ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ପୁଣି ଥରେ ରେଳରୋକ ପାଇଁ ନର୍ଲା ସ୍ୱାଭିମାନ ମଞ୍ଚର ଚେତାବନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ରେଳ ଷ୍ଟେସନରେ କରୋନା ପୂର୍ବରୁ ରହଣୀ ରହି ଆସୁଥିବା ଓ କରୋନା ପରେ ଉକ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ନଦେବା ହେତୁ ଅଞ୍ଚଳରେ ଅସନ୍ତୋଷର ବାତା ବରଣ ଧିରେ ଧିରେ ଉଗ୍ରରୁପ ନେବାରେ ଲାଗିଛି। ଗତ ୪ ବର୍ଷ ଧରି ରେଳବାଇ କତ୍ତୃପକ୍ଷ ଙ୍କୁ ପୂର୍ବରୁ ରହଣୀ ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ପୁନଃ ରହଣୀ ନିମନ୍ତେ ଅନୁରୋଧ ପତ୍ର ଦେଇ ନିରାଶ ହେବା ପରେ ନର୍ଲା ସ୍ୱାଭିମାନ ମଞ୍ଚ ଗତ ଜୁଲାଇ ୧ ତାରିଖ ରେ ନର୍ଲାରୋଡ ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିଥିଲା। ଏଥିରେ ଅଞ୍ଚଳର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜିବୀ, ଯୁବ ସମାଜ, ମହିଳା ଗୋଷ୍ଠୀ ଓ ଜନସାଧାରଣ ସାମିଲ ହୋଇଥିଲେ। ଆର୍‌ପିଏଫ୍ ର ଦୁଇ ପ୍ଲାଟୁନ ଫୋର୍ସ, ସ୍ଥାନୀୟ ପୋଲିସ ବାହିନୀ ର କଡା ପହରା ସତ୍ୱେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନ କାରି ଟ୍ରାକ କୁ ଧସେଇ ପଶି ରେଳରୋକ କରିଥିଲେ। ଏକ ଐତିହାସିକ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା ନର୍ଲାରୋଡ ରେଳ ଷ୍ଟେସନରେ। ଜନସାଧାରଣ ଓ ନର୍ଲା ସ୍ୱାଭିମାନ ମଞ୍ଚର ଦାବୀ ରହିଥିବା ବିଶାଖାପଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ, ଇସ୍‌ପାତ ଏକ୍ସପ୍ରେସ, ବିଲାସପୁର, ପୁରୀ- କୋରାପୁଟ, ୟସବନ୍ତପୁର, ନାଗାବଳୀ ଓ ଟାଟା- ଏର୍ଣ୍ଣାକୁଲମ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ପାଇଁ ଅନୁଷ୍ଠିତ ହୋଇଥିଲା ରେଳରୋକ ଆନ୍ଦୋଳନ। ଜୁଲାଇ ୧ ସକାଳ ୭.୩୦ ରୁ ଗୋଟାଏ ଯାଏଁ ସାଢେ ପାଞ୍ଚ ଘଣ୍ଟା ଧରି ଚାଲିଥିଲା ରେଳରୋକ ଆନ୍ଦୋଳନ। ନର୍ଲାରୋଡ ରେଳ ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା ଦୁଇଗୋଟି ଏକ୍ସପ୍ରେସ ଟ୍ରେନ।ଶେଷରେ ସମ୍ବଲପୁର ଡିଭିଜନର ଏଡିଏନ ଅଙ୍କିତ ମିଶ୍ର ଆସି ସମତା ଏକ୍ସପ୍ରେସ ଟ୍ରେନ ଷ୍ଟପେଜ ପାଇଁ ଆମର କ୍ଷମତା ନାହିଁ ତଥାପି ଆମେ ଉଚ୍ଚ କତ୍ତୃପକ୍ଷଙ୍କୁ ଲେଖି ଜଣାଇବୁ। ଆଉ ଦାବୀ ରହିଥିବା ୪ ଗୋଟି ଟ୍ରେନ ଗୁଡିକର ମାସକ ମଧ୍ୟରେ ଏଠାରେ ରହଣୀ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ପ୍ରତିଶୃତିର ଦୁଇମାସ ପୁରଣ ହେବାକୁ ଯାଉଥିବା ବେଳେ ଉପରୋକ୍ତ ବାକି ୪ ଗୋଟି ଟ୍ରେନ ର ରହଣୀ ନର୍ଲାରୋଡ ଷ୍ଟେସନରେ ଅଦ୍ୟାବଧି ଦିଆଯାଇ ନଥିବାରୁ ପୁଣି ଆନ୍ଦୋଳନ ପରିସ୍ଥିତି ଦାନା ବାନ୍ଧୁଛି। ଏନେଇ ନର୍ଲା ସ୍ୱାଭିମାନ ମଞ୍ଚ ପକ୍ଷରୁ ମଞ୍ଚର ସମ୍ପାଦକ ଯୁବ ନେତା ଦୀପୁ ପାତ୍ର, ରେଳଯାତ୍ରୀ ସୁରକ୍ଷା ସମିତିର ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ, ସିପିଆଏମ ର ରାଜ୍ୟ କମିଟିି ସଦସ୍ୟ ବିଶ୍ୱଜିତ ଚାଟାର୍ଜି, ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ନାଏକ, ନରସିଂହ ଥାପା, ରାଜୁ ଜୁଏଡ, ଜୟ ସରାଫ, ଗୋପୀ ସାମଲ ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ୱ ସଦସ୍ୟ ନର୍ଲାରୋଡ ଷ୍ଟେସନ ଅଧିକ୍ଷକ ରଶ୍ମିରଞ୍ଜନ ବେହେରାଙ୍କୁ ଏକ ସ୍ମରଣ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ ନର୍ଲା ଅଞ୍ଚଳବାସୀଙ୍କ ଦାବୀ ରହି ଆସିଥିବା ଓ ଜୁଲାଇ ୧ ରେଳରୋକ ଆନ୍ଦୋଳନ ବେଳେ ନର୍ଲାରୋଡ ଷ୍ଟେସନରେ ଟ୍ରେନ ଷ୍ଟପେଜ ପାଇଁ ଏଡିଏନ ଶ୍ରୀ ମିଶ୍ର ଦେଇଥିବା ପ୍ରତିଶୃତି ଯଦି ଶିଘ୍ର କାର୍ଯ୍ୟକାରୀ ନହୁଏ ତାହେଲେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ପୁଣି ରେଳରୋକ ଆନ୍ଦୋଳନ କରାଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.