୧ମ ପୁରସ୍କାର ₹୨୦,୦୦୦/-, ୨ୟ ₹୧୦,୦୦୦/-, ୩ୟ ₹୫,୦୦୦/-
କଳାହାଣ୍ଡି,୭/୧୨: ଓଡ଼ିଶାରେ ଶିକ୍ଷାର ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାର ପ୍ରଗତି ବିଜ୍ଞାନ କଲେଜ ଏକ ମାଇଲଖୁଣ୍ଟ। ଉନ୍ନତ ଧରଣର ବାତାବରଣ ସହ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପ୍ରଚେଷ୍ଟା ବଳରେ ପ୍ରତିବର୍ଷ ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ପ୍ରୟାସ ଜାରି ରଖିଛି ଏହି କଲେଜ। ଚଳିତ ଶିକ୍ଷାବର୍ଷରେ ଏହି କଲେଜର ୪ଜଣ ଛାତ୍ରଛାତ୍ରୀ ଓଡ଼ିଶାର ଶ୍ରେଷ୍ଠ ୨୦ଜଣରେ ସ୍ଥାନ ହାସଲ କରିଛନ୍ତି। ସ୍ୱସ୍ତିକ ପଣ୍ଡା ୫୫୧ ନମ୍ବର ରଖି ସପ୍ତମ ସ୍ଥାନରେ, ଇସିକା ଅଗ୍ରୱାଲ ୫୫୦ ନମ୍ବର ରଖି ଅଷ୍ଟମ ସ୍ଥାନରେ, ସ୍ୱୟଂଜ୍ୟୋତି ବେହେରା ୫୩୯ ନମ୍ବର ରଖି ଅଷ୍ଟାଦଶ ସ୍ଥାନରେ ଓ ଇମାନ ପଣ୍ଡା ୫୩୮ ନମ୍ବର ରଖି ଉନବିଂଶ ସ୍ଥାନରେ ରହିଛନ୍ତି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ତିନି ଜଣ ମେଧାବୀଙ୍କୁ ‘ପ୍ରଗତି ପ୍ରତିଭା ପୁରସ୍କାର’ ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର କୋଡ଼ିଏ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ଦଶ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ପାଞ୍ଚ ହଜାର ଟଙ୍କା ଦିଆଯିବ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଗତି ପ୍ରତିଭା ପୁରସ୍କାର ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ଚାହୁଁଛନ୍ତି, ସେମାନେ ଭବାନୀପାଟଣା ସହର ସ୍ଥିତ ପ୍ରଗତି କଲେଜ ସହିତ ଯୋଗାଯୋଗ କରି ନିଜର ନାମ ପଞ୍ଜିକରଣ କରାଇ ପାରିବେ ବୋଲି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।