ଇନ୍ଦ୍ରଦେବଙ୍କ କୋପ ଦୃଷ୍ଟିରେ କୋକସରା ଅଞ୍ଚଳ!

ପ୍ରବଳ ବର୍ଷା, ଅସ୍ତବ୍ୟସ୍ତ ଜନଜୀବନ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲଘୁଚାପ ଜନିତ ଲଗାଣ ବର୍ଷା ଗତ କାଲି ଠାରୁ ଲାଗିରହିଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଦେଖାଦେଇଛି ବେହାଳ ପରିସ୍ଥିତି। ପ୍ରାୟ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଲାଗି ରହିଥିବା ଜଳପ୍ରଳୟ ଯୋଗୁଁ ଦୁର୍ଦ୍ଦଶା ବଢିଥିବା ବେଳେ କୋକସରା ବ୍ଲକରେ ଚଳିତ ବର୍ଷର ସର୍ବାଧିକ ବର୍ଷା ୧୦୨ ମିଲିମିଟର ରେକର୍ଡ କରାଯାଇଥିବା ଜଣାପଡିଛି। ବ୍ଳକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଖଲିଗଡ଼ ସ୍ଥିତ ଡୁମେରଦର ବ୍ରିଜ୍ ବର୍ଷାରେ ଧୋଇ ଯାଇଥିବା ବେଳେ ରାସ୍ତା ଉପରେ ପ୍ରବଳ ଜଳସ୍ରୋତ ବଢ଼ିଯାଇଛି। ଏଥିଯୋଗୁଁ ଉକ୍ତ ରାସ୍ତା ଟି ସମ୍ପୂର୍ଣ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଉକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଆକଳନ କରିଥିବା ଜଣାପଡିଛି। ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରବଖରା ଗାଁର ୫ପରିବାର ଚାଷ ଜମିକୁ ଯାଇଥିବା ବେଳେ ମୁଟୁରା ନଦୀରେ ହଠାତ୍ ପାଣି ବଡ଼ି ଯିବାରୁ ସେମାନେ ଫସି ରହିଥିବା ବେଳେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ସେହିପରି କୁଲେରଗୁଡା, ଟେମରାକୁ ସଂଯୋଗ କରୁଥିବା ବେହେରା ନାଲାର ଖୁର୍ସେଲଗୁଡା ନିକଟସ୍ଥ ବ୍ରିଜ୍ ରେ ଘାଇ ସୃଷ୍ଟି ହେବାସହ ରାସ୍ତା ଉପରେ ପାଣି ବୋହିବା ସହ ଗାଁକୁ ମାଡିଛି। ବର୍ଷା ଯୋଗୁଁ ସମାନ ଭାବରେ ଲଡୁଗାଁ, ସୁପାଡ ରାସ୍ତାରେ ଥିବା ଅସ୍ଥାୟୀ ପୋଲ ବିଚ୍ଛିନ୍ନ ହୋଇଛି। ଯାହା ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଟୁରା ନଦୀରେ ପ୍ରବଳ ବର୍ଷାଜଳ ପ୍ରଭାହିତ ହେଉଥିବାରୁ କାଉଡୋଲା ଗ୍ରାମର ଅନେକ ଘରେ ପାଣି ପସିଥିବା ବେଳେ ଗମ୍ବାରୀଗୁଡା ଗ୍ରାମ ପଞ୍ଚାୟତ ଚିକିଲି ଗ୍ରାମର ଏକାଧିକ ଘରେ ମଧ୍ୟ ପାଣି ପଶିଯାଇଥିଲା। କୋକସରା ଅଗ୍ନିଶମ କର୍ମଚାରୀ ମାନେ ଏସବୁ ସ୍ଥାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରିଥିଲେ। ଚିକିଲି ବ୍ରିଜ୍ ରେ ଲାଗିଥିବା ଗଛକୁ ମଧ୍ୟ କାଟିଥିଲେ। ସେହିପରି ୨୬ ନମ୍ବର ଜାତୀୟ ରାଜପଥର କୁସୁମଖୁଣ୍ଟି ନିକଟରେ ମଧ୍ୟ ବିରାଟକାୟ ଗଛ ପଡ଼ିଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଥିଲା। ଅଗ୍ନିଶମ କର୍ମଚାରୀ ମାନେ ଏହାକୁ ସଫା କରି ଯାତାୟାତ ସ୍ବାଭାବିକ କରିଛନ୍ତି। ବ୍ଳକର ବଡ଼ପୋଡ଼ାଗୁଡ଼ା ଗ୍ରାମ ଦେଇ ପ୍ରବାହିତ ହେଉଥିବା ମୁଟୁରା ନଦୀ ଉପରେ ମଧ୍ୟ ପାଣି ପ୍ରଭାହିତ ହୋଇ ଅନେକ ଚାଷ ଜମିରେ ଜଳମଗ୍ନ ହୋଇଛି। ଖାଲି ସେତିକି ନୁହେଁ ଲଗାଣ ବର୍ଷା ଯୋଗୁଁ ବାଞ୍ଜିବାହାଲ ତିନୋଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିବା ବେଳେ ବଡ଼ପୋଡ଼ାଗୁଡ଼ା ଅଞ୍ଚଳର ୩ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ପୋଲ ଅତି ବିପଦପୂର୍ଣ୍ଣ ଅବସ୍ଥାକୁ ଆସିଯାଇ ଥିବାରୁ ବିଦ୍ୟୁତ୍ ସରବରାହ ଏହି ଅଞ୍ଚଳରେ ଦିର୍ଘ ସମୟ ଧରି ବ୍ୟାହତ ହୋଇଛି। ବର୍ଷା ଯୋଗୁଁ କୋକସରା ଅବକାରୀ ଥାନାର ଅସ୍ଥାୟୀ କାର୍ଯ୍ୟାଳୟରେ ପାଣି ପଶି ଯିବାରୁ ଅନେକ ଗୁରୁତ୍ତ୍ୱପୂର୍ଣ କାଗଜ ପତ୍ର ନଷ୍ଟ ହୋଇଥିବା ଆଶଂକା କରାଯାଇଛି। ବର୍ଷା ଯୋଗୁଁ ବ୍ଳକର ବେହେରା ନଦୀ ଓ ମୁଟୁରା ନଦୀ ଅଞ୍ଚଳରେ ଥିବା ଗ୍ରାମବାସୀ ମାନେ ନଦୀକୂଳକୁ ନଯିବା ସହ ଗୃହପାଳିତ ପଶୁମାନଙ୍କ ପ୍ରତି ମଧ୍ୟ ସତର୍କ ଅବଲମ୍ବନ କରି ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିବାବେଳେ ଶ୍ରାବଣ ମାସ ହେତୁ ଡୋକରୀ ଚଞ୍ଚରା ପର୍ଯ୍ୟଟନ ଅଞ୍ଚଳରେ ଥିବା ବ୍ରିଜ୍ ଭାଙ୍ଗି ଯିବାରୁ ସେଠାକୁ ନଯିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଏଥି ସହିତ ଲୋକଙ୍କୁ କ୍ଷୟକ୍ଷତି ପାଇଁ ପ୍ରଶାସନକୁ ମଧ୍ୟ ଜଣାଇବା ନେଇ କହିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ପଚାରିବାରୁ ପ୍ରଭାବିତ ଅଞ୍ଚଳ ଗୁଡିକ ଆମେ ପରିଦର୍ଶନ କରିଛୁ, ଏଥି ସହିତ ଲୋକଙ୍କୁ ମଧ୍ୟ ସଚେତନ କରିଛୁ, ବର୍ଷା ଥମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.