ହୃଦ୍‌ଘାତରେ ହରିଣର ମୃତ୍ୟୁ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ସଂରକ୍ଷିତ ବନ୍ୟାଞ୍ଚଳର ରାଣିବନ୍ଧ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ହରିଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛି । ଖବରରୁ ପ୍ରକାଶ ନିୟମଗିରି ପାହାଡରୁ ଗୋଟିଏ ହରିଣ କୌଣସି କାରଣ ବଶତଃ ଗାଁ ମୁହାଁ ହୋଇ ରାଣିବନ୍ଧ ଗ୍ରାମରେ ପ୍ରବେଶ କରିଥିଲା । ଗ୍ରାମବାସୀମାନେ ଉକ୍ତ ହରିଣକୁ କାବୁ କରିଥିଲେ । ହେଲେ ହରିଣଟି ମାତ୍ରାଧିକ ଖରାରେ ଦୌଡି ଦୌଡି ଆସିଥିବାରୁ ଅଚେତ ଅବସ୍ଥାକୁ ଆସି ଯାଇଥିଲା । ଗ୍ରାମାବାସୀମାନେ ହରିଣ ଉଦ୍ଧାର ସଂକ୍ରାନ୍ତରେ ବନବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନପାଳ ହେମ କୁମାର ବେହେରା ଏବଂ ବନରକ୍ଷୀ ସୁମିତ୍ରା ସାହୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଭ୍ରାମ୍ୟମାଣ ଚିକିତ୍ସା ଦଳକୁ ଯୋଗାଯୋଗ କରିଥିଲେ । ଚିକିତ୍ସାଦଳ ହରିଣଟିର ଚିକିତ୍ସା ଜାରି ରଖିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଯାଇଥିଲା । ଭାରପ୍ରାପ୍ତ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡ. ରେବତୀ ରମଣ ମହାନ୍ତିଙ୍କ ତତ୍ୱାବଧନାରେ ହରିଣର ଶବ ବ୍ୟବଛେଦ କରାଯାଇଛି । ବ୍ୟବଛେଦ ପରେ ମୃତ ହରିଣକୁ ବନ କର୍ମଚାରୀ ଚାଟିକୋଣା ନର୍ସରି ମଧ୍ୟରେ ପୋତି ଦେଇଛନ୍ତି । ହରିଣଟିର ଆନୁମାନିକ ବୟସ ତିନିବର୍ଷ ହୋଇଥିବା ବେଳେ ସେ ଜଙ୍ଗଲରୁ ଗାଁକୁ ଦୌଡି ଦୌଡି ଆସିଥିବା ସାଙ୍ଗକୁ ଲୋକେ ତାକୁ ଧରିଦେଇଥିଲେ । ଏଥିରେ ହରିଣଟି ଭୟଭିତ ହୋଇ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଛି ବୋଲି ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.