ଗେଙ୍ଗୁଟି ଉଚ୍ଚ ବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସରେ ପାଳିତ ହେଲା ବନ ମହୋତ୍ସବ : ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ୩୦୦ ରୁ ଅଧିକ ଚାରାଗଛ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମପଞ୍ଚାୟତର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ମହାସମାରୋହରେ ବିଦ୍ୟାଳୟର ଏକାବନତମ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି। ପୁରାତନ ବିଦ୍ୟାର୍ଥୀ ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ଚାରାବଣ୍ଟନ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ସଂଗଠନର ସଭାପତି ଜଳଧର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. କାଳିପଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ପରିଷଦର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏଭଳି ସଂଗଠନ ପ୍ରତି ବିଦ୍ୟାଳୟରେ ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରାକ୍ତନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସାହୁ, ବିଦ୍ୟାଳୟର ପ୍ରଥମ ଦିନର ଛାତ୍ରୀ ବନଲାତା ଦାସ, ଜମିଦାତା ପରିବାରୁ ବିଜୟ କୁମାର ପରିଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ରୋଣାଚାର୍ଯ୍ୟ ପଟ୍ଟାୟତ ଓ ସଂଗଠନର ଉପଦେଷ୍ଟା ପିତାମ୍ବର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସଂଗଠନର ସମ୍ପାଦକ କବି ସୁଧାକର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ନବକୁମାର ନାୟକ ମଞ୍ଚାସୀନ ଅତିଥିଙ୍କୁ ଆହ୍ୱାନ କରିଥିଲେ ଏବଂ ସାବିତ୍ରୀରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତ ମ୍ୟାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଭିପ୍ସା ସାମଲ, ଦ୍ୱିତୀୟ ରାଜଲକ୍ଷ୍ମୀ ସାମଲ ଓ ତୃତୀୟ କୁମାରୀ ରିତୁପର୍ଣ୍ଣା ପ୍ରଧାନଙ୍କୁ “ବିଦ୍ୟାର୍ଥୀ ଗୌରବ” ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ସହ ବିଦ୍ୟାଳୟ ସ୍ତରେ ଅନୁଷ୍ଠିତ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇଥିଲା। ଚିତ୍ରାଙ୍କନରେ ମୋନାଲୀ ସେନାପତି, ଶତାବ୍ଦୀ ମହାପାତ୍ର ଓ ସ୍ୱସ୍ତିଶ୍ରୀ ନାୟକ, ସାଧାରଣ ଜ୍ଞାନରେ ବର୍ଷାପ୍ରିୟଦର୍ଶିନୀ ନାୟକ, ସଞ୍ଜୟ ସିଂ ଓ ଲିପ୍ସାରାଣୀ ଜେନା ଏବଂ ବକ୍ତୃତାରେ ସୁଭଲିପ୍ସା ନାୟକ, ପ୍ରତ୍ୟାଶା ଆଚାର୍ଯ୍ୟ ଓ ଶୁଭ୍ରାଂଶୁ ପୁହାଣ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ।

ପରିବେଶ ପ୍ରତି ଅବଦାନ ପାଇଁ ଅବନୀ କୁମାର ରାଉତଙ୍କୁ ଚଳିତ ବର୍ଷର “ବୃକ୍ଷ ବନ୍ଧୁ ସମ୍ମାନ-୨୦୨୬” ପ୍ରଦାନ କରାଯାଇଥିଲା। ଏହି ଅବସରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରେ ବୃକ୍ଷରୋପଣ କରାଯିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ତିନିଶହରୁ ଅଧିକ ଚାରାଗଛ ବଣ୍ଟନ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ଏହି ଚାରାଗଛକୁ ବଞ୍ଚାଇ ରଖିବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଇଂ ମନ୍ମଥ କୁମାର ବାରିକ। ପରିଷଦର ସଦସ୍ୟ ପ୍ରଶାନ୍ତ କୁମାର ସାମଲ ଓ ଯତୀନ କୁମାର ମହାନ୍ତି ପ୍ରମୁଖ ସଂଗଠନର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଇଂ ସବ୍ୟସାଚୀ ପ୍ରଧାନ, ବିଶ୍ୱରଂଜନ ସାମଲ ଓ ପାର୍ଥ ସାରଥୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.