ଲାଞ୍ଜିଗଡ଼ରେ ଥମୁନି ଦାଦନ ଦୁଃଖ, ମୃତ୍ୟୁର ୩ଦିନ ପରେ ଗାଁକୁ ଫେରିଲା ଶବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଦାଦନ ଦୁଃଖ ପିଛା ଛାଡ଼ିବାର ନାମ ନେଉନାହିଁ। ବିଭିନ୍ନ ସମୟରେ ଏହି ବ୍ଲକରେ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥାଏ। ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ତାଙ୍କ ଗାରେ ପହଞ୍ଚିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସ୍ୱତେ ମଧ୍ୟ ଦୁର୍ଗମ ତଥା ଗ୍ରାମାଞ୍ଚଳ ମାନଙ୍କରେ ଆବଶ୍ୟକ କର୍ମ ନିଯୁକ୍ତି ପହଞ୍ଚିପାରୁନି ଯାହାଫଳରେ ପେଟ ପାଟଣା ତଥା ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଅନେକ ଯୁବଙ୍କ ମୃତ୍ୟୁ ଘଟୁଥିବା ବେଳେ ମଙ୍ଗଳବାର ପୁଣି କେରଳରୁ ଜଣେ ଶ୍ରମିକଙ୍କ ଶବ ନିଜ ଭିଟାମାଟିକୁ ପହଞ୍ଚିଛି।

ମୃତକ ଜଣକ ହେଲେ ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜାମ ଗାଁର ସନାଙ୍ଗ ମାଝୀଙ୍କ ପୁଅ ବିସ୍ମ ମାଝୀ (୨୯)। ସୂଚନାଯୋଗ୍ୟ ବିସ୍ମ କିଛି ମାସ ତଳେ ଗାଁ ଲୋକଙ୍କ ସହିତ ପେଟ ପାଟଣା ପାଇଁ କେରଳର ତ୍ରିଶୂରରେ ଏକ କ୍ରସରରେ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଗତ ୩୧ ତାରିଖ ରବିବାର ଦିନ କୌଣସି କାରଣ ବଶତଃ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୃତ ଦେହ ଗାଁକୁ ପହଞ୍ଚିଥିଲା।

ମୃତ ବିସ୍ମ ପରିବାରରେ ଏକ ମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ତାଙ୍କର ୩ ବର୍ଷର ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମତା ରହିଛନ୍ତି। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗାଁ ନିକଟସ୍ଥ ସ୍ମଶାନରେ ଅନ୍ତିମ ସତ୍କାର କରାଯାଇଛି। ବିସ୍ମ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରବର୍ଗଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.