ଋଣ ମୁକ୍ତ ପାଇଁ ଦେବୀଙ୍କୁ ଗୁହାରି; ମାଁ ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା  ଚିଠି

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ଏକ ଭାବବିହ୍ୱଳ ତଥା ଦୁଃଖଭରା ଚିଠି ଦାନ ବାକ୍ସ ମଧ୍ୟରୁ ମିଳିଛି । ପ୍ରତ୍ୟେକ ଥର ଗଣତି ଭଳି ଆଜି ମନ୍ଦିର ର ୯ଟି ହୁଣ୍ଡି ଗଣତି ସମୟରେ ଟଙ୍କା, ସୁନା ଓ ରୂପା ଅଳଙ୍କାର ସହ କୋରାପୁଟ ଜିଲ୍ଲାର ଜଣେ ଅସହାୟ ଭକ୍ତଙ୍କ ଚିଠି ମିଳିଥିଲା | ଚିଠିରେ ଯେଭଳି ଢ଼ଙ୍ଗରେ ଭକ୍ତ ଜଣଙ୍କ ନିଜର ଦୁଃଖକୁ ଲେଖିଛନ୍ତି ତାହା ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନିକ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସହାନିଭୁତି ଜାଗ୍ରତ କରିଥିବା ଦେଖିବାକୁ ମିଳିଛି | ଉକ୍ତ ଚିଠିରେ କେରାପୁଟ/ରାୟଗଡାର ଜଣେ ସୁନୀଲ ଖୋରା ନାମକ ଭକ୍ତ ନିଜ ପରିବାରର ଘୋର ଆର୍ଥିକ ଅନଟନ ଏବଂ ପ୍ରବଳ ଋଣଭାରରେ ଅତିଷ୍ଠ ହୋଇ ମାଁ ଙ୍କ ଶରଣ ପଶିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ,ତାଙ୍କ ସାଙ୍ଗସାଥି ଓ ସମ୍ପର୍କୀୟ ପ୍ରାୟ ୨୩ ଜଣଙ୍କ ପାଖରୁ ଋଣ ନେଇଛନ୍ତି ଓ ସୁଝିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି । ଚାରିଆଡ଼ୁ ନିରାଶ ହେବା ପରେ ଶେଷରେ ପ୍ରତ୍ୟକ୍ଷ ଠାକୁରାଣୀ ମାଁ ମଝିଘରିଆଣୀଙ୍କ ଉପରେ ସମସ୍ତ ଭରସା ରଖି ତାଙ୍କୁ ଉଦ୍ଧାର କରିବା ପାଇଁ ହୁଣ୍ଡିରେ ୬ପୃଷ୍ଠାର ଗୁହାରି ପତ୍ର ପକାଇଛନ୍ତି । ଭକ୍ତ ଜଣକ ବିଭିନ୍ନ ବ୍ୟକ୍ତିଙ୍କ ପାଖରୁ ଋଣ ଆଣିଥିବା ବେଳେ ଏଯାଏଁ ଋଣ ପରିସୋଧ କରିପାରୁନାହାନ୍ତି ଫଳରେ ପରିବାର ଲୋକେ ବହୁ ଚାପରେ ରହି ମାଁ ତାଙ୍କୁ ସହାୟ ହୁଅନ୍ତୁ ବୋଲି ଗୁହାରୀ କରିଛନ୍ତି । ମଣିଷ ଯେତେବେଳେ ସବୁ ଆଶା ହରାଇ ଦିଏ ସେତେବେଳେ ଭଗବାନଙ୍କ ଚରଣରେ ନିଜର ଦୁଃଖ ଜଣାଇଥାଏ । ଠିକ୍ ସେହିପରି ମାଁ ମଝିଘରିଆଣୀଙ୍କ ଉପରେ ଅଗାଧ ବିଶ୍ୱାସ ରଖି ଏହି ଭକ୍ତ ଜଣକ ଚିଠି ମାଧ୍ୟମରେ ମାଙ୍କ ପାଖରେ ନିଜର ମନର କଥା ଜଣାଇଛନ୍ତି । ଦାନ ହୁଣ୍ଡିରୁ ବାହାରିଥିବା ଏହି ୬ପୃଷ୍ଠାର ଚିଠି ଜଣେ ଅସହାୟ ମଣିଷର ଦୁଃଖ,ଯନ୍ତ୍ରଣା ଓ ମାଁ ଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସର ପ୍ରତିଛବି ବୋଲି ମନ୍ଦିର ପରିଚାଳନା କମିଟିର ସଭ୍ୟ ରାଧାକୃଷ୍ନ ଦଳେଇ କହିଛନ୍ତି । ପୂର୍ବରୁ ଗଣତି ହେଲା ବେଳେ ଏଭଳି ଚିଠି କେବେ ଦେଖିବାକୁ ମିଳିନଥିଲା ବୋଲି ସଭ୍ୟ ଶ୍ରୀ ଦଳେଇ କହିଛନ୍ତି । ଗଣତି ବେଳେ ୯ଟି ଦାନହୁଣ୍ଡିରୁ ଲକ୍ଷଲକ୍ଷ ଟଙ୍କା, ସୁନା ଓ ରୂପା ଅଳଙ୍କାର ଓ ବିଦେଶୀ ମୁଦ୍ରା ବାହାରିଥିବା ବେଳେ ଏଭଳି ଆତ୍ମବିଭୋର ଚିଠି ମିଳିବା ପରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଚିଠିରେ ‌ଲେଖାଯାଇଥିବା ତଥ୍ୟରୁ ଭକ୍ତ ଜଣଙ୍କ ଯୁବକ ହୋପାରନ୍ତି ବୋଲି ଅନୁମାନ କରାଯାଇଛି କାରଣ ସେ ତାଙ୍କୁ ଗୋଟେ ଭଲ ରୋଜଗାର ଥିବା ଚାକିରୀ ମିଳୁ ବୋଲି ମଧ୍ୟ ଲେଖିଛନ୍ତି । ‌ଯେଉଁ ଲୋକ ମାନଙ୍କର ଟଙ୍କା ଋଣ ନେଇଛି ସେମାନଙ୍କ ମନରେ ମୋ ପ୍ରତି ଶାନ୍ତି, ଦୟା, ବୁଝାମଣା, ସହଯୋଗ କରିବା ସହ ମୋ କଥା ବିଚାର ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ମାଁଙ୍କ ନିକଟରେ ଭକ୍ତ ଜଣଙ୍କ ଗୁହାରୀ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.