ଓଡିଆ ବାର୍ତ୍ତା/ ବଲାଙ୍ଗୀର (ଲିଙ୍ଗରାଜ ମିଶ୍ର): ମହାଶକ୍ତି ଫାଉଣ୍ଡେସନରର ଆୟୋଜନରେ ମଙ୍ଗଳବାର ଗୁଡ଼ଭେଲା ବ୍ଲକ ସମ୍ମିଳନୀ କକ୍ଷରେ “ସମନ୍ୱୟ ଓ ଯୋଜନା ଅଭିମୁଖୀ କରଣ” ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଉଦ୍ଦେଶ୍ୟ ଥିଲା ବିଭିନ୍ନ ସରକାରୀ ବିଭାଗ, ପଞ୍ଚାୟତ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସରକାରୀ ଯୋଜନାର ସୁଫଳ ଅଧିକରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା। ବୟୋଜ୍ୟେଷ୍ଠ ଅଂଶଗ୍ରହଣକାରୀ ଭାବସିଂ ମାଝୀ, ଯାମୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପ ପ୍ରଜ୍ଜଳନ ପୂର୍ବକ ବୈଠକର ଶୁଭ ଉଦଘାଟନ କରିଥିଲେ। ଏସ.ବି.ଆଇ ଫାଉଣ୍ଡେସନ ଏବଂ ରିଲାଏନ୍ସ ଫାଉଣ୍ଡେନ ର ସହାୟତା ରେ ଗୁଡଭେଲା ବ୍ଲକ ରେ ଚାଲିଥିବା ଜଳବାୟୁ ସହଣୀ ପ୍ରାକୃତିକ କୃଷି ସମ୍ପର୍କୀୟ କାର୍ଯ୍ୟକ୍ରମ ବିଷୟରେ ମହାଶକ୍ତି ଫାଉଣ୍ଡେସନ ର କର୍ମୀ ମାନେ ଉପସ୍ଥାପନା କରିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବୈଠକରେ ଯୋଗଦେଇ ସମନ୍ୱିତ ପ୍ରୟାସ ମାଧ୍ୟମରେ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ବୈଠକରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁଧୀର ପାଢ଼ୀ, ରିଲାଏନ୍ସ ଫାଉଣ୍ଡେସନର ପ୍ରତିନିଧି ଅସିତ ପୁରୋହିତ, ଜାମୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବସିଂ ମାଝୀ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସୁପରଭାଇଜର, କୃଷି ବିଭାଗର ପ୍ରତିନିଧି, ଆକାଙ୍କ୍ଷୀ ବ୍ଲକ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ସମେତ ମହାଶକ୍ତି ଫାଉଣ୍ଡେସନର ସୁଶାନ୍ତ ଦାସ, ହୃଷୀକେଶ ସାହୁ, ସୀମାଞ୍ଚଳ ପଟ୍ଟନାୟକ ଓ ଶାନ୍ତନୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଗୁଡ଼ଭେଲା ବ୍ଲକରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେୟାର, ଏଫ ଇ ଏସ, ହର୍ଷା ଟ୍ରଷ୍ଟ ଏବଂ ଗ୍ରୀନ୍ ଗୁଡ଼ଭେଲାର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ। ସେମାନେ ଏଭଳି ସମନ୍ୱୟ ବୈଠକର ଆୟୋଜନକୁ ସ୍ୱାଗତ କରିବା ସହ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ହେଲେ ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚିପାରିବ ବୋଲି ମତ ପ୍ରକାଶ କରିଥିଲେ।ବୈଠକରେ କୃଷି, ଜୀବିକା, ମହିଳା ସଶକ୍ତିକରଣ, ପୁଷ୍ଟି, ସାମାଜିକ ସୁରକ୍ଷା ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ବିଭିନ୍ନ ସରକାରୀ ଯୋଜନାର ଅଭିସରଣ, ସମ୍ବଳର ସର୍ବୋତ୍ତମ ଉପଯୋଗ ଏବଂ ହିତାଧିକାରୀଙ୍କୁ ଅଧିକରୁ ଅଧିକ ସୁବିଧା ପ୍ରଦାନ ପାଇଁ ସମନ୍ୱିତ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଶେଷରେ ମହାଶକ୍ତି ଫାଉଣ୍ଡେସନ ର ଗୁଡଭେଲା ବ୍ଲକ ସଂଯୋଜିକା କୁମାରୀ ଅଙ୍କିତା ପ୍ରିୟଦର୍ଶିନୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





