ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ‘ଆଗମନ-୨୦୨୬’ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲ ପରିସରରେ ନୂତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ‘ଆଗମନ-୨୦୨୬’ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ଅଧ୍ୟକ୍ଷତା କରିଥିଲେ। ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଇଂ. ଅଜୟ କୁମାର ପଣ୍ଡା ଓ ଚେୟାରପର୍ସନ ସୁଶ୍ରୀ ସଙ୍ଗୀତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, କନ୍ସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଗେଶ୍ୱର ବେମାଲ, ଏବଂ ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା,ବରିଷ୍ଠ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ବିଦ୍ୟାସାଗର ମୁଣ୍ଡ, ଶଶୀଭୂଷଣ ଦାସ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶୈକ୍ଷିକ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଇଂ. ଅଜୟ କୁମାର ପଣ୍ଡା, ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶୃଙ୍ଖଳା ଓ ଉଜ୍ଜ୍ୱଳ ଭବିଷ୍ୟତ ନେଇ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ।

ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଓ ରାମ୍ପ ଶୋ ପରିବେଷଣ କରାଯାଇଥିଲା। ଏହି ଅବସରରେ ‘ମିଷ୍ଟର ଫ୍ରେସର’ ଓ ‘ମିସ୍ ଫ୍ରେସର’ ଚୟନ କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପକ୍ଷରୁ ପ୍ରଦର୍ଶିତ ରାମ୍ପ ୱାକ୍ ଉପସ୍ଥିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ବିଦ୍ୟାସାଗର ମୁଣ୍ଡ ଓ ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଦ୍ୱିତୀୟ ବର୍ଷର ଦୁଇଜଣ ଛାତ୍ରୀ ଧନ୍ୟବାଦ ଅର୍ପଣ କରିବା ପରେ ଉତ୍ସବର ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.