ବାଲେଶ୍ୱରରେ ଧୁମଧାମରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ବନ ମହୋତ୍ସବ: ୫୦୦୦ ଚାରା ଲଗାଇବାର ଲକ୍ଷ୍ୟଧାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ଜିଲ୍ଲାର ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଆଜି ବାଲେଶ୍ୱର ଜିଲ୍ଲା ବନ ବିଭାଗ ପକ୍ଷରୁ ସଦର ବ୍ଲକ୍ ଗୁଡୁ ପଞ୍ଚାୟତର ଶେଖପାଟଣା ଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ – ୨୦୨୬ ମହାସମାରୋହ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରତୀକ ପ୍ରକାଶ ଇନ୍ଦଲକର, ଉପ-ଜିଲ୍ଲାପାଳ ଶିବ ମାଲବ୍ୟ, ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ, ସହକାରୀ ବନ ସଂରକ୍ଷକ କଟିନି ସେଠି, ସରପଞ୍ଚ କମଳିନୀ ପାତ୍ର ଏବଂ ବନାଞ୍ଚଳ ଅଧିକାରୀ ମାନୁୱାର ଖାଁ ପ୍ରମୁଖ ଯୋଗଦେଇ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଅତିଥିମାନେ କହିଲେ, “ଆଗାମୀ ପିଢ଼ିକୁ ପ୍ରଦୂଷଣମୁକ୍ତ ପରିବେଶ ଦେବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ରାସ୍ତା। ପ୍ରତ୍ୟେକ ନାଗରିକ ଅତି କମରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ଆବଶ୍ୟକ”।କାର୍ଯ୍ୟକ୍ରମରେ ଅତିଥି, ବନ ବିଭାଗ ଅଧିକାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶେଖପାଟଣା ପରିସରରେ ପ୍ରାୟ ୨୦୦ଟି ମୂଲ୍ୟବାନ ବୃକ୍ଷ ଚାରା ରୋପଣ କରାଯାଇଥିଲା। ବନ ବିଭାଗ ପକ୍ଷରୁ ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଏହି ସ୍ଥାନରେ ମୋଟ ୫୦୦୦ ଚାରା ରୋପଣ କରିବା ପାଇଁ ବିଶେଷ ଯୋଜନା କରାଯାଇଛି। ଜିଲ୍ଲା ବନ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ବିଭାଗର ସମସ୍ତ କର୍ମଚାରୀଙ୍କ ସହ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ସବୁଜ ଓ ସୁନ୍ଦର ପରିବେଶ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.