ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜର ପ୍ରିନ୍ସପାଲ ନାରାୟଣ ନାଏକ ଅବସର ଗ୍ରହଣ କରିଛନ୍ତି। ଏନେଇ କଲେଜ ପରିସରରେ ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, ଅଧ୍ୟାପିକା ବାସନ୍ତୀ ସାହୁ, ସଂଘମିତ୍ରା ପଣ୍ଡା, କର୍ମଚାରୀ ସନ୍ତୋଷ ନାଏକ ପ୍ରମୁଖ ମଞ୍ଚାସୀନ ରହି ପ୍ରିନ୍ସପାଲ ନାରାୟଣ ନାଏକଙ୍କ କର୍ମ ନିଷ୍ଠତା ଓ ଦୀର୍ଘ ବର୍ଷ ଧରି କଲେଜ ପରିଚାଳନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରଥମେ ଗଣପତିଙ୍କ ପୁଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅଧ୍ୟାପକ ଶ୍ରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅଧ୍ୟକ୍ଷ ଶ୍ରୀ ନାଏକଙ୍କ ଶୃଙ୍ଖଳିତ କାର୍ଯ୍ୟକାଳ ସମୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ନାଏକଙ୍କ ଡିଗ୍ରୀ କଲେଜ ପ୍ରତି ନିଷ୍ଠାପର ସେବା, ସମୟାନୁବର୍ତ୍ତିତା, ଛାତ୍ରବତ୍ସଳ ସ୍ୱଭାବ ବିଷୟରେ ତାଙ୍କ ବକ୍ତବ୍ୟରେ କହିଥିଲେ।

ଏହାପରେ ସ୍ନାତକ ଛାତ୍ରଛାତ୍ରୀଙ୍କ ତରଫରୁ ବିଦାୟୀ ପ୍ରିନ୍ସପାଲ ଶ୍ରୀ ନାଏକଙ୍କୁ ଅବସର ଜୀବନ ଶାନ୍ତିପୂର୍ଣ୍ଣ ରହୁ ବୋଲି ମନାସୀ କେକ କାଟିଥିଲେ। ତିନିଗୋଟି ବର୍ଷର ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରିୟ ଗୁରୁଙ୍କୁ ଉପଢୌକନ ପ୍ରଦାନ କରିବା ସହ ବିଭିନ୍ନ ଉପହାର ଓ ସ୍ମୃତିଚିହ୍ନ ମାନ ପ୍ରଦାନ କରିଥିଲେ। ଅଧ୍ୟାପକ ରମେଶ ଘଡେଇ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା କୌଶଲ୍ୟା ଗଡବା, କର୍ମଚାରୀ କିଶୋର ଚାନ୍ଦ, ଶାରିରୀକ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦାୟୀ ପ୍ରିନ୍ସପାଲ ଶ୍ରୀନାଏକ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ବିଦାୟୀ ବକ୍ତବ୍ୟରେ ବାପା ମା ଙ୍କ କଥା ମାନି, ଭଲ ପାଠ ପଢି ଜଣେ ଭଲ ମଣିଷ ହୋଇ ସମାଜରେ ବଞ୍ଚିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ।

ନର୍ଲା ଡିଗ୍ରୀ କଲେଜ ଓ ଯୁକ୍ତଦୁଇ କଲେଜ ଗୋଟିଏ କ୍ୟାମ୍ପସରେ ରହିଛି। ଏଣୁ ଅପରାହ୍ନ ଦ୍ୱିତୀୟ ଅଧିବେସନରେ ଡିଗ୍ରୀ ଓ ଯୁକ୍ତ ଦୁଇ ପାଞ୍ଚଗୋଟି ବର୍ଷର ଛାତ୍ରଛାତ୍ରୀ ମାନେ ସାମୁହିକ ଭାବରେ ସେମାନଙ୍କ ପ୍ରିୟ ଗୁରୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ମୋତେ ଏଇଠି ଷ୍ଟାଫ ଓ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଯୋଉ ସ୍ନେହ ମିଳିଛି ତାହା ମୁଁ ଜୀବନରେ ମଧ୍ୟ ଭୁଲି ପାରିବି ନାହିଁ। ମୁଁ ଅବସର ନେଇ ବିଦାୟ ନେଇକି ଯାଉଥିଲେ ମଧ୍ୟ କଲେଜ ସହ ଓ ଛାତ୍ରୀଛାତ୍ରୀ ମାନଙ୍କ ସହ ସବୁ ବେଳେ ଯୋଗାଯୋଗରେ ରହିବି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





