ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣୀବ୍ରହ୍ମପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କର ଗତକାଲି ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ କିଛିଦିନ ହେବ ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ସେ ବୟାଅଶି ବୟସରେ ପଦାର୍ପଣ କରିଥିଲେ। ତାଙ୍କର ମୃତ ଶରୀରକୁ କଟକର ବାଲିସାହି ବାସଭବନରୁ ଏକ ବିଶାଳ ଶବ ଶୋଭାଯାତ୍ରାରେ ସାହି ପରିକ୍ରମା କରାଇ ଖାନନଗର ସ୍ୱର୍ଗଧାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ତାଙ୍କର ମର ଶରୀରକୁ ସାହି ଜଗନ୍ନାଥ ମନ୍ଦିର ଏବଂ ଆଖଣ୍ଡଳମଣି ମନ୍ଦିରରେ କିଛି ସମୟ ପାଇଁ ରଖା ଯାଇଥିଲା। ତାଙ୍କର ଏକମାତ୍ର ପୁତ୍ର ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ ମୁଖାଗ୍ନି ପ୍ରଦାନ କରିଥିଲେ। ତାଙ୍କର କନିଷ୍ଠ ଭ୍ରାତା, ଭଗ୍ନୀ, ପୁତୁରା, ଝିଆରୀ, ନାତି ନାତୁଣୀ ଏବଂ ଅଫିସ୍ ର ଅନେକ ସହକର୍ମୀ ତଥା ପଡ଼ୋଶୀଙ୍କ ଉପସ୍ଥିତି ରେ ଏକ ଶୋକାକୁଳ ପରିବେଶ ରେ ଅନ୍ତିମ ସଂସ୍କାର କରା ଯାଇଥିଲା। ସେ ଇଶାଣୀବ୍ରହ୍ମପୁର ଗ୍ରାମର ଚନ୍ଦ୍ରଶେଖର ହାଇସ୍କୁଲରେ ସମ୍ପାଦକ, ବାଲିସାହି ଉନ୍ନୟନ କମିଟିର ସକ୍ରିୟ ସଭ୍ୟ, ଆଖଣ୍ଡଳମଣି ମନ୍ଦିର ତଥା ଜଗନ୍ନାଥ ମନ୍ଦିର ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। ଅନେକ ଅସହାୟ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ଡାକ ବିଭାଗର ଏକ ବରିଷ୍ଠ ପଦାଧିକାରୀ ପଦବୀରୁ ସେ ୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ। ଏତଦବ୍ୟତୀତ ଅନେକ ଛୋଟବଡ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।





