ମୁଣ୍ଡରେ ହାତଦେଇ ବସିଛି ଚାଷୀ, ପ୍ରଶାସନିକ ଅଧିକାରୀଙ୍କ ଦେଖା ଦର୍ଶନ ନାହିଁ
କେସିଙ୍ଗା,୧୭/୮ : କିଛି ଦିନ ତଳେ ବର୍ଷା ଆସି କଳାହାଣ୍ଡିରେ ତାଣ୍ଡବ ରଚି ଚାଲି ଯାଇଛି । ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେସିଙ୍ଗା ବ୍ଲକର ହାତିଖୋଜ ପଞ୍ଚାୟତ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଏହି ପଞ୍ଚାୟତକୁ ସଂଯୋଗ କରୁଥିବା ପିପୋଲ ପଦର ଛକ – ଜୋରାଡବରା ଛକ ରାସ୍ତା ର ପଥରରଣ୍ଡି ରାସ୍ତା ବନ୍ୟା ପାଣିରେ ଧୋଇହୋଇ ଗାଁର ଗୋପାଳ ହେର୍ଣ୍ଣା, ନକୁଳ ହେର୍ଣ୍ଣା, ଅର୍ଜୁନ ସାହୁ, ରାଜିବ ଗହିର ଆଦିଙ୍କ ଚାଷ ଜମିରେ ମାଡି ଯାଇଛି । ଯାହା ଫଳରେ ଚାଷ ନଷ୍ଟ ହେବାସହ ଚାଷଜମି କ୍ଷତିଗ୍ରସ୍ଥ ହୋଇଛି ।
ରାସ୍ତା କଟି ଯାଇଥିବା ଯୋଗୁଁ ଗମନା ଗମନରେ ବାଧା ସୃଷ୍ଟି ହୋଇଛି । ଏପରି ସମୟରେ କୌଣସି ସରକାରୀ ଅଧିକାରୀଙ୍କ ଦେଖା ଦର୍ଶନ ନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ତୁରନ୍ତ ରାସ୍ତା ମରାମତି କରିବା ସହ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।