ଡବଲ୍ ଇଞ୍ଜିନ୍ ବିଜେପି ସରକାରଙ୍କ ଖଣି ନୀତି ବିରୋଧରେ ତୀବ୍ର ଆକ୍ରୋଶ
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରାଯାଉଥିବା ‘ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ୍–୨୦୨୬ (M.M.D.R. ଆଇନ୍–୨୦୨୬)’କୁ ରଦ୍ଦ କରିବା ଦାବିରେ ଜାତୀୟ କଂଗ୍ରେସ, ସି.ପି.ଆଇ., ସି.ପି.ଆଇ.(ଏମ୍), ସି.ପି.ଆଇ.(ଏମ୍.ଏଲ୍.) ଲିବରେସନ, ସମାଜବାଦୀ ପାର୍ଟି, ଫରୱାର୍ଡ ବ୍ଲକ୍, ଏନ୍.ସି.ପି. ଓ ଆର୍.ଜେ.ଡି. ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିରୋଧ ଓ ବିରୋଧ ପ୍ରଦର୍ଶନ କରାଯାଇଛି। ଲୋୟର ପି.ଏମ୍.ଜି., ଭୁବନେଶ୍ୱରଠାରେ ଆୟୋଜିତ ପ୍ରତିବାଦ ସଭାରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଯୋଗଦେଇ ଡବଲ୍ ଇଞ୍ଜିନ୍ ବି.ଜେ.ପି. ସରକାରଙ୍କ ଖଣି ଓ ଖଣିଜ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଓଡ଼ିଶା ଦେଶର ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ହୋଇଥିଲେ ମଧ୍ୟ ଏହାର ପ୍ରାକୃତିକ ସମ୍ପଦରୁ ଓଡ଼ିଶାବାସୀ ନ୍ୟାୟସଙ୍ଗତ ଅଧିକାର ଓ ଲାଭ ପାଉନାହାନ୍ତି। ଖଣିଜ ସମ୍ପଦର ବ୍ୟବହାରରେ ରାଜ୍ୟର ଆର୍ଥିକ ସ୍ୱାର୍ଥ, ପରିବେଶ ସୁରକ୍ଷା ଏବଂ ଖଣି ପ୍ରଭାବିତ ଲୋକଙ୍କ ଅଧିକାରକୁ ସର୍ବାଧିକ ଗୁରୁତ୍ୱ ମିଳିବା ଆବଶ୍ୟକ।ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଖଣିଜ ସମ୍ପଦକୁ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ବ୍ୟବହାର କରିବା ପରିବର୍ତ୍ତେ ବଡ଼ କର୍ପୋରେଟ୍ ଓ ଖଣି କମ୍ପାନୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛି। ଏପରି ନୀତି ଓଡ଼ିଶାର ଦୀର୍ଘମିଆଦୀ ଆର୍ଥିକ, ସାମାଜିକ ଓ ପରିବେଶୀୟ ସ୍ୱାର୍ଥ ପାଇଁ ଚିନ୍ତାଜନକ ବୋଲି ସେମାନେ କହିଛନ୍ତି।

ଖଣି ଅଞ୍ଚଳରେ ବିସ୍ଥାପନ, ଜୀବିକା ହରାଇବା, ପରିବେଶ ପ୍ରଦୂଷଣ ଓ ସ୍ଥାନୀୟ ଲୋକଙ୍କ ଅଧିକାର ଭଳି ପ୍ରସଙ୍ଗରେ ସରକାର ଦାୟିତ୍ୱଶୀଳ ଭୂମିକା ନେବା ଆବଶ୍ୟକ। ଓଡ଼ିଶାର ମାଟି, ପାଣି, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ନ୍ୟାୟସଙ୍ଗତ ସ୍ୱାର୍ଥକୁ ଅଣଦେଖା କରି କୌଣସି ନୀତି ଲାଗୁ କରାଗଲେ ତାହାକୁ ଗଣତାନ୍ତ୍ରିକ ଭାବେ ବିରୋଧ କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ମିଳିତ ଭାବେ ନେତାମାନେ ଦାବି କରିଛନ୍ତି ଯେ,-M.M.D.R. ସଂଶୋଧନ ଆଇନ୍–୨୦୨୬କୁ ରଦ୍ଦ କରାଯାଉ l ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଆର୍ଥିକ ସ୍ୱାର୍ଥ ସୁରକ୍ଷିତ କରାଯାଉ।ଖଣି ପ୍ରଭାବିତ ଲୋକ, ଆଦିବାସୀ ଓ ସ୍ଥାନୀୟ ଜନସାଧାରଣଙ୍କ ଅଧିକାର ସୁରକ୍ଷିତ କରାଯାଉ।ଖଣିଜ ସମ୍ପଦର ଅବିବେକୀ ବ୍ୟବହାର ଓ ପରିବେଶ ଧ୍ୱଂସକୁ ରୋକାଯାଉ।ଓଡ଼ିଶାର ସମ୍ପଦ ଓଡ଼ିଶାର ବିକାଶ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣରେ ସର୍ବାଧିକ ବ୍ୟବହୃତ ହେଉ।

ସମାଜବାଦୀ ପାର୍ଟି ପକ୍ଷରୁ ମହାସଚିବ ଯୁବ ଜନସଭା ରାମାକାନ୍ତ ହାତୀ, ଭୁବନେଶ୍ବର ସଭାପତି ଗୁରୁବାରୀ ନାୟକ, କୃଷକ ମୋର୍ଚ୍ଚା ସଭାପତି ବିଜୟ ବେହେରା, ସନ୍ତୋଷ ବାଗ, ହିମାଂଶୁ ଖର୍ସେଲ ତଥା ବହୁକର୍ମୀ ଯୋଗ ଦେଇଥିଲେ l ପାର୍ଟି ପକ୍ଷରୁ ରମାକାନ୍ତ ହାତୀ କହିଥିଲେ ଯେ, ଓଡ଼ିଶାର ସ୍ୱାର୍ଥ, ଜନସାଧାରଣଙ୍କ ଅଧିକାର ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପ୍ରସଙ୍ଗରେ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ। ଡବଲ୍ ଇଞ୍ଜିନ୍ ବି.ଜେ.ପି. ସରକାର ଜନସ୍ୱାର୍ଥକୁ ଅଣଦେଖା କରି ଏକପାଖିଆ ଭାବେ ନୀତି ଲାଗୁ କରିବାରୁ ବିରତ ହୋଇ ଓଡ଼ିଶାର ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖିବାକୁ ସେ ଦାବି କରିଛନ୍ତି। “ଓଡ଼ିଶାର ଖଣିଜ ସମ୍ପଦ — ଓଡ଼ିଶାବାସୀଙ୍କ ଅଧିକାର; ଜନସ୍ୱାର୍ଥ ବିରୋଧୀ ଆଇନ୍ ଚଳିବ ନାହିଁ” ବୋଲି ମଧ୍ୟ ସେ ଦୃଢ଼ ଭାବେ ଦାବୀ କରିଛନ୍ତି।





