ପ୍ରଚ୍ଛଦରେ ଦୀପାଲୁଅରେ ଝଲସୁଛନ୍ତି ମଡେଲ୍ ଜ୍ୟୋତ୍ସ୍ନାରାଣୀ; ୧୦୮ ପୃଷ୍ଠାର ପତ୍ରିକାର ମୂଲ୍ୟ ୭୦ ଟଙ୍କା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରୁ ସୁବାସିନୀ ଜେନାଙ୍କ ସମ୍ପାଦନାରେ ପ୍ରକାଶିତ ମାସିକ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ର ନଭେମ୍ବର ସଂଖ୍ୟା ବଜାରକୁ ଆସିଛି। ପ୍ରଚ୍ଛଦରେ ଦୀପାଲୁଅର ମନୋରମ ପରିବେଶରେ ମଡେଲ୍ ଜ୍ୟୋତ୍ସ୍ନାରାଣୀଙ୍କ ଆକର୍ଷଣୀୟ ଉପସ୍ଥିତି ପତ୍ରିକାର ଶୋଭା ବୃଦ୍ଧି କରିଛି।ଦୀର୍ଘ ଆଠ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ‘ରେବତୀ’ ଓଡ଼ିଶା ସମେତ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ପାଠକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଓ ଲୋକପ୍ରିୟତା ସୃଷ୍ଟି କରିପାରିଛି। ଚଳିତ ସଂଖ୍ୟାରେ ବିଭିନ୍ନ ରୁଚିସମ୍ପନ୍ନ ଆଲେଖ, ଫିଚର୍, ଗଳ୍ପ ଓ କବିତା ସ୍ଥାନ ପାଇଛି। ଲକ୍ଷ୍ମୀପୂଜା ଓ କାଳୀପୂଜା ଉପରେ ସ୍ୱତନ୍ତ୍ର ଆଲେଖ ସହ ରଶ୍ମିରେଖା ବେହେରାଙ୍କ ରଚିତ ‘ପାରାଦୀପ ବନ୍ଦର’ ଫିଚର୍ ଏବଂ ପବିତ୍ର ପାଣିଗ୍ରାହୀଙ୍କ ଦ୍ୱାରା ‘ରେବତୀ’ର ରୂପାନ୍ତର ସମ୍ପର୍କିତ ଆଲୋଚନା ପାଠକଙ୍କ ଆଗ୍ରହ ବଢ଼ାଇବ। କବିତା ବିଭାଗରେ ଅଶୋକ ପୁହାଣ, ପ୍ରଶାନ୍ତ ଦାଶ, ଲିପିକା ଦାସ, ସଂଘମିତ୍ରା ଭୂତିଆ ଓ ପ୍ରୀତିସୀମା ସ୍ୱାଇଁଙ୍କ ସମେତ ଅନେକ କବିଙ୍କ ରଚନା ସ୍ଥାନ ପାଇଛି। ସେହିପରି ଗଳ୍ପ ବିଭାଗରେ ସ୍ମୃତି ପଟ୍ଟନାୟକ, ସ୍ନିଗ୍ଧା ନାୟକ, ଡକ୍ଟର ସିନ୍ଧୁ ସେନ, ବିରଜା ରାଉତରାୟ ଓ ଲିପସା ପଟେଲଙ୍କ ଗଳ୍ପ ପ୍ରକାଶ ପାଇଛି।
ଏହି ସଂଖ୍ୟାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପବିତ୍ର ମୋହନ ଦାଶଙ୍କ ଧାରାବାହିକ ଉପନ୍ୟାସ ‘ଦାସେ ଆପଣେ’ର ନୂତନ ଅଧ୍ୟାୟ। ଏଥିସହ ସୁଷମା ପରିଜାଙ୍କ ଭ୍ରମଣ କାହାଣୀ ଓ କମଳା ଶତପଥୀଙ୍କ ଦିବ୍ୟ ଅନୁଭବ ପାଠକଙ୍କୁ ଭିନ୍ନ ସ୍ୱାଦ ଯୋଗାଇବ। ସମ୍ପାଦକୀୟରେ ସୁବାସିନୀ ଜେନା ‘ଘର ଅଛି ପରିବାର କାହିଁ’ ଶୀର୍ଷକରେ ପରିବାର ଓ ସାମାଜିକ ଜୀବନର ବଦଳୁଥିବା ଚିତ୍ର ଉପରେ ନିଜର ଅନୁଭବ ଓ ଚିନ୍ତନ ଉପସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ, ‘ଶେଷ ପୃଷ୍ଠା’ ସ୍ତମ୍ଭରେ କୃଷ୍ଣ କୁମାର ମହାନ୍ତି ‘ସାହିତ୍ୟରେ ଆଉ ଏକ ନବଜାଗରଣର ଆବଶ୍ୟକତା’ ସମ୍ପର୍କରେ ନିଜର ମତ ରଖିଛନ୍ତି। ୧୦୮ ପୃଷ୍ଠା ବିଶିଷ୍ଟ ଏହି ରଙ୍ଗୀନ ପତ୍ରିକା ଗ୍ଲସି କାଗଜରେ ମୁଦ୍ରିତ ହୋଇଥିବା ବେଳେ ଏହାର ମୂଲ୍ୟ ରହିଛି ମାତ୍ର ୭୦ ଟଙ୍କା। ଓଡ଼ିଶାର ବିଭିନ୍ନ ପତ୍ରିକା ଷ୍ଟଲରେ ଏହା ଉପଲବ୍ଧ ହେଉଛି।





