ଶୁଖିଲା ଜଳଜ ଦଳରୁ ଆକର୍ଷଣୀୟ ହସ୍ତଶିଳ୍ପ: ମହିଳାଙ୍କ ପାଇଁ ଖୋଲିଲା ନୂଆ ଜୀବିକାର ପଥ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦିନେ ଜଳାଶୟ ପାଇଁ ବୋଝ ସାଜିଥିବା ଅନାବନା ଜଳଜ ଦଳ ଏବେ ଗ୍ରାମୀଣ ମହିଳାଙ୍କ ଜୀବିକାର ନୂଆ ମାଧ୍ୟମ ପାଲଟିଛି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ଶୁଖିଲା ଜାହାଜି ଦଳରୁ ବିଭିନ୍ନ ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରି ଶତାଧିକ ମହିଳା ଆତ୍ମନିର୍ଭରଶୀଳ ହେବାର ନୂଆ ରାସ୍ତା ଖୋଜି ପାଇଛନ୍ତି। ଯୁବ ବିକାଶ ସଂଗଠନର ଏହି ଅଭିନବ ପ୍ରୟାସରେ ବାଲିଆପାଳ ବ୍ଲକର ନିଖିରା, ପାକମୁଡି, ତାହାଳିଆ, ବଡ଼ାସ, କାଠଶଗଡ଼ା ଓ ବେତଗଡ଼ିଆ ସମେତ ଭୋଗରାଇ ବ୍ଲକର କୁମ୍ଭୀରଗଡ଼ି, ପିଠାପୁର, ରସଲପୁର ଓ ଜିତ୍‌ଖଳା ଆଦି ଗ୍ରାମର ମହିଳା ଓ କାରିଗରମାନେ ସାମିଲ ହୋଇଛନ୍ତି। ଜଳାଶୟରୁ ସଂଗୃହୀତ ଜାହାଜି ଦଳକୁ ସୂର୍ଯ୍ୟକିରଣରେ ଭଲଭାବେ ଶୁଖାଇବା ପରେ ଏଥିରୁ ହାତବୁଣା ବ୍ୟାଗ୍‌, ମ୍ୟାଟ୍‌, ଟୋପି, ଫୁଲଦାନୀ, ବାସ୍କେଟ୍‌ ଓ ବିଭିନ୍ନ ଘରସଜ୍ଜା ସାମଗ୍ରୀ ତିଆରି କରାଯାଉଛି। ସଂଗଠନର ମୁଖ୍ୟ ଗୋବିନ୍ଦ ଦଳାଇଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଏକପଟେ ଜଳାଶୟରୁ ଅନାବନା ଦଳ ସଫା କରି ପରିବେଶର ସୁରକ୍ଷା କରୁଥିବା ବେଳେ ଅନ୍ୟପଟେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଅତିରିକ୍ତ ଆୟ ଓ ସ୍ୱାବଲମ୍ବନର ସୁଯୋଗ ସୃଷ୍ଟି କରୁଛି। ଏହି ଉଦ୍ୟମକୁ ଆଗକୁ ନେଇ ‘ପୁରୀଦାସ’ ନାମକ ହସ୍ତଶିଳ୍ପ କ୍ଲଷ୍ଟର ମାଧ୍ୟମରେ ଆଗାମୀ ଦିନରେ ୧୦ ହଜାରରୁ ଅଧିକ ମହିଳାଙ୍କୁ ଜୀବିକା ସହ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି। ଏହି ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ପରିବେଶ ଅନୁକୂଳ ଓ ଜୈବ-ବିଘଟନଯୋଗ୍ୟ ହୋଇଥିବାରୁ ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟବହାର ହ୍ରାସ କରିବାରେ ମଧ୍ୟ ସହାୟକ ହେବ। ଏଥିସହ ଜଳାଶୟରୁ ଅତ୍ୟଧିକ ଦଳ ସଫା ହେବା ଫଳରେ ଜଳର ଗୁଣବତ୍ତାରେ ଉନ୍ନତି ଆସିବା ସହ ମାଛ ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି। ଫଳରେ ପରିବେଶ ସୁରକ୍ଷା ଓ ଗ୍ରାମୀଣ ଅର୍ଥନୀତିର ବିକାଶ ଏହି ପ୍ରୟାସର ଦୁଇଟି ପ୍ରମୁଖ ଦିଗ ହୋଇଛି। ସଂଗଠନର କ୍ଷେତ୍ର ସଂଯୋଜିକା ପୁଷ୍ପଲତା ଜେନା କହିଛନ୍ତି ଯେ, ସ୍ଥାନୀୟ ପ୍ରଶାସନ ଓ ହସ୍ତଶିଳ୍ପ ବିଭାଗର ସହଯୋଗରେ କାରିଗରମାନଙ୍କୁ ଆଧୁନିକ ଡିଜାଇନ୍‌, ଉତ୍ପାଦର ଗୁଣବତ୍ତା ଓ ବଜାର ସଂଯୋଗ ସମ୍ପର୍କରେ ଉନ୍ନତ ତାଲିମ ପ୍ରଦାନ କରାଗଲେ ଏହି କାର୍ଯ୍ୟକ୍ରମରେ ଆହୁରି ଅଧିକ ମହିଳା ଯୋଡ଼ି ହୋଇପାରିବେ। ଉତ୍ପାଦିତ ସାମଗ୍ରୀ, ବିଶେଷକରି ଟୋପି ଓ ବାସ୍କେଟ୍‌ଗୁଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମେଳା ସହ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି କରିବା ପାଇଁ ଯୋଜନା କରାଯାଉଛି। ଏହି ଉଦ୍ୟମ ସଫଳ ହେଲେ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ସହ ବାଲେଶ୍ୱରର ପାରମ୍ପରିକ କାରିଗରୀକୁ ମଧ୍ୟ ନୂଆ ପରିଚୟ ମିଳିପାରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.