ରାୟଗଡରେ ଚଇତିର ବର୍ଣ୍ଣାଢ୍ୟ ସମ୍ଭାର

ଆଦିବାସୀ ହିଁ ବଂଚେଇ ରଖିଛି ପରମ୍ପରା, କଳା ଓ ସଂସ୍କୃତିକୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର

ରାୟଗଡା,୨୭/୧୨ : ରାୟଗଡା ଜିଲ୍ଳାବାସୀଙ୍କ ଅପେକ୍ଷାର ଅନ୍ତ ଘଟାଇ ଡିସେମ୍ବର ୨୬ ତାରିଖ ଶୀତୁଆ ସଂଧ୍ୟାରେ ପାଦ ଥାପିଛି ଚଇତି । ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜି.ସି.ଡି. ପଡିଆ ଠାରେ ଜିଲ୍ଳାସ୍ତରୀୟ ଲୋକ ମହୋତ୍ସବ ”ଚଇତି ଓ ପଲ୍ଳିଶ୍ରୀ ମେଳା – ୨୦୧୯” ଆରମ୍ଭ ହୋଇଯାଇଛି । ଗୁରୁବାର ଠାରୁ ୫ଦିନ ଧରି ଏହି ଚଇତି ମହୋତ୍ସବ ପାଳନ କରାଯିବ । ପ୍ରତ୍ୟେକ ବର୍ଷ ପରି ଚଇତି ପଡିଆରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ହଜାର ହଜାର ସଂଖ୍ୟକ ଦର୍ଶକଙ୍କ ଗହଳରେ ଉଦଘାଟନ କରାଯାଇଥିଲା ।


ଏହି ଉଦଘାଟନୀ ଉତ୍ସବରେ ଶକ୍ତି, ଶିଳ୍ପ ଓ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାୟଗଡା ଜିଲ୍ଳାର ଚଇତି କାର୍ଯ୍ୟକ୍ରମର ସାଜସଜ୍ଜା ଦେଖି ବହୁତ ପ୍ରଂଶସା କରିବା ସହ ୨୦୦୦ ବର୍ଷ ପୂର୍ବର ସଭ୍ୟତାକୁ ଆଦିବାସୀ ସଂପ୍ରଦାୟ ହିଁ ଜୀବିତ ରଖିପାରିଥିବା ବେଳେ ଆଗକୁ ଆସୁଥିବା ଡିଜିଟାଲ ଯୁଗରେ ମଧ୍ୟ ଏହି ସବୁ କଳା, ସଂସ୍କୃତି, ପରମ୍ପରାକୁ ମଧ୍ୟ ଏହି ଆଦିବାସୀମାନେ ହିଁ ଜୀବିତ ରଖିବେ ବୋଲି କହିଥିଲେ । ସେହିପରି ଜିଲ୍ଳାର ଲୋକକଳା, ସଂସ୍କୃତିି, ପାରମ୍ପରିକ ନୃତ୍ୟ, ସାହିତ୍ୟ ଓ ଆଦିବାସୀମାନଙ୍କ ପରମ୍ପରା ଜିଲ୍ଳାକୁ ବିଶ୍ୱରେ ପ୍ରସିଦ୍ଧ କରିପାରିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।


ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଲୋକସଭା ସାଂସଦ ସପ୍ତଗିିରି ଉଲ୍ଳାକା, ଅନୁସୂଚିତ ଜାତି ଓ ଜନଜାତି,ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡ ଜିଲ୍ଳା ପ୍ରଭାରୀ ବରିଷ୍ଠ ଆଇଏଏସ ଅଫିସର ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇ ଅବିଭକ୍ତ କୋରାପୁଟ ଜିଲ୍ଳାର ବିଭିନ୍ନ ଲୋକ ମହୋତ୍ସବ ଗୁଡିକ ମଧ୍ୟରେ ଚଇତି ଅନନ୍ୟ ସହ ରାୟଗଡା ଜିଲ୍ଳାର ଗାଥା ଓ ଗୈାରବର କଥା ଏବଂ କଳାକାର ଭାବେ ଲୁଚି ରହିଥିବା ପ୍ରତିଭାକୁ ପ୍ରତିପାଦନ କରିବାରେ ଚଇତି ମଂଚ ଏକ ଲକ୍ଷ୍ୟ ବୋଲି କହିଥିଲେ ।

ସେହିପରି ଉଦଘାଟନୀ ଉତ୍ସବ ପୂର୍ବରୁ ମାଁ ମଝିଘରିଆଣୀ ମନ୍ଦିର ଠାରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମାଁଙ୍କ ଆଞାମାଳ ଓ ଚଇତି କଳସ ଏବଂ ମଶାଲ ସହ ଏକ ବିଶାଳ ଶୋଭାଯାତ୍ରା ବାହାରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତିଙ୍କ ଠାରୁ ଆଉ ଏକ ଆଞାମାଳ ଅଣାଯାଇ ଚଇତି ମଣ୍ଡପରେ ସ୍ଥାପନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର କଳାପ୍ରେମୀଙ୍କ ଗହଳରେ ସ୍ଥାନୀୟ ଲୋକନୃତ୍ୟ ଢେମସା, ଡଙ୍ଗରିଆ ଓ ଲାଂଜିଆ ସୈାରାଙ୍କ ପାରମ୍ପରିକ ନୃତ୍ୟ, ଘୁମୁରା, କିନ୍ନରମାନଙ୍କ ନୃତ୍ୟ, ନାମ ସଂକୀର୍ତନ ପରିବେଷଣ କରାଯାଇଥିଲା । ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।


ମଣ୍ଡପରେ କଳସ ସ୍ଥାପନା ପରେ ଜିଲ୍ଳା ସଂସ୍କୃତି ପରିଷଦର ସଂଯୋଜକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାୟଗଡ ଜିଲ୍ଳା ପରିଷଦ ଅଧ୍ୟକ୍ଷ ସ୍ୱର୍ଗତଃ ପୁରୁଷୋତମ ଗମାଙ୍ଗଙ୍କ ଅମର ଆତ୍ମାକୁ ଅଶ୍ରୁଳ ଶ୍ରଦ୍ଧାଂଜଳି ଞାପନ ପୂର୍ବକ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସେହିପରି ଚଇତିର ପ୍ରଥମ ରଜନୀରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମେ ଆଜାଦ ହିନ୍ଦ ୟୁଥ ଆସୋସିଏସନ କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିବା ବେଳେ ଅନୀତା ରାଜଗୁରୁଙ୍କ ଦ୍ୱାରା ଓଡଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ପୁଟାସିଂର ଏଲଏସଡିଏ ତରଫରୁ ଲାଂଜିଆ ସଉରା ନୃତ୍ୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଦିବାସୀ ଲୋକନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସାଂସ୍କୃତକି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ହଜାର ହଜାର ସଂଖ୍ୟକ ଦର୍ଶକ ତଥା କଳା ଓ ସଂସ୍କୃତିର କଳା ପ୍ରେମୀମାନେ । କାର୍ଯ୍ୟକ୍ରମ ମଧ୍ୟରେ ଅତିଥି ଓ କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ପଲ୍ଳିଶ୍ରୀ ମେଳାକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉଦଘାଟନ କରି ସମସ୍ତ ଷ୍ଟଲଗୁଡିକ ପରିଦର୍ଶନ କରିଥିଲେ ।

ରାୟଗଡା ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ., ପିଡି ଡିଆରଡିଏ ଅମ୍ରିତ ଋତୁରାଜ, ରାୟଗଡା ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଗୁଣପୁର ଉପଜିଲ୍ଳାପାଳ ବି.ସିଦେ୍ଧଶ୍ୱର, ଗୁଣପୁର, ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ରାୟଗଡା ପିଏ ଆଇଟିଡିଏ ଟୁକୁୁ ବାରିକଙ୍କ ସମେତ ଜିଲ୍ଳା ସାଂସ୍କୃତିକ ପରିଷଦର ସହ ସଂଯୋଜିକା ଶ୍ରୀମତି ରିତା ମିଶ୍ର ଓ ଅନ୍ୟ ଉଚ୍ଚ୍ ପଦସ୍ଥ ଅଧିକାରୀ ଉପସ୍ଥିତ ରହିଥିଲେ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଳା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଏବଂ ଚଇତି ପଡିଆ ଚର୍ତୁପାଶ୍ୱର୍ର୍ରେ ପାର୍କିଂ ସୁୁବିଧା ସହ ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା । ଚଇତି ମଣ୍ଡପର କାର୍ଯ୍ୟକ୍ରମ ଶେଷରେ ଡିଆଇପିଆରଓ ତଥା ଜିଲ୍ଳା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.