ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁରୁବାର ମାରଓ୍ବାଡି ସମ୍ମେଳନର ଏକ ପ୍ରତିନିଧି ମଣ୍ଡଳୀ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ସାକ୍ଷାତ ଆଲୋଚନା କରି ରୁପ୍ରାରୋଡରେ ପୋଲିସ ଆଉଟ ପୋଷ୍ଟ ସ୍ଥାପନ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରୁପ୍ରାରୋଡ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳାକୁ ଆହୁରି ସୁଦୃଢ କରିବା ପାଇଁ ପୋଲିସ ଆଉଟ୍ ପୋଷ୍ଟ ଜରୁରୀ ବୋଲି ପ୍ରତିନିଧି ମଣ୍ଡଳୀ ମତ ପ୍ରକାଶ କରିଥିଲେ। ସେହିପରି ଅଞ୍ଚଳରେ ସମ୍ପ୍ରତି ଘଟିଥିବା ଦୁଇଟି ଲୁଟ୍ ଓ ଚୋରି ଘଟଣା, ଯାହାର ତଦନ୍ତ ଚାଲିଛି, ସେସବୁ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ମାମଲାଗୁଡ଼ିକର ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଏସପି କହିଥିବା ଜଣାପଡିଛି। ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ଅଧ୍ୟକ୍ଷ ଡ଼ଃ. ସୁଭାଷ ଚନ୍ଦ୍ର ଅଗ୍ରୱାଲ, ପ୍ରାନ୍ତୀୟ ସଚିବ ସନ୍ତୋଷ କୁମାର ଅଗ୍ରୱାଲ, ପ୍ରାନ୍ତୀୟ ମଣ୍ଡଳୀୟ ଉପାଧ୍ୟକ୍ଷ ରମେଶ ଜୈନ, ରୂପ୍ରାରୋଡ ଶାଖା ସଚିବ ସମିତ କୁମାର ଅଗ୍ରୱାଲ, ସଦସ୍ୟ ସଞ୍ଜୟ ଅଗ୍ରୱାଲ, ଶମ୍ଭୁ ଅଗ୍ରୱାଲ, ଅମିତ ଅଗ୍ରୱାଲ, ଲାଞ୍ଜିଗଡ଼ର ପବନ ଅଗ୍ରୱାଲ, ଦିବେଶ ଅଗ୍ରୱାଲ ଓ ରିଙ୍କୁ ଅଗ୍ରୱାଲ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ପ୍ରାନ୍ତୀୟ ମଣ୍ଡଳୀୟ ଉପାଧ୍ୟକ୍ଷ ତଥା ଭବାନୀପାଟଣା ବାସିନ୍ଦା ରମେଶ ଜୈନ ଓ ପ୍ରାନ୍ତୀୟ ସଚିବ ସନ୍ତୋଷ କୁମାର ଅଗ୍ରୱାଲଙ୍କ ବିଶେଷ ସହଯୋଗରେ ସମ୍ଭବ ହୋଇପାରିଥିଲା।





