ଦାଦନ ରୋକିବାକୁ ଜନ ଶିକ୍ଷଣ ସଂସ୍ଥାନର ପ୍ରୟାସ: ଟେଲରିଂ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ ଅଞ୍ଚଳ ଏକ ଦାଦନପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳର ଅନେକ ଯୁବକ ଯୁବତୀ ରୋଜଗାର ଅଭାବ ଯୋଗୁଁ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି, ଯାହା ସେମାନଙ୍କ ପରିବାର ଓ ସମାଜ ପାଇଁ ଏକ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏହି ଧାରାକୁ ରୋକିବା ତଥା ସ୍ଥାନୀୟ ଯୁବବର୍ଗଙ୍କୁ ଦକ୍ଷତା ଓ ଆର୍ଥିକ ସ୍ଵାବଲମ୍ବନର ପଥ ଦେଖାଇବା ଲକ୍ଷ୍ୟରେ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ଏକ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରିଛି। ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସହଯୋଗରେ ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବେହେରାଠାରେ ପରିଚାଳିତ ଏକ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ର ଏହି ଅଞ୍ଚଳର ଯୁବତୀମାନଙ୍କୁ ନୂତନ ଜୀବିକାର ସୁଯୋଗ ପ୍ରଦାନ କରୁଛି। ଶନିବାର ଏହି ପ୍ରଶିକ୍ଷଣ କେନ୍ଦ୍ରରେ ପଞ୍ଚମ ପର୍ଯ୍ୟାୟ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ଯୁବତୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ସଂଗଠନ ସଭାପତି ରଜତ ବଂଶଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷୀରମଣି କୁମ୍ଭାର, ଗୋଷ୍ଠୀ ସଂପାଦିକା ସାବିତ୍ରୀ ନାଏକ, ପ୍ରଶିକ୍ଷିକା ଦୀପିକା ସାହୁ ଏବଂ ହାରାମଣି ନାଏକ ମଞ୍ଚାସୀନ ଥିଲେ। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ଯମ ପଞ୍ଜୀକରଣ ଏବଂ ଏହାର ଉପକାରିତା ସମ୍ବନ୍ଧରେ ବୁଝାଇବା ସହ ସେମାନଙ୍କ କଠୋର ପରିଶ୍ରମ ଓ ଦକ୍ଷତା ପାଇଁ ପ୍ରଶଂସା କରି ଜୀବନରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରାଯାଇଥିଲା। ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ଵାଧୀନତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜନ ଶିକ୍ଷଣ ସଂସ୍ଥାନ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ଗତ ୨୦୨୨ବର୍ଷ ନଭେମ୍ବର ୧ ତାରିଖରୁ ବେହେରାଠାରେ ଏହି ଟେଲରିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ଯୁବତୀ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରି ସିଲେଇ କୌଶଳ ଶିକ୍ଷା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ମଧ୍ୟ ପ୍ରତି ପର୍ଯ୍ୟାୟରେ ୪୦ ଜଣ ଲେଖାଏଁ ଯୁବତୀଙ୍କୁ ସିଲେଇ ଶିକ୍ଷା ପ୍ରଦାନ କରାଯାଇ ରୋଜଗାରକ୍ଷମ କରାଯାଉଛି। ଏହା ବ୍ୟତୀତ ବ୍ୟୁଟି କେୟାର ଆସିଷ୍ଟାଣ୍ଟ କୋର୍ସ ମଧ୍ୟ ଏହି କେନ୍ଦ୍ରରେ ପରିଚାଳିତ ହେଉଛି, ଯାହା ଯୁବତୀମାନଙ୍କୁ ଆଧୁନିକ ଦକ୍ଷତା ପ୍ରଦାନ କରୁଛି। ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ,ଦ୍ବିତୀୟ,ତ୍ରୁତୀୟ,ଚତୁର୍ଥ ପର୍ଯ୍ୟାୟ କରି ମୋଟ ୨୪୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି, ଯେଉଁଥିରେ ୧୬୦ ଜଣ ସିଲେଇ ପ୍ରଶିକ୍ଷାର୍ଥୀ ଏବଂ ୮୦ ଜଣ ବ୍ୟୁଟି କେୟାର ଆସିଷ୍ଟାଣ୍ଟ ଅଛନ୍ତି। ଶନିବାର ପୁଣି ୬୦ଜଣ ଯୁବତୀ ଏବଂ ମହିଳାଙ୍କୁ ସିଲେଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣ ଗ୍ରହଣ କରି ଅନେକ ଯୁବତୀ ନିଜ ଗାଁରେ ରହି ନିଜେ ସିଲେଇ କାମ ଆରମ୍ଭ କରିଛନ୍ତି ବା ବ୍ୟୁଟି ପାର୍ଲର ଖୋଲି ରୋଜଗାର କରିବା ପାଇଁ ଆଗ୍ରହୀ ଅଛନ୍ତି। ଏହା ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରିବା ସହ ସମାଜରେ ସେମାନଙ୍କ ସ୍ଥାନ ସୁଦୃଢ଼ କରୁଛି। ଜନ ଶିକ୍ଷଣ ସଂସ୍ଥାନର ଏହି ଉଦ୍ୟମ ଦଣ୍ଡପାଟ ଅଞ୍ଚଳରେ ଦାଦନ ନିୟନ୍ତ୍ରଣ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହି କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ନିଜ ଅଞ୍ଚଳରେ ରହି ଜୀବିକା ଅର୍ଜନ କରିବାର ଆତ୍ମବିଶ୍ୱାସ ଦେଉଛି, ଯାହା ଦାଦନ ସମସ୍ୟା ହ୍ରାସ କରିବାରେ ସହାୟକ ହେଉଛି। ଏହି ପଦକ୍ଷେପ ସ୍ଥାନୀୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ସହ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରି ସାମାଜିକ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.