ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢିବି।
ଜାତି ଡାକ ଶୁଣି ଛାତିଫୁଲେଇ ମୁଁ
କାଳିଆ ଘୋଡାରେ ଚଢିବି।”
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ ।
ମଧୁ ବାବୁଙ୍କୁ ଯେବେ ପ୍ରଥମେ ଜାଣିଲି ଏହି କବିତା ମାଧ୍ୟମରେ
ତୁମ ପରି ଛୋଟ ପିଲାଟିଏ:
ପିଲାଟିଏ ତୁମ ପରି ଛୋଟ ପିଳାଟିଏ
ଗାଆଁ ଚାହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ ପାଠରେ ତାହାର ସରି କିଏ ?
ଛାଡି ଯାଇଥିଲା ଦିନେ ଝଡି ବାହାରିଲା ସିଏ ପାଠ ପଢି
ବାଟେ ଯାଉଯାଉ ଖସିଗଲା ଗୋଡ ମୁଁହ ମାଡି ତଳେ ଗଲା ପଡି |
ଗୁରୁଜୀ ଦେଖିଲେ ଦେହ ତାର ପାଣି କାଦୁଅ ରେ ସର ସର ତିଳେହେଁ ସେଥ୍କୁ ଖାତିରି ନକରି ଆସିଛି ହୋଇ ସେ ତର ବର |
ପଚାରିଲେ ଗୁରୁ ଏକି ହେଲା ଏତେ ସରି ତୋତେ କିଏ କଲା ପିଲାଟି କହିଲା ବେଗେ ଆସୁଆସୁ କାଦୁଆରେ ଗୋଡ ଖସିଗଲା |
ହେଲା ଦଶହରା ଛୁଟି ବେଳ ପିଲାଟି ସଭିଙ୍କି କଲା ମେଳ ମାଟି ଗୋଡି ବାଲି ପକାଇ ସଭିଏଁ ଗାଆଁ ମାଟି କଲେ ସମତୁଲ
ଏହା ଦେଖ୍ ଲୋକେ ହେଲେ କାବା ଡକାଇଲେ ଗୁରୁ ଚାଟସଭା କହିଲେ ଏଭଳି ଭଲକାମ କଲେ ନିଶ୍ଚେ ଆମେ ଦିନେ ବଡ
ହେବା ।
ବଡ ହେଲା ଦିନେ ସେ ସେହି ପିଲା ମଧୁ ବାରିଷ୍ଟର ବୋଲାଇଲା ଦେଶ ପାଇଁ କେତେ କାମ କରି ସିଏ କାଳେ କାଳେ ଯଶ ରଖିଗଲା |
କହିଲା ଜାତିର କାନେ କାନେ ଉଠିବୁ ଆଉ ତୁ କେତେ ଦିନେ ପୂରୁବ ଗୌରବ ପୂରୁବ ମହିମା ପଡ଼ୁନାହିଁ କିରେ ତତେ ମନେ ?
ସେ ଛାତ୍ର ଜୀବନରୁ ସଂଗ୍ରାମୀ ଥିଲେ:
୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା । ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ । ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।
ଉତ୍କଳ ସମ୍ମିଳନୀ:
ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭିରୁ !
ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ? (୧)
ତୋ ପୂର୍ବ ପୁରୁଷେ ବୀର ପଣିଆରେ
ଲଭିଥିଲେ କେତେ ଖ୍ୟାତି
ହାକିମ ନିକଟେ ଦୁଃଖ କହିବାକୁ କିମ୍ପା ଥରେ ତୋର ଛାତି (୨)
ଖଲିକୋର୍ଟର ରାଜା ହରିହର ମର୍ଦ୍ଦରାଜଙ୍କ ସୌଜନ୍ୟରେ ରମ୍ଭା ରାଜପ୍ରାସାଦରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ଵାରା ଗଂଜାମ ସମ୍ମିଳନୀ ଆହୂତ ହୋଇଥିଲା । ଯେଉଁଥରେ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ଆଲୋଚନା ହୋଇଥିଲା ଏବଂ
ଓଡ଼ିଆମାନେ ବାସ କରୁଥିବା ଅଂଚଳକୁ ଏକ ଶାସନାଧୀନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅଧିବେଶନରେ ଗଦାଧର ବିଦ୍ୟାଭୂଷଣ,ସଦାଶିବ ଶିବ ବିଦ୍ୟାଭୂଷଣ, ବଳରାମ ମହାରଣା, ନରସିଂହ ଦାସ, ମୟୂରଭଞ୍ଜର ମହାରାଜ, ରାଧାନାଥ, ଫକୀରମୋହନ, ମଧୁବାବୁ ପ୍ରମୁଖ ଯୋଗ ଦେଇଥିଲେ । ନେତାମାନେ ‘ ବିଶ୍ଵ ଉତ୍କଳ ଜୟ’ ଧ୍ୱନି ଦେଇଥିଲେ ।
୧୯୦୩ ଖ୍ରୀ.ରେଶ୍ୟାମସୁନ୍ଦର ରାଜଗୁରୁଙ୍କ ନେତୃତ୍ୱରେ ‘ଗଂଜାମ ଜାତୀୟ ସମିତି’ ଗଠନ କରାଯାଇ ଏକ ସଭା ଡକାଯାଇଥିଲା । ଯେଉଁଥିରେ ମଧୁବାବୁ, ଶଶିଭୂଷଣ ରାୟ, ରଘୁନାଥ ରାଓ, ଗୋପବନ୍ଧୁ ଦାସ, ରାମଚନ୍ଦ୍ର ଦାସ, ଫକୀରମୋହନ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଆମାନଙ୍କ ସ୍ୱାର୍ଥ ରକ୍ଷା ପାଇଁଏହି ସମ୍ମିଳନୀ ବେଶ୍ ସଫଳ ହୋଇଥିବାରୁ ମଧୁବାବୁ ଏହାକୁ ‘ଉତ୍କଳ ସମ୍ମିଳନୀ’ ଭାବେ ନାମିତ କରି ଏହାର ଅଧୂବେଶନ କଟକଠାରେ ବସିବ ବୋଲି ନିଷ୍ପତ୍ତି ନେଇଥିଲ। ୧୯୦୩ରେ ମାନ୍ଦ୍ରାଜଠାରେ ଅନୁଷ୍ଠିତ ଅଧିବେଶନରେ ମଧୁବାବୁ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରିବାକୁ ଦାବି ଜଣାଇଥିଲେ । କଂଗ୍ରେସ ଏହି ଦାବି ପୂର୍ଣ୍ଣଭାବେ ସ୍ଵୀକାର ନକରିବାରୁ କଂଗ୍ରେସ ସହିତ ସଂପର୍କ ତୁଟାଇ ଦେବାକୁ ମଧୁବାବୁ ନିଷ୍ପତ୍ତି ନେଇଥିଲେ।।
ଜାତିର ଉନ୍ନତି ହେବ କିରେ ଭାଇ ସ୍ବାର୍ଥକୁ ଜଗତ ମଣି
ଗୋଦର ଗୋଡ଼ରେ ମାଇଁସ ଲାଗିଲେ ଦେହର କି ଶୁଭ ଗଣି? (୮)
ଜାତିର ଉନ୍ନତି ସେ କାହିଁ କରିବ ସ୍ବାର୍ଥେ ଯା’ର ବ୍ୟସ୍ତ ମନ
ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ? (୯)
ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥୀ କଲେ
ଟାଣେ କିରେ ଗାଡ଼ି ଦନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ ? (୧୦)
ପରିଶେଷରେ ମଧୁବାବୁ କଟକଠାରେ “ଉତ୍କଳ ସମ୍ମିଳନୀ”ର ମହାସମାବେଶ କରିବାକୁ ନିଷ୍ପତ୍ତି ନେଇ ଳଥିଲେ । ଏହି ସମ୍ମିଳନୀକୁ ସାକାର କରିବା ପାଇଁ ସେ ୧୫.୧୦.୧୯୦୩ ରୁ ୨୪.୧୦.୧୯୦୩ ମଧ୍ୟରେ ଆଠଥର ପ୍ରସ୍ତୁତି କମିଟି ବସାଇଥିଲେ ।
ବିଶେଷକରି ସମ୍ମିଳନୀ ମଣ୍ଡପ, ଅର୍ଥ ବ୍ୟବସ୍ଥା, ଅତିଥିମାନଙ୍କୁ ଆମନ୍ତ୍ରଣ ସେମାନଙ୍କ ସତ୍କାର, ଅଭ୍ୟର୍ଥନା, କବି ଲେଖକ- ବିଶିଷ୍ଟ ବ୍ୟକ୍ତି – ଜମିଦାରମାନଙ୍କୁ ନିମନ୍ତ୍ରଣ ପ୍ରଦାନ, ସଭାପତି, ସଂପାଦକ, ସହକର୍ମୀମାନ୍ୟ ନାମ ତାଲିକା, ସହଯୋଗ କମିଟି ଗଠନ, ସରକାରଙ୍କ ସହିତ ଯୋଗାଯୋଗ, ପ୍ରଚାରପତ୍ର ପ୍ରସ୍ତୁତ ଓ ବଂଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏହି ସମ୍ମିଳନୀ ବାସ୍ତବରେ ଓଡ଼ିଶା ଓ ଓଡ଼ିଆମାନଙ୍କ ପାଇଁ ଏକ କ୍ରାନ୍ତିକାରୀ ଉଦ୍ୟମ ଥିଲା। ଅନ୍ୟାନ୍ୟ ଜାତିମାନଙ୍କ ସଂଗେ ଉତ୍କଳୀୟମାନଙ୍କ ଭ୍ରାତୃଗତ ସମ୍ବନ୍ଧ ପ୍ରତିଷ୍ଠା, ସାମାଜିକ ସଂସ୍କାର ନିମନ୍ତେ ସ୍ଥାୟୀ କମିଟି ଗଠନ, ଓଡ଼ିଆ ସାହିତ୍ୟର ଉନ୍ନତି ନିମନ୍ତେ କମିଟି ଗଠନ, ଦେଶୀୟ ଶିଳ୍ପର ଉନ୍ନତି ଓ ବାର୍ଷିକ ପ୍ରଦର୍ଶନୀର ବ୍ୟବସ୍ଥା, ବାଳକମାନଙ୍କୁ ସାହାଯ୍ୟ ଆଦି ବିଭିନ୍ନ ପ୍ରସ୍ତାବ ଏଥିରେ ଆଲୋଚିତ ଓ ଗୃହୀତ ହୋଇଥିଲା। ପରିଶେଷରେ ଉତ୍କଳ ସମ୍ମିଳନୀ କଟକରେ ଆହୂତ ହୋଇଥିଲା । ଏଥିରେ ଓଡ଼ିଶା ବିଭିନ୍ନ ରାଜନ୍ୟ ବର୍ଗଙ୍କ ମଧ୍ୟରେ କେଉଁଝର, ତାଳଚେର, ପାରିକୁନ୍ଦ, ଖଣ୍ଡପଡ଼ା, ମୟୂରଭଞ୍ଜ, ଆଠଗଡ଼, ଖଲ୍ଲିକୋଟ୍, ମଞ୍ଜୁଷା, ଜୟପୁର, କନିକା, ବାଲେଶ୍ଵର । ପୁଣି ଅନେକ ଭାଷା ସାହିତ୍ୟିକ, ବଦାନ୍ୟ ବ୍ୟକ୍ତି, ସ୍କୁଲ କଲେଜ ଅଧ୍ୟକ୍ଷ, କର୍ମଚାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ଧରାକୋଟ, ସୁରଙ୍ଗୀ, ପାରଳା, ଖରସୁଆ, ହିନ୍ଦୋଳ, ସୋନପୁର, ଖଣ୍ଡପଡ଼ା, ନରସିଂହପୁର, ବରପାଲିର ଜମିଦାରମାନେ ଯୋଗ ଦେଇଥିଲେ । ଅନୁପସ୍ଥିତି ଥିବା ମେଦିନୀପୁର, ସମ୍ବଲପୁର, ଗଂଜାମ, ଢେଙ୍କାନାଳ, ମଧୁପୁରର ରାଜାମାନେ ବାର୍ତ୍ତା ପଠାଇଥିଲେ । ଅନୁନ୍ୟ ୬୨ ଜଣ ଅତି ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ଶିକ୍ଷା, କୃଷି, ବାଣିଜ୍ୟ, ଅର୍ଥନୀତି, ଶିଳ୍ପ, ଗମନାଗମନ, ପ୍ରାକୃତିକ ବିପର୍ଯ୍ୟୟ, ପ୍ରାଚୀନକୀର୍ତି ସଂରକ୍ଷଣ, ଭାଷା ସାହିତ୍ୟର ଉନ୍ନତି, ଐତିହ୍ୟ-ଇତିହାସ, ସାମରିକ ବିଭବ, ଅଖଣ୍ଡତା, ନାରୀଶିକ୍ଷା, ଜଳସେଚନ, ଖଣି ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇଥିଲା । ସାହିତ୍ୟ ଓ ଭାଷାର ଉନ୍ନତି କଳ୍ପେ ରାଧାନାଥ, ଫକୀରମୋହନ, ମଧୁସୂଦନ ରାଓ, ବିଶ୍ଵନାଥ କର, ଅଭିରାମ ଇଂଜ, ନନ୍ଦ କିଶୋର ବଳ, ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ସଦସ୍ୟ ରୂପେ ବଛା ଯାଇଥିଲା ।
ଏହି ସମ୍ମିଳନୀକୁ ମଧୁବାବୁ ଓଡ଼ିଶାର ଜାତୀୟ ଜୀବନର ଆଲେଖ୍ୟ ଭାବେ ଗ୍ରହଣ କରିଥିଲେ । ଓଡ଼ିଆ ଭାଷୀମାନଙ୍କର ଏକତ୍ରୀକରଣ ଥିଲା ଏହାର ଆଭିମୁଖ୍ୟ । ୧୧.୦୨.୧୯୧୭ ମସିହାରେ କନିକା ରାଜା ଓ ମଧୁବାବୁ ଉତ୍କଳ ସମ୍ମିଳନୀର ଦ୍ବାଦଶ ଅଧିବେଶନପରେ କଲିକତାରେ ଭାରତ ସରକାରଙ୍କ ସେକ୍ରେଟେରୀଙ୍କୁ ଏକ ଦାବି ପତ୍ର ଦେଇଥିଲେ । ୧୯୨୦ ଖ୍ରୀ.ରେ ରାଜେନ୍ଦ୍ର ନାରାୟଣ ଇଂଜଦେଓ (କନିକା ରାଜା), ବିହାରର ସଚ୍ଚିଦାନନ୍ଦ ସିଂ ଇମ୍ପେରିଆଲ୍ କାଉନ୍ସଲରେ ଏକ ପ୍ରସ୍ତାବ ଆଣିଲେ ଯାହାକୁ ସୁରେନ୍ଦ୍ର ନାଥ ବାନାର୍ଜୀ, ମଧୁବାବୁ ସମର୍ଥନ ଜଣାଇଥିଲେ । ଓଡ଼ିଶା ପ୍ରଦେଶ ସଂପର୍କରେ ଏଥିରେ ମୁଖ୍ୟତଃ ଉଲ୍ଲେଖ ଥିଲା। ଏହି ପ୍ରସ୍ତାବ ପ୍ରତି ସରକାରଙ୍କ ହୋମ୍ ମେମ୍ବର ଉଇଲିୟମ୍ ଜନ୍ସେଣ୍ଟ ସହାନୁଭୂତିଶୀଳ ଥିଲେ । ୧୫.୧୦.୧୯୨୧ରେ ସୀମା ବିବାଦ ପ୍ରସଂଗ ନେଇ ପ୍ରାଦେଶିକ ଇଂଗ୍ରେସ କମିଟିର ଏକ ଅଧିବେଶନ ଆନ୍ଧ୍ରଠାରେ ବସିଥିଲା, ମାତ୍ର ଆନ୍ଧ୍ର ପ୍ରତିନିଧିମାନେ ସୀମା ବିବାଦ ସମାଧାନ ନେଇ ସହଯୋଗ କରିନଥିଲେ ।
ମଧୁବାବୁ ଜୟଘୋଷ କଲେ:-
ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହସ ପଡ଼ିବକି କେବେ ମନେ ? (୧୨)
ତୋହର ଜନନୀ ବୀର ପ୍ରସବିନୀ
ଧୂଳିରେ ପଡ଼ିଛି ଦେଖ
ଜନ ସମାଜରେ ଏ ମହୀମଧ୍ୟରେ କିପରି ଦେଖାଇ ମୁଖ । (୧୩)
ତୋ ପୂର୍ବ ପୁରୁଷ ସ୍ୱର୍ଗ ଧାମେ ଥାଇ ଭୋଗୁଛନ୍ତି ମନସ୍ତାପ ଜୀବନ କରି ବିସ୍ମରଣ କରୁଛୁ ତୁ ମହାପାପ ! (୧୪)
ତୋଷାମଦ ଛାଡ଼ିସ୍ବାର୍ଥ ପରିହରି ସତ୍ୟକୁ ଆଶ୍ରୟ କର
ଦୁଇ ଦିନ ପରେ ସ୍ବାଧୀନ ରାଷ୍ଟ୍ରରେ ମଙ୍ଗଳ ହୋଇବ ତୋର । (୧୫)
୧୯୦୮ରେ ‘ଅସନ୍ତୁଷ୍ଟ ଭାରତ- ଶିରୋନାମାରେ ମଧୁବାବୁ ଏକ ପ୍ରଚାରପତ୍ର ବିଲାତରେ ବାଣ୍ଟିଥିଲେ। ହାଉସ୍ ଅଫ କମନ୍ସର ୭୦ ଜଣ ସଦସ୍ୟଙ୍କ ସହିତ ଓଡ଼ିଶାର ଦୁର୍ଗତି ସଂପରେ ଆଲୋଚନା କରିଥିଲେ।
୧୫.୦୫. ୧୯୨୮ରେ ଭାରତର ସମ୍ବିଧାନ ପ୍ରଣୟନ ପାଇଁ ବମ୍ବେଠାରେ ଏକ ସର୍ବଦଳୀୟ କମିଟି ବସିଥିଲା। ଏଥିରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ସହ ମଧୁବାବୁ ଯୋଗ ଦେଇଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାକୁ ଏଥରେ ଦାବି କରାଯାଇଥିଲା । ସୁବାସ ଚନ୍ଦ୍ର ବୋଷ ଏହାକୁ ସମର୍ଥନ ଜଣାଇଥିଲେ ।
ଉତ୍କଳ ସମ୍ମିଳନୀ ର ସଭା ଅନେକ ଥର ବସିଛି ଯେଉଁଠି ମଧୁବାବୁଙ୍କ ଅବଦାନ ଅନେକ ରହିଛି।
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । କିନ୍ତୁ ସେହି କ୍ଷଣକୁ ଦେଖିବା ପାଇଁ ସେ ଆଉ ନଥିଲେ। ୨୮ ଅପ୍ରେଲ ୧୮୪୮ରେ କଟକ ଜିଲ୍ଲାର ସତ୍ୟଭାମାପୁରରେ ଜନ୍ମଲାଭ କରିଥିବା ମଧୁବାବୁ ୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ଶରୀର ତ୍ୟାଗ କରି ଅମରପୁର ବାହୁଡିଥିଲେ।
ମଧୁସୂଦନ ଦାସଙ୍କର ଜନ୍ମ ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ସାମାଜିକ ଚଳଣି ଅନୁସାରେ ତାଙ୍କ ପିତା ତାଙ୍କ ସହ ସମ୍ବନ୍ଧ ତୁଟାଇ ଦେଇଥିଲେ । ଏଣୁ ସେ ଗାଁ ବାହାରେ କୋଠିରିଟିଏ କରି ସେଠାରେ ବସବାସ କରୁଥିଲେ । ତାଙ୍କ ମା’ ପାର୍ବତୀ ଦେବୀ ତାଙ୍କ ପାଖକୁ ସକାଳେ ଓ ସଞ୍ଜରେ ଦେଖାକରି ସେକାଳର ଚଳଣି ଅନୁସାରେ ଗାଁ ମୁଣ୍ଡରେ ଥିବା ରସକୁଣ୍ଡ ପୋଖରୀରେ ଗାଧୋଇ ଘରକୁ ଆସୁଥିଲେ ।
ବାବର୍ଚ୍ଚିଖାନା
ମଧୁବାବୁ ଖ୍ରୀଷ୍ଟିଆନ ହେଲା ପରେ ତାଙ୍କ ପାଇଁ ମୁସଲମାନ ରାନ୍ଧୁଣିଆ ଜଣେ ତାଙ୍କ କୋଠିରେ ରାନ୍ଧୁଥିଲେ । ଏହି ଘରର ନାମ ବାବର୍ଚ୍ଚିଖାନା ।
ଶିକ୍ଷା
ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ଅବଧାନଙ୍କ ତତ୍ତ୍ୱାବଧାନରେ । ଚାଟଶାଳୀ ପଢ଼ା ଶେଷ କରି ୧୩ ବର୍ଷ ବୟସରେ ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ଇଂରାଜୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ତାଙ୍କ ପିତାମହୀ (ଆଇ) ଘୋର ଆପତ୍ତି କରିଥିଲେ। ତାଙ୍କର ଆଶଙ୍କା ଥିଲା ଯେ, ସେ ଇଂରାଜୀ ପଢିଲେ ‘କିରସ୍ତାନ ବା ଖ୍ରୀଷ୍ଟିଆନ’ ହୋଇଯିବ। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି) । ସ୍କୁଲରେ ପଢିବା ସମୟରେ କେତେକ ବର୍ଷ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ଗୋଛାଏ ବାଳର ଗଣ୍ଠିଥିଲା। ଦିନେ ଜଣେ ସହପାଠୀ ସେହି ଚୁଟିଟି କୌଶଳରେ କାଟି ପକାଇଲେ। ତାଙ୍କର ସେତେବେଳର ପୋଷାକ ମଧ୍ୟ ଅଦ୍ଭୁତ ଥିଲା, ନାଲି କନାରେ ତୁଳା ପଶି ଗୋଟାଏ ମିରଜେଇ କୁର୍ତ୍ତା; ସେଥିରେ ବୋତାମ ଲାଗୁ ନ ଥିଲା। କୁର୍ତ୍ତା ଦୁଇପଟେ କନାଧଡି ବା ସୂତାରେ ବନ୍ଧା ହୋଇଥାଏ।
ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ । କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ।
କଲିକତାରେ ଅମ୍ବିକା ପ୍ରସାଦ ହାଜିରା ନାମକ ବଙ୍ଗୀୟ ଖ୍ରୀଷ୍ଟିୟାନ ପାଦ୍ରୀଙ୍କ ସହିତ ସେ ପରିଚିତ ହେଲେ । ଅମ୍ବିକା ପ୍ରସାଦ ମଧୁସୂଦନଙ୍କର ଉଚ୍ଚଶିକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ଏ ଦିଗରେ ସାହାଯ୍ୟ କଲେ । ସେଠାରେ ମଧୁବାବୁ ଇଂରାଜୀ ସାହିତ୍ୟର ଏମ୍.ଏ. ପାସ କଲାପରେ କଲିକତାରେ କେତେକ ସ୍କୁଲରେ ଶିକ୍ଷକତା କଲେ । ତତ୍କାଳିନ କଲିକତାରେ କଲେଜ ପାଠ ପଢ଼ିବା ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ କରିବା ଦରକାର ପଡୁଥିଲା । ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ଏକ ଛାତ୍ର ସହାୟକ ପୁସ୍ତକ ‘ମଡେଲ କୋଶ୍ଚିନ୍ସ’ ରଚନା କରିଥିଲେ । ଗଣିତ ଓ ଭୂଗୋଳରେ ତାଙ୍କର ଭଲ ଦଖଲ ଥିଲା । ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ଛାତ୍ର ଛାତ୍ରୀମାନଙ୍କର ଅତି ପ୍ରିୟ ମଧୁବାବୁ ଇତି ମଧ୍ୟରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ । ନିଜ ପେଟପାଟଣା ପାଇଁ ଅନେକ ଓଡ଼ିଆ କଲିକତାରେ ଚାକିରି କରୁଥିଲେ । ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ ।
ନାରୀ ଶିକ୍ଷା ଅଧିକାର:
୧୯୧୩ ମସିହାରେ ଶୈଳବାଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତାଙ୍କର ପାଳିତ କନ୍ୟା ଶୈଳବାଳାଙ୍କ ନାଁ ରେ ନାମିତ କରିଥିଲେ। ମଧୁବାବୁଙ୍କ ପାଳିତ କନ୍ୟା ସୁଧାଂଶୁବାଳା ୧୯୨୧ରେ ଆଇନରେ ସ୍ନାତ୍ତକ ଲାଭ କରିଥିଲେ ଓ ମଧୁସୂଦନଙ୍କ ଉପଦେଶରେ ପାଟଣା ଉଚ୍ଚ ନ୍ୟାୟାଳୟରେ ଜୀବିକା ଆରମ୍ଭ ପାଇଁ ଦରଖାସ୍ତ ଦେଇଥିଲେ । ମାତ୍ର ଲିଙ୍ଗଗତ ବିଭେଦ ହେତୁ ତାଙ୍କ ଦରଖାସ୍ତକୁ ୨୦ ନଭେମ୍ବର ୧୯୨୧ରେ ନାମଞ୍ଜୁର କରାଯାଇଥିଲା[୬] । ନ୍ୟାୟାଳୟ ମତରେ ଲିଗାଲ୍ ପ୍ରାକ୍ଟିସ୍ନର୍ ଆକ୍ଟ୍ ଅନୁଯାୟୀ ମହିଳାମାନଙ୍କୁ ଏହି ସୁଯୋଗ ଦିଆ ଯାଇପାରିବ ନାହିଁ ଓ ଏହା ପାଇଁ ଆଇନର ସଂଶୋଧନ ଆବଶ୍ୟକ । ସେ ଏହା ବିରୁଦ୍ଧରେ ନଲଢ଼ିବାକୁ ନିଷ୍ପତି ନେଇଥିଲେ ମଧ୍ୟ ସେତେବେଳେ ସ୍ଥାନୀୟ ସରକାରର ମନ୍ତ୍ରୀମଣ୍ଡଳରେ ଥିବା ମଧୁବାବୁ ଏହା ସମ୍ବନ୍ଧରେ ଅଗଷ୍ଟ ୧୯୨୨ରେ ଭାଇସ୍ରୟ୍ଙ୍କ ପାଖକୁ ଏକ ଚିଠା ପଠାଇଥିଲେ । କେନ୍ଦ୍ର ବିଧାନ ସଭାର ସଭାପତି ସାର୍ ଫ୍ରେଡ଼୍ରିକ୍ ହ୍ୱାଇଟ୍ ଏହାକୁ ଗୁରୁତର ଭାବେ ନେଇଥିଲେ । ସଂଶୋଧନ ନିମନ୍ତେ ଅର୍ଥର ଆବଶ୍ୟକତା ଥିଲେ ମଧ୍ୟ, ଘଟଣାଟି ସାର୍ବଜନୀକ ଓ ମହିଳାମାଙ୍କଙ୍କର ସମ୍ମାନ ହୋଇଥିବାରୁ, ସୁଧାଂଶୁବାଳାଙ୍କଠାରୁ କୌଣସି ଅର୍ଥ ନିଆଯାଇନଥିଲା । ୧୯୨୩ ମସିହାରେ ଏହା ସମ୍ବନ୍ଧରେ ବିଲ୍ ଆଗତ ହୋଇଥିଲା ଓ ବିନା କୌଣସି ପ୍ରତିରୋଧରେ ଗ୍ରହଣ ହୋଇଥିଲା । ୧୨ ଡିସେମ୍ବର ୧୯୨୩ ମସିହାରେ ସୁଧାଂଶୁବାଳା ଆଇନଜ୍ଞ ଭାବେ ଗ୍ରହଣୀୟ ହୋଇଥିଲେ ଓ ମଧୁସୂଦନ ଦାସଙ୍କ ଅଧୀନରେ ପାଟଣା ଉଚ୍ଚନ୍ୟାୟାଳୟରେ କାମ ଆରମ୍ଭ କରିଥିଲେ।
ଶିଳ୍ପ ପ୍ରତିଷ୍ଠା:
କଟକର ସୁନାରୂପାର ତାରକସି କାମ ପାଇଁ ମଧୁସୂଦନ ଦାସ ନିଜ ବାସଘରେ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଇଥିଲେ । ଏଥି ସହିତ ସୁନା, ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ନିମନ୍ତେ ସେ ଦୈନିକ ବେତନ ଦେଉଥିଲେ । ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ ।
ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା:
କଟକରେ ସେ ୧୯୦୬ ରେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ । ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ । ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା କିନ୍ତୁ ଭଲ ଜିନିଷ ଦେବାକୁ ପ୍ରତିଶ୍ରୁତି ବଦ୍ଧ ଥିଲେ। ୧୯୨୫ରେ ଗାନ୍ଧୀଜୀ ଆସିଥିଲେ ଓ ମଧୁବାବୁଙ୍କ ପ୍ରଶଂସା କରିଥିଲେ।
ସାହିତ୍ୟ ରଚନା
ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା” । ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ ।
ସମାଜ ସଂସ୍କାର
ନିଜ ପଣ ଜେଜେମା କୃଷ୍ଣାଦେଈ ପତି ସୁଦର୍ଶନଙ୍କ ଚିତାନଳରେ ଝାସ ଦେଇ ସତୀ ହେବା ଘଟଣାରେ ମର୍ମାହତ ହୋଇ ସତୀ ଚଉରା ଗଢ଼ାଇଥିଲେ ।
ମହାପୁରୁଷଙ୍କ ମତ:
ଗାନ୍ଧୀଜୀ: ହରିଜନ ପତ୍ରିକାରେ ଉତ୍କଳ ଟ୍ୟାନେରୀ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଜବାହରଲାଲ ନେହେର:- ୧୩.୦୨.୧୯୫୩ ମସିହାରେ ଓଡ଼ିଆ ଆସିବା ସମୟରେ କହିଥିଲେ। ମଧୁବାବୁ ଥିଲେ ଜଣେ ପ୍ରଖ୍ୟାତ ଦେଶ ସେବକ। ମୋ ବାପାଙ୍କ ସହ ତାଙ୍କର ବନ୍ଧୁତା ଥିଲା।
ରାଜେନ୍ଦ୍ର ପ୍ରସାଦ:- ବିହାର ଷ୍ଟୁଡେଣ୍ଟସ କନଫରେନ୍ସରେ ୧୯୧୨ ମସିହାରେ ସାକ୍ଷାତ କରିଥିଲେ। ଜଣେ ନିର୍ଭୀକ ଦେଶ ସେବକ ଭାବରେ ମୁଁ ତାଙ୍କୁ ଜାଣେ ବୋଲି କହିଥିଲେ।
ଉତ୍କଳ ଗୈାରବ :
୧୮୯୭ ରେ ବ୍ରୈଟେନରେ ଓଡ଼ିଶାର ଅଳଙ୍କାର ପ୍ରଦର୍ଶିତ କରିଥିଲେ। ସେଠାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ପାଇଁ ଦାବି ଜଣାଇ ଥିଲେ। ସେଠୁ ଫେରିଲା ପରେ ଉତ୍କଳ ଦୀପିକା ରେ ଉତ୍କଳ ଗୈାରବ ମଧୁସୁଦନ ବୋଲି ଖବର ପ୍ରକାଶିତ ହୋଇଥିଲା।
ଲିଭିଗଲା ମହାଦୀପ
ଉତ୍କଳର ଜନସାଧାରଣଙ୍କ ମନରୁଲିଭି ନ ଥାଏ ଭୂମିକମ୍ପର ପ୍ରଭାବ । ଏତେବେଳେ ଦୈନିକ ଖବରକାଗଜ ‘ସମାଜ’ରୁ ଖବର ପଢ଼ି ଆତଙ୍କିତ ହୋଇ ଉଠିଲେ ସଭିଏଁ । ସେହି ମହାଦ୍ରୁମ ଉତ୍କଳର ବରପୁତ୍ର ମଧୁସୂଦନ ଦାସ ବର୍ତ୍ତମାନ ରୋଗାକ୍ରାନ୍ତ । ତାଙ୍କ ଅନ୍ତନଳୀରେ ଘା’ ହୋଇଥିବାରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ପରେ ତାଙ୍କର ଜୀବନ ଦୀପ ଧୀରେ ଧୀରେ ନିର୍ବାପିତ ହେବାକୁ ଲାଗିଲା । ୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କ ଆତ୍ମ। ମର ଶରୀର ତ୍ୟାଗ କରି ଅମରପୁର ବାହୁଡ଼ିଲା।
ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ –
“ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ
ଉତ୍କଳ ମାତାର ଯୋଗ୍ୟ ସନ୍ତାନ
ଦେଲ ଉତ୍କଳଙ୍କୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ!”