ରେଖା ପଞ୍ଚମୀ ଓ ବାଘ ମାମୁଁ ଓଷା

ଶ୍ରୀମନ୍ଦିରରେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର ନୀତି, ଓ ଘୋଷ ଯାତ୍ରା ସାରି ରତ୍ନ ସିଂହାସନରେ ବିଜେ ହେଲା ପରେ, ଚିତାଲାଗି ଅମାବାସ୍ୟା ଦିନ ଲାଗି ହୋଇଥାଏ ରତ୍ନଚିତା। କିନ୍ତୁ ମହାପ୍ରଭୁଙ୍କ ଶ୍ରୀମୁଖ ମଣ୍ଡନ କରିଥାଏ ରାହୁରେଖା ଭାଦ୍ରବ କୃଷ୍ଣପଞ୍ଚମୀ ଦିନ। ଏହି ଦିବସଟି ତେଣୁ ରେଖାପଞ୍ଚମୀ ଭାବେ ପରିଚିତ। ବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି ହେଉ ଥିବା ସ୍ବର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁରେଖା କୁହାଯାଏ। ମହାପ୍ରଭୁଙ୍କ ରାହୁରେଖାଲାଗି ଦୃଷ୍ଟିରୁ ଏହା ରେଖା ପଞ୍ଚମୀ। କିନ୍ତୁ ଏହା ମଧ୍ୟ ରକ୍ଷା ପଞ୍ଚମୀ ନାମରେ ଆମ ଓଷା ଓ ବ୍ରତମାନଙ୍କରେ ପରିଚିତ। ପଛରେ ରହିଛି ଓଡ଼ିଶାର କେତେ ଗୁଡ଼ିଏ ସ୍ଥାନରେ ପାଳିତ ହେଉଥିବା ଏକ ବିଶେଷ ଦ୍ୱାର ପୂଜା ନୀତି। ଗୃହ ରକ୍ଷା ପାଇଁ ହେଉଥିବା ଏହି ପୂଜାକୁ ରକ୍ଷା ପଞ୍ଚମୀ ପୂଜା କୁହାଯାଏ। ରକ୍ଷାପଞ୍ଚମୀର ପୂଜା ଗୃହକର୍ତ୍ତା ମାନେ ସର୍ପ, ହିଂସ୍ରପଶୁ, ଭୂତ, ପିଶାଚମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କରିଥାନ୍ତି। ଏହି ପୂଜାର ଉପାସ୍ୟ ଦେବ ଶ୍ରୀ ବଟୁକଭୈରବ। ଶ୍ରୀ ବଟୁକ ଭୈରବଙ୍କ ମୂର୍ତ୍ତୀ ଶିଵ ମନ୍ଦିର ମାନଙ୍କ ଦ୍ୱାର ଦେଶରେ ସ୍ଥାପିତ ହୋଇଥିବା ଦେଖାଯାଏ। ଶିବ ନଗରୀ ଉଜ୍ଜୟିନୀ ଓ ବାରଣାସୀର ଭୈରବ ମନ୍ଦିର ବହୁ ବିଖ୍ୟାତ। ବିଶ୍ୱାସ କରାଯାଏ ବଟୁକ ଭୈରବଙ୍କ ପୂଜନଦ୍ୱାରା ଗୃହ ଭୟମୁକ୍ତ ହୋଇଥାଏ। ଏଥିପାଇଁ ବାସ ଗୃହ ପ୍ରବେଶ ଦ୍ୱାରରେ ଗଣେଶଙ୍କ ଏବଂ ପଛ ଦ୍ୱାରରେ ବଟୁକଭୈରବଙ୍କ ମୂର୍ତ୍ତି ଅଙ୍କନ କରାଯାଏ। ବଟୁକ ଭୈରବଙ୍କ ଧ୍ୟାନ ମନ୍ତ୍ର ତାଳପତ୍ରରେ ଲେଖି ଦୂବ ଓ ଅରୁଆ ଚାଉଳ ସହ ବାନ୍ଧି ଦ୍ୱାର ବନ୍ଧରେ ଝୁଲାଇ ଦିଆଯାଏ। ଯଥାରୀତି ବଟୁକ ଭୈରବଙ୍କୁ ପୁରୋହିତ ଆବାହନ କରି ତାଙ୍କର ପୂଜା ସଂପନ୍ନ କରିଥାନ୍ତି। ରାତ୍ରିରେ ଗୃହସ୍ଥ ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି ବାଡ଼ି ଦ୍ୱାରରେ ପଶୁ ପକ୍ଷୀ, ହିଂସ୍ରଜନ୍ତୁ, ସର୍ପ ଓ ପିଶାଚମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି। ଦାଣ୍ଡ ଚାଳ ଓ ବାଡ଼ି ଚାଳରେ ରକ୍ଷାକାଣ୍ଡ ଗୋଟିଏ ବସାଯାଏ। ବାଡ଼ି ପଟେ ବାଘ ବାଘୁଣୀଙ୍କ ଉଦ୍ଦେଶ୍ୟରେ ପିଠା ଖଣ୍ଡମାନ ପକାଇଦିଆ ଯାଉଥିବାରୁ ଗ୍ରାମାଞ୍ଚଳରେ ଲୋକେ ଏହାକୁ ବାଘମାମୁଁଙ୍କ ପୂଜା ବା ବାଘ ମାମୁଁ ଓଷା ବୋଲି କହିଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.