ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ରାସ୍ତା କଡ଼ରେ ଅଟକି ଥିବା ଏକ ପାଇପ୍ ବୋଝେଇ ଟ୍ରକ୍ ପଛରେ ଅନ୍ୟ ଏକ ଟ୍ରକ୍ ପିଟି ହୋଇଯିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଏତେ ତୀବ୍ର ଥିଲା ଯେ, ପଛ ଟ୍ରକର ଡ୍ରାଇଭର କ୍ୟାବିନ୍ ଭିତରେ ଅନେକ ସମୟ ଧରି ଫସି ରହିଥିଲେ। ସୂଚନା ଅନୁଯାୟୀ, ପାଇପ୍ ବୋଝେଇ ଟ୍ରକ୍ଟି ପଶ୍ଚିମବଙ୍ଗରୁ କୋକସରା ବ୍ଲକ୍ର କୁସୁମଖୁଣ୍ଟି ଅଭିମୁଖେ ଆସୁଥିବା ବେଳେ ଅନ୍ୟ ଟ୍ରକ୍ଟି ଝାରସୁଗୁଡ଼ାରୁ ତାମିଲନାଡୁ ଯାଉଥିଲା। ତେବେ ଚାରବାହାଲ ନିକଟରେ ଛିଡ଼ା ହୋଇଥିବା ଟ୍ରକ୍କୁ ସାମ୍ନାରୁ ଆସୁଥିବା ଟ୍ରକ୍ଟି ପଛପଟୁ ସିଧାସଳଖ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଫସିରହିଥିବା ଡ୍ରାଇଭର ଜଣକ ତାମିଲନାଡୁର ଆନା ମୁତୁ ପୂନୁ ସ୍ୱାମୀ ବୋଲି ଜଣାପଡ଼ିଛି। ଖବର ପାଇ କୋକସରା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗର ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ସୁନୀଲ ରଞ୍ଜନ ବାରଳା, ରାଧେଶ୍ୟାମ ପ୍ରଧାନୀ, ଲଲିତ ପୁଟେଲ, ଦିଗାମ୍ବର ଶବର, ଉମା ଶଙ୍କର ନାଏକ ଓ ଦେବାଶିଷ ମହାପତ୍ର ପ୍ରମୁଖ ଦୀର୍ଘ ସମୟ କଠିନ ପରିଶ୍ରମ କରି ଫସିରହିଥିବା ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ଗାଡ଼ି ଦ୍ୱୟକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।






