏକାନ୍ତ ଆବଶ୍ୟକ। ସରକାର ମାଗଣାରେ ଔଷଧିୟ ମଶାରୀ ପ୍ରଦାନ କରୁଛନ୍ତି। ଏହାକୁ ଖୋଲିଦେଇ ଛାଇରେ ୨୪ ଘଣ୍ଟା ଶୁଖାଇବା ପରେ ବ୍ୟବହାର କରିବା। ନହେଲେ ଡେଲ୍ଟା ମିଥାଇଲିନ ଔଷଧ ବୁଡ଼ା ହୋଇଥିବା ଏହି ମଶାରୀ ହେହରେ ଲାଗିଲେ କୁଣ୍ଡାଇ ହେବ। ଏଣୁ ଏଥିପ୍ରତି ସଚେତନ ରହିବା ବୋଲି କହିଥିଲେ। ଏହାପରେ ନର୍ଲା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ୧୦ ଜଣ ଉପଭୋକ୍ତାଙ୍କୁ ଅତିଥି ବୃନ୍ଦ ମଶାରୀ ପ୍ରଦାନ କରିଥିଲେ। ଆସନ୍ତା ସପ୍ତାହ ମଧ୍ୟରେ ନର୍ଲା ବ୍ଲକ ଅଞ୍ଚଳରେ ରହିଥିବା ୨୯,୯୦୩ ଜଣ ଉପଭୋକ୍ତାଙ୍କୁ ଆଶା, ଅଙ୍ଗୱାଡ଼ି କର୍ମୀ ଓ ୱାର୍ଡ ମେମ୍ବର ମାନଙ୍କ ଜରିଆରେ ପର୍ଯ୍ୟାୟ କ୍ରମେ ମଶାରୀ ବଣ୍ଟନ କରାଯିବ।ସରକାରଙ୍କ ଲକ୍ଷ୍ୟ ମ୍ୟାଲେରିଆ ଓ ଡେଙ୍ଗୁ ମୁକ୍ତ ଏକ ସୁସ୍ଥ ସମାଜ ଗଠନ ବୋଲି ଭିବିଡିଟିଏସ ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ପିଏଚଇଓ ଶ୍ରୀ ଦୀପ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଶାକର୍ମୀ ଓ ମେଡିକାଲ ଷ୍ଟାଫ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.