କଳାହାଣ୍ଡିର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଆଲୋଚନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ରୋଡ଼ରୁ ଭବାନୀପାଟଣା ଦେଇ ଜୁନାଗଡ଼ ପର୍ଯ୍ୟନ୍ତ ରେଳ ସଂଯୋଗକୁ ଇତିମଧ୍ୟରେ ଦଶବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏହି ରେଳପଥର ସମସ୍ୟା ଦୂର ହେଉନାହିଁ। ଏପରିକି ଯେଉଁ ରେଳ ଚଳାଚଳକୁ ନେଇ ଜିଲ୍ଲାବାସୀ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ ରେଳ ବିଭାଗର ଅମନଯୋଗିତା ଯୋଗୁଁ ସେଇ ଲୋକଙ୍କ ଉତ୍ସାହ ଧିରେ ଧିରେ ମରିଯିବାକୁ ବସିଲାଣି। କାରଣ ଏହି ରେଳପଥ ଦେଇ ସିଧାସଳଖ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଜୁନାଗଡ଼-ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ ଏବେ କେବଳ ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ ରୋଡ଼କୁ ବାଦ ଦେଲେ ଆଉ କେଉଁଠି ରହଣୀ କରୁନାହିଁ। ସେଥିମଧ୍ୟରୁ ଜିଲ୍ଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାସେଞ୍ଜର ହଲଟ କୁହାଯାଉଥିବା ରାମଚନ୍ଦ୍ରପୁରଠାରେ କୋଭିଡ ସମୟରୁ ଏହାର ରହଣୀ ବନ୍ଦ କରିଦିଆଯାଇଥିବାରୁ ଲାଞ୍ଜିଗଡ଼, ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ସମେତ ସଦର ବ୍ଲକର ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଏହି ଏକ୍ସପ୍ରେସ ଟ୍ରେନ ରହଣୀ ବାଦ ପଡ଼ିବା ପରେ ଲୋକେ ଟ୍ରେନ ଯାତ୍ରା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଧିରେ ଧିରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଅଞ୍ଚଳରେ ଏକ ଆନ୍ଦୋଳନାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି। ଏପରିକି ଅଞ୍ଚଳର ଲୋକେ ସବୁଆଡୁ ନିରାଶ ହେବାପରେ ଆଜି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ସେହିପରି ଜନସଂଖ୍ୟା ଦୃଷ୍ଟିରୁ ରାମଚନ୍ଦ୍ରପୁରକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ କରିବା ଓ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି। କଳାହାଣ୍ଡି ରେଳଯାତ୍ରୀ ସଂଘ, ରାମଚନ୍ଦ୍ରପୁର ୟୁନିଟ ତରଫରୁ କିଶୋର କୁମାର ପୁରୋହିତ, ସୁଶୀଲ କୁମାର ବାଗ, ପ୍ରଭାତ ରଞ୍ଜନ ବେହେରା, ସୁରେନ୍ଦ୍ର ମାଝୀ, ଚନ୍ଦ୍ରଧ୍ଵଜ ମାଝୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। କଳାହାଣ୍ଡି ରେଳଯାତ୍ରୀ ସଙ୍ଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଯାଇଥିବାବେଳେ କେସିଙ୍ଗା ୟୁନିଟର ସଭାପତି ବଣ୍ଟି ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ। ସେହିପରି ଏହି ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ରେଳ ମଣ୍ଡଳ ପ୍ରବନ୍ଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିମଧ୍ୟରୁ ରାମଚନ୍ଦ୍ରପୁର ଭଳି ଦେପୁର, କୁଟ୍ରୁଖମାର ପାସେଞ୍ଜର ହଲଟରେ ଟ୍ରେନ ରହଣୀ, ଭବାନୀପାଟଣା ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, କେସିଙ୍ଗା ଦେଇ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ ଚଳାଚଳ, କେସିଙ୍ଗା ଷ୍ଟେସନର ଉନ୍ନତିକରଣ ଆଦି ବିଭିନ୍ନ ଦାବି ସମ୍ପର୍କରେ ଅଧ୍ୟକ୍ଷ ଡ. ନିଆଲ ମଣ୍ଡଳ ପ୍ରବନ୍ଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବିପତ୍ର ଗ୍ରହଣ ପରେ ସେସବୁର ଯଥାର୍ଥତା ରହିଛି ବୋଲି ସ୍ୱୀକାର କରିବା ସହିତ ସେସବୁର ସମାଧାନ ପାଇଁ ରେଳ ବିଭାଗ ଯତ୍ନବାନ ହେବ ବୋଲି ପ୍ରକାଶ କରିଥିଲେ। ଏହାପରେ ପ୍ରତିନିଧି ଦଳ ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଗାରିମା ତିୱାରୀଙ୍କୁ ସାକ୍ଷାତ କରି ରାମଚନ୍ଦ୍ରପୁରରେ ଜୁନାଗଡ଼-ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ ଓ ରାୟପୁର-ଜୁନାଗଡ଼- ରାୟପୁର ପାସେଞ୍ଜର ଟ୍ରେନ ରହଣୀ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ଅପରପକ୍ଷରେ ଏହି ପ୍ରତିନିଧି ଦଳ ଲୋକସଭା ସାଂସଦ ମାଳବିକା ଦେବୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ପ୍ରକାଶ ଥାଉକି, ଜିଲ୍ଲାବାସୀଙ୍କ ଏହି ଦାବିକୁ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଥିବାବେଳେ ଲୋକସଭା ସାଂସଦ ମାଳବିକା ଦେବୀ ମଧ୍ୟ ସକରାତ୍ମକ ପଦକ୍ଷେପ ନେଇଥିବା ଜଣାପଡିଛି।





