ଯାଦବଙ୍କ ସଂକ୍ଷିପ୍ତ ପରିଚୟ ଏବଂ ଷାଠିଏ ଓ ଅଶି ବର୍ଷିଆ ପ୍ରସଙ୍ଗ

“ଏ…

ଯଯାତି ନାମେ ରାଜା ହୋ ଖ୍ୟାତ ତିନି ପୁରୀ
ଦେବଜାନୀ ଶର୍ମିଷ୍ଠା ଯେ ତା ଦୁଇ ସୁନ୍ଦରୀ…..
ଦେବଜାନୀ ଠାରୁ ସଖିରେ ଯଦୁ ନାମେ ସୁତ
ସେଠାରୁ ଯାଦବ ବଂଶ ହୋଇଲା ବିଖ୍ୟାତ…..ହୋ…।।” (ପ୍ରାଚୀନ କୃଷକ ଗୀତିକା)

ପୁରାଣ ବର୍ଣ୍ଣନା ଅନୁସାରେ ବିଷ୍ଣୁଙ୍କ ନାଭି କମଳରୁ ବ୍ରହ୍ମା ଜାତ ହେଲେ । ବ୍ରହ୍ମାଙ୍କ ପୁତ୍ର ଅତ୍ରି, ଅତ୍ରିଙ୍କ ପୁତ୍ର ସୋମ । ସୋମଙ୍କ ଠାରୁ ସୋମ ବଂଶ ବା ଚନ୍ଦ୍ର ବଂଶର ଉତ୍ପତ୍ତି ହୋଇଛି । ବୈବସୁତଙ୍କ ପୁତ୍ର ମନୁ । ମନୁଙ୍କ ପୁତ୍ର ଇକ୍ଷ୍ୟାକୁଙ୍କ ଠାରୁ ସୂର୍ଯ୍ୟବଂଶର ଉତ୍ପତ୍ତି । ମନୁଙ୍କ କନ୍ୟା ଇଳା ବୁଧଙ୍କୁ ବିବାହ କଲେ । ବୁଧଙ୍କ ଔରସରେ ଇଳାଙ୍କ ଗର୍ଭରୁ ପୁରୁରବାଙ୍କ ଜନ୍ମ । ପୁରୁରବା ସୋମ ବଂଶ ବା ଚନ୍ଦ୍ର ବଂଶର ଆଦି ପୁରୁଷ ଭାବେ ବିଦିତ ହେଲେ । ପୁରୁରବାଙ୍କ ସାତ ପୁତ୍ର – ଆୟୁ, ଶ୍ରତାୟୁସ, ରୟ, ବିଜୟ, ଜୟ ଏବଂ ଅମାବାସୁ । ସମ୍ରାଟ ଆୟୁଙ୍କ ପାଞ୍ଚ ପୁତ୍ର, ସେମାନଙ୍କ ମଧ୍ୟରୁ ଜ୍ୟୋଷ୍ଠ ପୁତ୍ର ନହୁଷ ରାଜା ହେଲେ । ନହୁଷଙ୍କ ପୁତ୍ର ଯଯାତି । ଯଯାତି ଚନ୍ଦ୍ର ବଂଶର ବୌରବ ବୃଦ୍ଧିରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଯଯାତିଙ୍କ ଦୁଇ ରାଣୀ ଥିଲେ – ଦେବଜାନୀ ଓ ଶର୍ମିଷ୍ଠା । ସମ୍ରାଟ ଯଯାତି ଓ ଦେବଜାନୀଙ୍କ ପୁତ୍ର ହେଲେ ଯଦୁ ଓ ତର୍ବସୁ । ଅନ୍ୟପଟେ ଯଯାତିଙ୍କ ଔରସରୁ ଶର୍ମିଷ୍ଠାଙ୍କ ଗର୍ଭରୁ ପୁରୁ, ଅନୁ, ଦ୍ରୁହ୍ୟୁ ଓ ସୁର ନାମକ ୪ ପୁତ୍ର ଜାତ ହେଲେ । ଯଯାତିଙ୍କ ଅନ୍ତେ ଯଦୁ ସିଂହାସନ ଆରୋହଣ କଲେ । ମହାରାଜ ଯଦୁଙ୍କ ନାମାନୁସାରେ ଏହି ବଂଶ ଯଦୁ ବଂଶ ନାମରେ ଖ୍ୟାତ ହେଲା । ଯଦୁ ବଂଶରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ।

ପୁରୁଙ୍କ ଠାରୁ ପୌରବ ଓ ଅନୁଙ୍କ ଠାରୁ ଆଣବ ବଂଶ ଉତ୍ପତ୍ତି ହେଲା । ଅନୁଙ୍କ ପୁତ୍ର ହେଲେ ତିତିକ୍ଷୁ ଓ ଉଶୀନର । ତିତିକ୍ଷୁଙ୍କ ପୁତ୍ର ହେଲେ ଅଙ୍ଗ, ବଙ୍ଗ ଓ କଳିଙ୍ଗ । ପରବର୍ତ୍ତି ସମୟରେ ଏହି ତିନି ମହାରାଜଙ୍କ ନାମରେ ଅଙ୍ଗ, ବଙ୍ଗ ଓ କଳିଙ୍ଗ ଦେଶ ପ୍ରତିଷ୍ଠିତ ହୋଇଥିଲା । ଅନ୍ୟପଟେ ଶସ୍ତ୍ରଜିତ ଓ କୋଷ୍ଟ୍ରୁ ଯାଦବ ଶାଖାର ପ୍ରତିଷ୍ଠାତା ଥିଲେ । ହୈହୟମାନଙ୍କ ପରବର୍ତ୍ତି ବଂଶଧରମାନେ ନର୍ମଦା ନଦୀ ତଟରେ ମାହେଷ୍ମତୀ ନଗର ସ୍ଥାପନ କରିଥିଲେ ।

ତେଣୁ ସୋମ ବଂଶ, ଚନ୍ଦ୍ର ବଂଶ ଓ ଯଦୁ ବଂଶ ଏକ ଓ ଅଭିନ୍ନ । ଏହି ବଂଶଧର ମାନଙ୍କୁ ଯାଦବ ବୋଲି କୁହାଯାଏ । ଋଗବେଦ ବର୍ଣ୍ଣିତ ମୁଖ୍ୟ ଜାତି ଓ ରାଜ ବଂଶ ମାନଙ୍କ ମଧ୍ୟରେ ଯାଦବ ଜାତି ବିଶିଷ୍ଟ ଭୂମିକା ନେଇଥିଲା । ଯାଦବ ମାନଙ୍କ ବିଷୟରେ ବେଦଠାରୁ ଆରମ୍ଭ କରି ଭାଗବତ, ଅଗ୍ନିପୁରାଣ, ବ୍ରହ୍ମ ପୁରାଣ, ମାର୍କଣ୍ଡେୟ ପୁରାଣ, ମତ୍ସ୍ୟପୁରାଣ, ପଦ୍ମ ପୁରାଣ, ବାୟୁ ପୁରାଣ, ଶିବ ପୁରାଣ, ବିଷ୍ଣୁ ପୁରାଣ, ମହାଭାରତ ଆଦି ମୁଖରିତ ହୋଇଛନ୍ତି । ଓଡିଶାରେ ଆଦିକବି ସାରଳା ଦାସଙ୍କ ମହାଭାରତ, ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତ, ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ ଓ ଅନ୍ୟାନ୍ୟ ଗ୍ରନ୍ଥ ମାନଙ୍କରେ ଯଦୁବଂଶର ଇତିହାସ ସଂପର୍କରେ ବିଷଦ ସୂଚନା ମିଳେ ।

ସପ୍ତବଂଶୀ ଯାଦବ ଆର୍ଯ୍ୟବର୍ତ୍ତର ବିଭିନ୍ନ ସ୍ଥାନରେ ଶାସନ କରୁଥିଲେ । ବୈଦିକ ଯୁଗରେ ସମଗ୍ର ଅଧୁନା ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ମଧ୍ୟପ୍ରଦେଶ ତଥା ଭାରତର ଦକ୍ଷିଣାଂଶରେ ଯାଦବମାନେ ବିସ୍ତାର ଲାଭ କରିଥିଲେ । ପୁରାଣ ମାନଙ୍କରେ ଉଲ୍ଲେଖ ଅଛି ଏମାନେ ମଧ୍ୟ ଏସିଆ ମହାଦେଶର କେନ୍ଦ୍ର ଓ ପଶ୍ଚିମ ଏସିଆକୁ ଯାଇଥିଲେ । ଏଥିରୁ ପ୍ରମାଣିତ ହୁଏ ଯେ, ଆଭିର ନାମରେ ନାମିତ ଯାଦବମାନେ ନିଜର ଭ୍ରମଣ ସ୍ବଭାବରୁ କେନ୍ଦ୍ର ଭାରତ, ଗୁଜୁରାଟ, ମହାରାଷ୍ଚ୍ର ଓ କର୍ଣ୍ଣାଟକ ଅଞ୍ଚଳକୁ ଯାଇ ବସତି ସ୍ଥାପନ କରିଥିଲେ । ସେମାନଙ୍କ ବଂଶଧରମାନେ ଆନ୍ଧ୍ର ଓ ତାମିଲନାଡୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଚେଦି ଓ ପୌରବମାନେ ବିହାର, ଓଡିଶା ଓ ବଙ୍ଗଳାରେ ବିସ୍ତାରଲାଭ କଲେ । ଗ୍ରୀୟରସନ୍, କେନେଡି, ଭଣ୍ଡାରକର ଆଦି ସ୍ବଦେଶୀ ଓ ବିଦେଶୀ ଐତିହାସିକଗଣ ଯାଦବମାନଙ୍କୁ ଭାରତର ସର୍ବପ୍ରାଚୀନ ଜାତି ବୋଲି ମତ ଦେଇଛନ୍ତି ।

ଷାଠିଏ/ଅଶି ବର୍ଷିଆ ପ୍ରସଙ୍ଗ

ଅନେକ ସମୟରେ ଅନେକ ଅସହିଷ୍ଣୁ ଲୋକ ଯାଦବଙ୍କୁ ଷାଠିଏ ବର୍ଷିଆ, ଅଶି ବର୍ଷିଆ ଆଦି ଆକ୍ଷେପ କରିଥାନ୍ତି। ତେବେ ବାସ୍ତବିକ କଥା ସଂପୂର୍ଣ୍ଣ ଭିନ୍ନ। ଏହି ଲୋକାକ୍ତି ମଧ୍ୟରେ ଅନେକ ଗୁଢ ତତ୍ତ୍ଵ ନିହିତ ରହିଛି। ଏହା ପୈାରାଣିକ, ଐତିହାସିକ, କିମ୍ବଦନ୍ତୀକୁ ନେଇ ଗତିଶୀଳ ହୋଇଛି। ତେଣୁ ଏ ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ।

ପ୍ରସଙ୍ଗ: ୧

ଦ୍ବାପର ଯୁଗର କଥା । ଗୋଳକ ବିହାରୀ ଶ୍ରକୃଷ୍ଣ ଦୁଷ୍ଟ ଦଳନ ଓ ସନ୍ଥ ପାଳନ ପାଇଁ ପରମ ପବିତ୍ର ଯଦୁ ବଂଶରେ ଜନ୍ମ ଗ୍ରହଣ କରିଥାନ୍ତି। ସେ ବଡ ଭାଇ ବଳରାମ ଓ ଗୋପର ଗୋପାଳ ବାଳକ ମାନଙ୍କ ସହ ପ୍ରତିଦିନ ଗାଇ ଚରାଇବାକୁ ବଣକୁ ଯାଆନ୍ତି। ଦିନେ ଗୋଗଷ୍ଠରେ ଗୋପ ବାଳକ ମାନଙ୍କୁ ଡାକି ଶ୍ରୀକୃଷ୍ଣ କହିଲେ – ତୁମେ ମାନେ ଘରକୁ ଯାଇ ଯାହାବି ଅସ୍ତ୍ର ଶସ୍ତ୍ର ଅଛି ନେଇଆସ। ଗୋପାଳମାନେ କହିଲେ ଅସ୍ତ୍ର ଶସ୍ତ୍ରକୁ ନେଇ କ’ଣ କରିବା? ସେସବୁ ଆମର ସୁରକ୍ଷା ପାଇଁ ଘରେ ରହିଥାଏ। କୃଷ୍ଣ କହିଲେ – ଅସ୍ତ୍ର ଶସ୍ତ୍ର ତ ଘରେ ରହିଛି, ଏଠି (ବଣରେ) ତୁମେ ମାନେ କିପରି ଶତ୍ରୁର ମୁକାବିଳା କରିବ ??? ତେଣୁ ମୋ କଥା ମାନି ଘରୁ ସବୁ ଅସ୍ତ୍ର ନେଇଆସ, ତା’ପରେ ବାକି କଥା? କୃଷ୍ଣ ପୂର୍ବରୁ ଗୋବର୍ଦ୍ଧନ ପର୍ବତ ଧାରଣ କରି ଗୋପପୁରକୁ ଇନ୍ଦ୍ର କୋପରୁ ରକ୍ଷା କରିଥିଲେ, ତେଣୁ ତାଙ୍କ ଉପରେ ସମସ୍ତ ଗୋପାଳ ମାନଙ୍କ ଯଥେଷ୍ଟ ଭରସା ଥାଏ। ତେଣୁ କୃଷ୍ଣଙ୍କୁ ଏକା ଛାଡି ବଳରାମ ସମେତ ସମସ୍ତ ଗୋପାଳ ଗୋପପୁରକୁ ଯାଇ ସମସ୍ତଙ୍କ ଘରୁ ଅସ୍ତ୍ର ସଂଗ୍ରହ କରି ଗୋଗୋଷ୍ଠକୁ ଆଣିଲେ। କୃଷ୍ଣ ଆଗେ ଆଗେ ଚାଲିଲେ ବିନା ବାକ୍ୟ ବ୍ୟୟରେ ଗୋପ ବାଳକ ମାନେ ତାଙ୍କର ଅନୁଧାବନ କଲେ। ପରିଶେଷରେ କୃଷ୍ଣ ଜମୁନା ନଦୀ ତଟରେ ଠିଆ ହେଲେ। ସମସ୍ତଙ୍କ ହସ୍ତରୁ ଅଶି (ଅସ୍ତ୍ର) ନେଇ ସେ ଜମୁନାରେ ନିକ୍ଷେପ କଲେ। ଏହା ପରେ ଗୋପାଳ ମାନଙ୍କୁ ସମ୍ବୋଧିତ କରି ସେ କହିଲେ – ହେ ମୋର ପ୍ରିୟ ଗୋପାଳଗଣ ଆଜି ଠାରୁ ଗୋପ ପୁରରେ ରକ୍ତପାତ ହେବନାହିଁ। କେହି ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରର ବ୍ୟବହାର କରିବେ ନାହିଁ। ଦୁଷ୍ଟ ସଂହାର ପାଇଁ ମୁଁ ଅବତାର ଗ୍ରହଣ କରିଛି। ତେବେ ଦୁଷ୍ଟ ଅସୁର ମାନଙ୍କ ସଂହାର ପାଇଁ ଗୋପରେ ମୁଁ ମଧ୍ୟ ଅସ୍ତ୍ରର ବ୍ୟବହାର କରିବିନାହିଁ। ଆଜି ଠାରୁ ସଂସାରକୁ ଶିକ୍ଷା ଦେବାପାଇଁ ଏହି ଅଶି ବିସର୍ଜନ କରାଗଲା। ଏହାପରେ କୃଷ୍ଣ ଗୋପ ବାଳକ ମାନଙ୍କୁ କେନ୍ଦୁ ବାଡି ସଂଗ୍ରହ କରିବାକୁ କହିଲେ। ଗୋପାଳମାନେ କେନ୍ଦୁ ବାଡି ନେଇ ଆସିଲେ। କୃଷ୍ଣ ବଡ ଭାଇ ବଳରାମଙ୍କୁ ବାଡି ଖେଳର ଶିକ୍ଷା ଦେବାପାଇଁ ଅନୁରୋଧ କଲେ। ବଳରାମ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ଗୋପ ବାଳକ ମାନଙ୍କୁ ବାଡି ଖେଳ ଶିକ୍ଷା ଦେଲେ। ବାଡି ଖେଳର ଦ୍ବାଦଶ ଛାନ୍ଦ ଅଳ୍ପ ଦିନ ମଧ୍ୟରେ ସମସ୍ତେ କରାଗତ କରିଗଲେ। ଜଣେ ଜଣେ ଏକା ସାଙ୍ଗରେ ଦଶ/ବାର ଜଣଙ୍କୁ ସମ୍ନା କରୁଥାନ୍ତି। ଖଣ୍ଡିଏ ବାଡି ଗୋପ ବାଳକ ମାନଙ୍କୁ ଅଶି ଠାରୁ ଅଧିକ ସୁରକ୍ଷା ଦେଇ ପାରିଲା। ଗୋପପୁର ରେ ଯାଦବମାନେ ଅଶି ବର୍ଜିତ କରିଥିବାରୁ ପରବର୍ତ୍ତୀ ସମୟରେ ‘ଅଶି ବର୍ଜିଆ’ ଅପଭ୍ରଂଶ ହୋଇ ଅଶି ବର୍ଚ୍ଛିଆ ଓ ପରେ ଅଶି ବର୍ଷିଆ ହୋଇଛି।

ପ୍ରସଙ୍ଗ: ୨

ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀରେ ମହାକାନ୍ତାରରେ ‘ବ୍ୟାଘ୍ରରାଜ’ ନାମକ ଜଣେ ଶାସକ ଶାସନ କରୁଥିଲେ। ଏହ୍ଲାବାଦ ସ୍ତମ୍ଭ ଶିଳାଲେଖ ଅନୁଯାଇ ସମ୍ରାଟ ସମୁଦ୍ରଗୁପ୍ତ ପ୍ରାୟ ଖ୍ରୀଷ୍ଟାବ୍ଦ ୩୫୦ରେ ଦକ୍ଷିଣ ଭାରତକୁ ଯୁଦ୍ଧାଭିଯାନ କରିଥିଲେ। ସମୁଦ୍ରଗୁପ୍ତ ଦକ୍ଷିଣ କୋଶଳର ରାଜା ମହେନ୍ଦ୍ର ଓ ମହାକାନ୍ତାର ରାଜା ‘ବ୍ୟାଘ୍ରରାଜ’ଙ୍କୁ ପରାସ୍ତ କରିଥିଲେ। ପ୍ରାଚୀନ କାଳରେ ମହାକାନ୍ତାର, କାନ୍ତାର, ଆଟବିକ, ବିଦ୍ୟାଧର ରାଜ୍ୟ, ଇନ୍ଦ୍ରବଣ, କାରୁଣ୍ଡ ଆଦି ବିଭିନ୍ନ ନାମରେ ନାମିତ ହୋଇଥିବା କଳାହାଣ୍ଡିର ଏକ ସମୃଦ୍ଧ ପୃଷ୍ଠ ଭୂମୀ ରହିଛି। ବ୍ୟାଘ୍ରରାଜଙ୍କ ପରେ ଏହି ଅଞ୍ଚଳରେ ବାକତକ/ଦ୍ବାରକ ରାଜବଂଶ (୫ମ – ୬ଷ୍ଠ ଶତାବ୍ଦୀ), ପଣ୍ଡୁ ବଂଶିୟ ବା ସୋମ ବଂଶ (୭ମ ଶତାବ୍ଦୀ) ର ଶାସନ ଚାଲିଥିଲା। ସୋମବଂଶୀ ରାଜା ହର୍ଷଗୁପ୍ତ ମଗଧ ସମ୍ରାଟ ସୂର୍ଯ୍ୟ ବର୍ମନଙ୍କ କନ୍ୟା ବାସଟଙ୍କୁ ବିବାହ କରିଥିଲେ। ସୋମବଂଶୀ ଶାସନର ୬୦ ବର୍ଷ ମଧ୍ୟରେ ମଗଧରୁ ୬୦ରୁ ଅଧିକ ମଗଧା ଯାଦବ ବଂଶ ଏହି ଅଞ୍ଚଳକୁ ଆସି ବସବାସ କରିବାକୁ ଲାଗିଲେ। ତେଣୁ ସେମାନଙ୍କୁ ଷାଠିଏ ବର୍ଷିଆ ବୋଲି ମଧ୍ୟ କୁହାଯାଇଥାଇପାରେ।
ହଳିଆ ଗୀତରେ-

” ହୋ…..
ବ୍ୟାଘ୍ର ହେଲା ବାଗ ସଖିରେ ଛିନ୍ଦକ ହେଲେ ନାଗ….
ଐର ହେଲେ କରୁଆଁ ବନ୍ଦିଛୋଡ..
ବନ୍ଦିଛୋଡ ସଖିରେ ଗଉଡେ ଲଣ୍ଡ ଭଣ୍ଡ …..
ଲଣ୍ଡକି ଭଣ୍ଡ ସଖିରେ ଷାଠିଏ ବରଷ…
ଜରାସନ୍ଧ ରାଜ୍ୟୁ ଆସି କନ୍ଧ ଦେଶେ ବାସ……।।”

ପ୍ରସଙ୍ଗ: ୩

ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲିଳା ସମୟର କଥା। ଗୋପପୁରରେ ଜଣେ ଅନ୍ଧ ବାସ କରୁଥାଏ। ସେହି ଅନ୍ଧର ପୁଅ ସାଙ୍ଗରେ ସାଙ୍ଗ ହୋଇ କୃଷ୍ଣ ବାଲି ଖେଳ ଖେଳୁଥାନ୍ତି। ଖେଳ ଭିତରେ ସେ ଅନ୍ଧ ପୁଅର ବାଲି ଘର ଭାଙ୍ଗିଦେଲେ। ଅନ୍ଧର ପୁଅ କାନ୍ଦିବାକୁ ଲାଗିଲା। ଅନ୍ଧ ଜଣକ ବାଳକମାନେ ଖେଳୁଥିବା ପାଖରେ ବସିଥିଲା। ସେ ପୁଅର କାନ୍ଦ ଶୁଣି କାରଣ ପଚାରିଲା। ସବୁ ବିଷୟ ଜାଣିବାପରେ ଅନ୍ଧ ବ୍ୟକ୍ତି ଜଣକ କୃଷ୍ଣଙ୍କୁ ଗାଳି ଦେବାରେ ଲାଗିଲା। ଏହାପରେ ସେ କହିଲା, ଷାଠିଏ ବର୍ଷରେ ନନ୍ଦରାଜା ପୁଅ ନୁହଁତ ଭୁତଟିଏ ଜନ୍ମ କରିଛନ୍ତି।

ଅନ୍ଧର କଥା ଶୁଣି କୃଷ୍ଣ କହିଲେ – ତୁମେ ଅଜଥାରେ ମୋତେ ଏବଂ ମୋର ପିତାଙ୍କୁ ଗାଳି ମନ୍ଦ କରୁଛ। ତୁମ ପୁଅ ଯେପରି ମିଛୁଆ ତୁମେ ମଧ୍ୟ ସେପରି ମିଛୁଆ। ତୁମେ ଭଲ ଭାବରେ ଦେଖ, ମୁଁ ତୁମ ପୁଅର ଘର ଭାଙ୍ଗିନାହିଁ।

ଅନ୍ଧ କହିଲା – ଆରେ କପଟି କୃଷ୍ଣ ତୁ ମୋତେ ତାତ୍ସଲ୍ୟ କରୁଛୁ। ତୁ ଜାଣିଛୁଯେ ମୁଁ ଦେଖିପାରେ ନାହି। ଏହାପରେ ମଧ୍ୟ ଦେଖିବାକୁ କହୁଛୁ। ଷାଠିଏ ବର୍ଷିଆର ପୁଅ କୃଷ୍ଣ ତୁ ଔଧତ୍ୟର ସବୁ ସୀମା ପାରି କରି ସାରିଛୁ। ଏତିକି କହିବା ମଧ୍ୟରେ ଧିରେ ଧିରେ ଅନ୍ଧର ଚକ୍ଷୁ ଫିଟିବାରେ ଲାଗିଲା। ସମ୍ମୁଖରେ ସେ ଅପୂର୍ବ ମନୋହର ଋପକୁ ଦେଖି ଭାବ ବିହ୍ୱଳ ହୋଇ ଉଠିଲା। କୃଷ୍ଣଙ୍କ ପାଦତଳେ ପଡିଯାଇ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କଲା। କୃଷ୍ଣ ଅନ୍ଧକୁ ତଳୁ ଉଠାଇ କହିଲେ – ମୁଁ ସବୁବେଳେ ଭକ୍ତ ଭାବରେ ବନ୍ଧା। ତୁମେ ସବୁବେଳେ ମନମଧ୍ୟରେ ମୋର ଋପକୁ ଧ୍ୟାନ କରି ଆସୁଥିଲ। ତେଣୁ ତୁମକୁ ମୋର ବାଲ୍ୟ ସ୍ବରୂପ ଦର୍ଶନ କରାଇବାକୁ ଚକ୍ଷୁ ପ୍ରଦାନ କଲି। ତୁମେ ମୋର ପିତାଙ୍କୁ ଷାଠିଏ ବର୍ଷିଆ ବୋଲି କହିଥିବା କଥା ଲୋକାକ୍ତି ହୋଇ ରହିଥାଉ। ତୁମେ ଏବେ ସ୍ୱଚ୍ଛନ୍ଦରେ ଜୀବନ ଜାପନ କରିବ ଏବଂ ମୃତ୍ୟୁପରେ ବୈକୁଣ୍ଠକୁ ଗମନ କରିବ। ନନ୍ଦଙ୍କ ପ୍ରତି ଅନ୍ଧ କହିଥିବା ‘ଷାଠିଏ ବର୍ଷିଆ’ କଥା ଆଜି ମଧ୍ୟ ଲୋକାକ୍ତି ହୋଇ ରହିଛି।

ଓଡିଶାର ପ୍ରାଚୀନ କୃଷକ ଗୀତିକାରେ ଏହି କଥା –

“ଏ… କଇଁସି କାକୁଡି ଯେ ଜଡାତେଲେ ଭଜା
ଷାଠିଏ ବର୍ଷିଆ ନନ୍ଦ ସଖିରେ ଗୋପପୁରେ ରଜା….
ଗୋପପୁରେ ରାଜା ସଖିରେ ଅନ୍ଧର ଗୀତିରି
ଶିରେ ମୁକୁଟ କରିଲା ନନ୍ଦ ଦଣ୍ଡଧାରୀ…. ହୋ….।।”

ପ୍ରସଙ୍ଗ: ୪

ପୂର୍ବେ ଆର୍ଯ୍ୟବର୍ତର ବିଭିନ୍ନ ବର୍ଷ (ରାଜ୍ୟ/ଦେଶ)ରେ ଯଦୁ ବଂଶଜ ମାନେ ଶାସନ କରୁଥିଲେ। ୮୦ଟି ବର୍ଷ (ଦେଶ)ରେ ରାଜୁତି କରୁଥିବା ରାଜାମାନଙ୍କ ଏକ ମହା ମେଣ୍ଟ ଥିଲା। ସେମାନେ ବିପଦ ଆପଦ ସମୟରେ ଏକଜୁଟ ହୋଇ ଶତ୍ରୁଙ୍କୁ ଦମନ କରୁଥିଲେ। ଏମାନଙ୍କୁ ସମସ୍ତେ ଭୟ କରୁଥିଲେ ତଥା ଅଶି ବର୍ଷିଆ ବୋଲି ବୋଲି କହୁଥିଲେ। ସେହି ଶାସକ ବା ରାଜା ମାନଙ୍କ ଅମର ଗାଥା ଇତିହାସ ପୃଷ୍ଠାରେ ଜଳ ଜଳ ହୋଇ ଦିଶିଥାଏ।

କୃଷକ ଗୀତିକା ଅଶି ବର୍ଷିଆ ରାଜା ମାନଙ୍କୁ ନେଇ ମୁଖରିତ ହୋଇଛି –

“ହୋ… ଡଙ୍ଗର ଶିଖରେ ସଖିରେ ସରଲି ଗଲା ରନା
ଫର ଫର ଉଡୁଅଛେ ଯଦୁବଂଶୀ ବାନା….
ବାଜୁଚେ ଗଣା ବଜା ସଖିରେ ଉଡେ ବାଜ ପକ୍ଷୀ
ଚାରିକୁଡି ରଜା ଥାଟ ଆସୁଚେ ଗରଜି…. ହୋ…।।”

ପରିଶେଷରେ ଏତିକି କୁହାଯାଇପାରେ ଯେ, ଆର୍ଯ୍ୟବର୍ତ୍ତର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଯଦୁ ବଂଶଜଙ୍କ ଦାନ ଅତୁଳନୀୟ। ଏକ ସମୃଦ୍ଧ ସଂସ୍କୃତିର ସଂରକ୍ଷକ ଭାବେ ଯାଦବ କୂଳ ଅନେକ ବାଧାବିଘ୍ନ ସତ୍ତ୍ଵେ ନିଜର ବଂଶ ପରମ୍ପରାକୁ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି। ଷାଠିଏ ଓ ଅଶି ବର୍ଷିଆ ଲୋକାକ୍ତି ମଧ୍ୟରେ ଯଦୁ ବଂଶର ଗୈାରବମୟ ଗାଥା ପରିଲକ୍ଷିତ ହୋଇଥାଏ।

✍🏾 ସୁନୀଲ କୁମାର ଧଙ୍ଗଡାମାଝୀ

ସମ୍ପାଦକ ‘ଓଡ଼ିଆ ବାର୍ତ୍ତା’

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.