ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କାମଠଣା ସ୍ଥିତ ଦୟାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗଳୁ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ, କର୍ଲାପଡ଼ା ବନବିଭାଗର ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ସର୍ବେଶ୍ୱର ଗହୀର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଇକୋ-କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତା ଚୌଧୁରୀ, ବନବିଭାଗର ସହକର୍ମୀଗଣ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ଥିଲେ। ସଭାରେ ପରିବେଶ ସୁରକ୍ଷା, ବୃକ୍ଷରୋପଣର ଆବଶ୍ୟକତା ଏବଂ ପ୍ରକୃତି ପ୍ରତି ମାନବ ସମାଜର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଭା ଶେଷରେ ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ଉତ୍ସାହର ସହ ବିଦ୍ୟାଳୟ ପରିସରରେ ବହୁ ସଂଖ୍ୟାରେ ଚାରା ରୋପଣ କରିଥିଲେ। ଏହି ଅବସରରେ ବନବିଭାଗ ଅଧିକାରୀଙ୍କ ଦ୍ୱାରା ପିଲାମାନଙ୍କୁ ବିଭିନ୍ନ ଗଛର ଔଷଧୀୟ ଗୁଣ ଓ ଉପଯୋଗିତା ବିଷୟରେ ସମ୍ୟକ ଧାରଣା ଦିଆଯାଇଥିଲା, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।





