ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ଯୁଷିତ ବନ୍ଧପାରି ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରହିଛି କର୍କାମସ୍କା ଗାଁ। ଯେଉଁ ଗାଁକୁ ଭଲ ରାସ୍ତା ନାହିଁ। ସେଠାରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ବିଜୁଳି କୁ କିଏବା ପଚାରେ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏହି ଆଦିବାସୀଙ୍କ କର୍କାମସ୍କା ଗାଁରେ।ସୂଚନା ମୁତାବକ, କର୍କାମସ୍କା ଗାଁରେ ୬୪ ଘର କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ସ୍ବାଧୀନତା ପୂର୍ବରୁ ବସବାସ କରି ଆସୁଛନ୍ତି। ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ବ୍ଲକ୍ ମୁଖ୍ୟାଳୟ ଠାରୁ ଏହି ଗାଁ ୨୧ କିମି ଦୂରରେ ରହିଥିବା ବେଳେ ବନ୍ଧପାରି ପଞ୍ଚାୟତ କାର୍ଯ୍ୟାଳୟରୁ ୬ କିମି ଦୂରରେ ରହିଛି।ସେହିପରି ବିଶ୍ଵନାଥପୁର-ମୂଷାନାଳ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଠାରୁ ଏହି ଗାଁ ମାତ୍ର ସାଢ଼େ ୪ କିମି ଦୂରରେ ରହିଛି। ୨୦୧୦ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗାଁକୁ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ତାହା ଅତି ନିମ୍ନ ମାନର କାମ ହୋଇ ଥିବାରୁ ମାତ୍ର କିଛି ମାସ ମଧ୍ୟରେ ତାହା ବର୍ଷାରେ ଧୋଇହୋଇ ବର୍ତ୍ତମାନ ପାଦଚଲା ରାସ୍ତା ଅଛି। ଗାଁକୁ ଆମ୍ବୁଲାନ୍ସ ଯିବା ଦୂରର କଥା ବାଇକ୍ ଯିବା କଷ୍ଟକର ହୋଇପଡୁଛି। ସେହିପରି ଗାଁରେ ୬୪ ଜଣ ଆଦିବାସୀ ପିଲାଙ୍କ ମଧ୍ୟରୁ ୨୨ ଜଣ ବିଭିନ୍ନ ଆବାସିକ ସ୍କୁଲରେ ରହି ପାଠ ପଢୁଥିବା ବେଳେ ୬ ଜଣ ୫ମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ବସ୍ତାନିରେ ତୋରି ପଡ଼ିଥିଲା। ଗାଁରେ ସ୍କୁଲ ନଥିବା ଯୋଗୁଁ ୩ କିମି ଦୂର ଜଙ୍ଗଲୀ ରାସ୍ତାରେ ବାଲିସରା କିମ୍ବା ୬କିମି ଦୂର ତେନ୍ତୁଳିପଙ୍ଗା ପ୍ରାଥମିକ ବିଦ୍ୟାଳୟକୁ ପଢ଼ିଯିବା ସମ୍ଭବ ହେଉନାହିଁ।ଯାହା ଫଳରେ ୩୬ ପିଲା ପଡ଼ିବାର ଇଚ୍ଛାଶକ୍ତି ଥିଲେ ମଧ୍ୟ ଜଙ୍ଗଲ ରାସ୍ତାରେ ସ୍କୁଲ ଯିବା ସମ୍ଭବ ହେଉନାହିଁ।ଗାଁ ଲୋକଙ୍କ ବାରମ୍ବାର ଦାବି ପରେ ଗାଁରେ ସ୍କୁଲ କୋଠା ନିର୍ମାଣ ପାଇଁ ୨୦୨୩ରେ ରାଜସ୍ବ ନିରୀକ୍ଷକ ଗାଁକୁ ଆସି ଜାଗା ଚିହ୍ନଟ କରିଥିଲେ। କିନ୍ତୁ ଦୁଇ ବର୍ଷ ପରେ ବି କୌଣସି ସ୍କୁଲ କୋଠା ନିର୍ମାଣ ହୋଇ ପାରିନାହିଁ।ଏହାକୁ ନେଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ଗାଁକୁ ଯାଇ ୩୬ ଆଦିବାସୀ ପିଲାଙ୍କୁ ବିଭିନ୍ନ ହଷ୍ଟେଲ ସ୍କୁଲରେ ଥଇଥାନ କରିଥିବା ଗ୍ରାମବାସୀ କହିଛନ୍ତି।ଗାଁରେ ୨୦୧୭ମସିହାରେ ବିଦ୍ୟୁତ୍ ସଂଯୋଗ ହୋଇଥିଲା । କିନ୍ତୁ ଗୋଟିଏ ମାସ ବିଜୁଳି ଆଲୁଅ ଦେଖିବା ପରେ ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।ସେହିଦିନଠାରୁ ଗାଁରେ ବିଜୁଳି ନାହିଁ। ବିଦ୍ୟୁତ୍ ଉପଭୋକ୍ତା ଅନ୍ଧାରରେ ଦିନ କାଟୁଛନ୍ତି। ଗାଁର ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିନାହିଁ। ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ଠିକ ଭାବେ କାମ ଯୋଗାଇ ଦିଆଯାଉ ନଥିବାରୁ ପରିବାର ପ୍ରତିପୋଷଣ ପାଇଁ ସେମାନେ ପୋଡୁ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜଙ୍ଗଲୀ ଜୀବଜନ୍ତୁ ଚାଷକୁ ନଷ୍ଟ କରିବା ଫଳରେ ପରିବାର ପ୍ରତିପୋଷଣରେ ଅନେକ ସମସ୍ୟା ଭୋଗୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଏହି ଗାଁ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।





