ମନରେଗା, ଖାଦ୍ୟ ସୁରକ୍ଷା ଯୋଜନା ଓ କୋଭିଡ୍ ମୁକାବିଲାର କଲେ ସମୀକ୍ଷା
ରାୟଗଡ,୧୫/୭: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଦିନକିଆ ରାୟଗଡ ଜିଲ୍ଳାରେ ଗସ୍ତରେ ଆସି ସରକାରୀଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକକୁ ନେଇ ଜିଲ୍ଳା ପ୍ରଶାସନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧୀର କୁମାର ଦାଶ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ସୁଶାନ୍ତ କୁମାର ମଲ୍ଳିକ, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନକୃଷି ଉପନିର୍ଦ୍ଦେଶକଙ୍କ ସମେତ ଜିଲ୍ଳାର ଅନ୍ୟ ପଦାଧିକାରୀଙ୍କ ଉପସ୍ଥତିରେ ଜିଲ୍ଳାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ବିଶେଷ କରି ବିଶ୍ୱବ୍ୟାପି ମହାମାରୀ କରୋନା, ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଇବା, କୋଭିଡ୍ ମୁକାବିଲା, ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ନିରାପତା ଯୋଜନାରେ ହତିାଧିକାରୀଙ୍କୁ ପିଡିଏସ ସାମଗ୍ରୀ ପ୍ରଦାନ, କୃଷି ଓ ଉଦ୍ୟାନକୃଷିରେ ଅଗ୍ରଗତି ଓ ଶ୍ରମିକମାନଙ୍କୁ ନିଯୁକ୍ତି, ପ୍ରବାସୀ ଶ୍ରମିକମାନଙ୍କ ପରିଚାଳନା ଓ କର୍ମନିଯୁକ୍ତି ଯୋଗାଣ ଆଦି ବିଷୟଗୁଡିକ ଉପରେ ସମୀକ୍ଷା କରିଥିଲେ ।
ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରିବା ବେଳେ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା କରୋନା ପାଇଁ ଯେପରି ସାଧାରଣ ରୋଗୀ ଅସୁବିଧା ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ହେଲେ ଜିଲ୍ଳାର ପ୍ରବେଶ ପଥଗୁଡିକ ସିଲ କରିବାକୁ ଜିଲ୍ଳାପାଳଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ନିରାପତା ଯୋଜନାରେ ହିତାଧିକାରୀମାନେ ସୁବିଧାସୁଯୋଗ ପାଇପାରିବେ ସେଥିପାଇଁ ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାର ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଯେପରି ଶ୍ରମିକ କାର୍ଡ ମିଳିବ ସେଥିପାଇ ଡାଟାବେସ ପ୍ରସ୍ତୁତ କରିବାକୁ ଓ ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରି କର୍ମସଂସ୍ଥାନ ଯୋଗାଇବା ପାଇଁ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଥିଲେ ।
ରାୟଗଡ ପଂହଚିବା ପୂର୍ବରୁ ଶ୍ରୀ ଦାସବର୍ମା ଜିଲ୍ଳାର ଗୁଣପୁରରେ ପୂର୍ବାହ୍ନରେ ପଂହଚି ସେଠାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । କୋଭଡି ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଳାପାଳ ବି.ସିଦ୍ଧେଶ୍ୱର ବନ୍ଦର ଓ ବିଡିଓ ଶ୍ରୀମତି ଶାନ୍ତିପ୍ରଭା ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ଗୁଣପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । କୋଭିଡ କେନ୍ଦ୍ରର ସମସ୍ତ ବ୍ୟବସ୍ଥା କିପରି ପରିଚାଳନା କରାଯାଉଛି ତାହା ଗୁଣପୁର ଉପଖଣ୍ଡ ଚିକିତ୍ସାଧୀକାରୀ ରମେଶଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । କରୋନା ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ପରାମର୍ଶ ଦେଇଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଓ ସାମୁହିକ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ରାମନାଗୁଡା ବ୍ଳକ ପରିଦର୍ଶନ କରିଥିଲେ ଓ ସେଠାରେ ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in