ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ୩୬ତମ ବାର୍ଷିକ ଉତ୍ସବ 

ନିଜର ସନ୍ତାନ ମାନଙ୍କୁ ସଂସ୍କାର ଦେଇ ଗଢି ତୋଳିବା ପାଇଁ ପ୍ରତ୍ୟେକ ଅବିଭାବକ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ :ମୁଖ୍ୟ ବକ୍ତା ଶ୍ରୀ ଚନ୍ଦ୍ରାକର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ୩୬ ତମ ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇଯାଇଛି। ସମୟ ନିର୍ଘଣ୍ଟ ଅନୁଯାୟୀ ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ସରସ୍ୱତୀ ଶିଶୁ ମନ୍ଦିର ପରିସର ଅବିଭାବକ ଓ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ୩୬ ତମ ବାର୍ଷିକ ଉତ୍ସବ।

ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ସାରଥି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମ୍ପାଦକ ଅଜୟ କୁମାର ନାଏକ, ଯୁଗ୍ମ ସମ୍ପାଦକ ରୋହିତ ସେଠୀ, କୋଷାଧ୍ୟକ୍ଷ ହେମନ୍ତ ସାହୁ ଓ ମୁଖ୍ୟବକ୍ତା ଭାବରେ ପଶ୍ଚିମ ଓଡିଶାର ପର୍ଯ୍ୟାବରଣ ପ୍ରାନ୍ତ ସଂଯୋଜକ କାମତା ପ୍ରସାଦ ଚନ୍ଦ୍ରାକର ଯୋଗଦାନ କରି ନିଜର ସନ୍ତାନ ମାନଙ୍କୁ ସଂସ୍କାର ଦେଇ ଗଢି ତୋଳିବା ପାଇଁ ପ୍ରତ୍ୟେକ ଅବିଭାବକ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ବୋଲି ମାର୍ଗଦର୍ଶନ ଦେଇଥିଲେ।

ନର୍ଲା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଅଜୟ କୁମାର ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ନାୟକ ମଞ୍ଚାସୀନ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିବା ବେଳେ, ଅନୁଷ୍ଠାନର ପ୍ରଧାନ ଗୁରୁଜୀ ଶ୍ରୀ ନାଏକ ବିବରଣୀ ପଠନ କରିଥିଲେ।

ଇତ୍ୟବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ତମ ଛାତ୍ର ଭାବରେ ଅଷ୍ଟମ ଶ୍ରେଣୀର ଛାତ୍ର ଅମୀୟ ରଞ୍ଜନ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। ଯୁବ ଉଦ୍ୟୋକ୍ତା ବିମଳ କୁମାର କେଡିଆ ଉତ୍ତମ ଛାତ୍ର ପାଇଁ ୩୧୦୦ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି। ଇତ୍ୟବସରରେ ଅତିଥି ବୃନ୍ଦ ଙ୍କ କରକମଳ ରେ ପ୍ରାଚୀର ପତ୍ରିକା କମଳ କଳିକା ଉନ୍ମୋଚନ କରାଯାଇଥିଲା।

ଅପରାହ୍ନ ୨.୩୦ ରୁ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ଦୁଲୁକି ଉଠିଥିଲା। ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ତପନ କୁମାର ଭୋଇଙ୍କ ରଚିତ ନାଟକ “ଯା ନାମେ ଏ ଦେଶ ଭାରତ ବର୍ଷ” ବେଶ ଆକର୍ଷଣୀୟ ହୋଇ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା।ଛାତ୍ରଛାତ୍ରୀ ମାନେ କ୍ରମାନ୍ୱୟରେ ଉଚ୍ଚ କୋଟୀର ମଞ୍ଚ ସଂଯୋଜନା କରିଥିଲେ। ସମସ୍ତ ଆଚାର୍ଯ୍ୟ ଆଚର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.