ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ ମର୍ଯ୍ୟାଦାଜନକ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ପାଢ଼ୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହ ଏହି ବିଶେଷ ସମ୍ମାନରେ ସମ୍ମାନିତ କରିଥିଲେ।
୩୬ ବର୍ଷରୁ ଅଧିକ ସମୟ ଧରି ଶ୍ରମିକ ଆନ୍ଦୋଳନ ସହ ଜଡିତ ଥିବା ଶ୍ରୀ ପାଢ଼ୀ, ବିଶେଷତଃ ପଶ୍ଚିମ ଓଡ଼ିଶାରେ ଶ୍ରମିକମାନଙ୍କ ଶକ୍ତିଶାଳୀ କଣ୍ଠସ୍ୱର ଭାବେ ପରିଚିତ ଅଟନ୍ତି। ତାଙ୍କର ଦୃଢ଼ ନେତୃତ୍ୱ, ଅଦମ୍ୟ ସଂଘର୍ଷ ଓ ଅଟୁଟ ସମର୍ପଣ ଫଳରେ ହଜାର ହଜାର ଶ୍ରମିକଙ୍କ ଜୀବନରେ ଲକ୍ଷଣୀୟ ପରିବର୍ତ୍ତନ ଆସିଛି। ୧୯୯୦ ମସିହାରେ ବୁର୍ଲା ଏନଏସି ମେହେନ୍ତର ସଂଘ ଗଠନ ମାଧ୍ୟମରେ ତାଙ୍କର ଆନ୍ଦୋଳନୀୟ ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କର ନେତୃତ୍ୱରେ ଦୀର୍ଘ ସଂଘର୍ଷ ପରେ ବୁର୍ଲା ଏନଏସିର ସମସ୍ତ ଏନଏମଆର ଶ୍ରମିକଙ୍କୁ ନିୟମିତ କରାଯାଇଥିବା ଏକ ଐତିହାସିକ ସଫଳତା ଭାବେ ଗଣ୍ୟ ହେଉଛି। ୧୯୯୧ ମସିହାରେ ହୀରାକୁଦ ଡ୍ୟାମ୍ ମଜଦୁର ସଂଘ ଗଠନ କରି ସେ ହଜାର ହଜାର ଏନଏମଆର ଶ୍ରମିକଙ୍କ ପକ୍ଷରେ ଆନ୍ଦୋଳନ କରିଛନ୍ତି। ତାଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନମାନଙ୍କ ପରିଣାମରେ ୭୩୪ ଜଣ ଶ୍ରମିକଙ୍କୁ ନିୟମିତ କରାଯାଇଛି।
ଶ୍ରୀ ପାଢ଼ୀ ଅନେକ ଶ୍ରମିକ ସଂଗଠନ ସହ ସକ୍ରିୟ ଭାବେ ଜଡିତ ଅଟନ୍ତି, ଯାହାମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ, ନିର୍ମାଣ ମଜଦୁର ସଂଘ ଓଡ଼ିଶା, ଏସଏମସି ସଫେଇ କର୍ମଚାରୀ ସଂଘ, ଏମସିଏଲ କର୍ମଚାରୀ ସଂଘ, ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ, ଡୁଙ୍ଗୁରି ଖଣି ମଜଦୁର ସଂଘ, ବିଡ଼ି ମଜଦୁର ସଂଘ, ଓଡ଼ିଶା ଘରୋଇ ସୁରକ୍ଷା କର୍ମଚାରୀ ସଂଘ, ୱେସ୍କୋ କର୍ମଚାରୀ ସଂଘ, ଓଏଫଡିସି ମଜଦୁର ସଂଘ ଓ ରାଜ୍ୟ ସାମ୍ବାଦିକ ସଂଘ ଓଡ଼ିଶା ପ୍ରମୁଖ ଅଟନ୍ତି। ସେ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା, ଭତ୍ତା ବୃଦ୍ଧି ଓ ସମ୍ମାନପୂର୍ଣ୍ଣ ଜୀବନର ଅଧିକାର ପାଇଁ ନିରନ୍ତର ଅଭିଯାନ ଚାଲାଇ ଆସୁଛନ୍ତି। ବିଶେଷତଃ ଅଙ୍ଗନବାଡ଼ି ଓ ଆଶା କର୍ମୀମାନଙ୍କ ପାଇଁ ତାଙ୍କର ଅବଦାନ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଅଟେ। ପଶ୍ଚିମ ଓଡ଼ିଶାରେ ନିର୍ମାଣ ଶ୍ରମିକ ଆନ୍ଦୋଳନରେ ସେ ପ୍ରମୁଖ ନେତୃତ୍ୱ ଭୂମିକା ନେଇ ୪୦,୦୦୦ ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ କରାଇ ସରକାରୀ ଯୋଜନାର ଲାଭ ପହଞ୍ଚାଇଛନ୍ତି। ତାଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନ ଫଳରେ ମୃତ୍ୟୁ, ଶିକ୍ଷା, ବିବାହ, ମାତୃତ୍ୱ ଇତ୍ୟାଦି ସମୟରେ ଶ୍ରମିକମାନେ ବିଭିନ୍ନ ସହାୟତା ପାଉଛନ୍ତି। ବର୍ତ୍ତମାନ ସେ ପ୍ରମୁଖ ଶ୍ରମିକ ସଂଗଠନ ନ୍ୟାସନାଲ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆନ ଟ୍ରେଡ ୟୁନିଅନ୍ (ଏନଏଫଆଇଟିୟୁ) ର ରାଜ୍ୟ ଅଧ୍ୟକ୍ଷ ଓ ଜାତୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଟନ୍ତି। ସେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସହ ଜଡିତ ରହି ବୃତ୍ତିଗତ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଛନ୍ତି। ଏହା ସହିତ ସେ ଓଡ଼ିଶା ଶ୍ରମ ପରାମର୍ଶଦାତା ବୋର୍ଡ, ସର୍ବନିମ୍ନ ମଜୁରୀ ପରାମର୍ଶଦାତା ସମିତି, କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପରାମର୍ଶଦାତା ସମିତି ଓ ଶିଶୁ ଶ୍ରମିକ ପରାମର୍ଶଦାତା ବୋର୍ଡ ସହିତ ଅନେକ ସମିତିରେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। କିଛି ସମୟ ପାଇଁ ସେ ଓଡ଼ିଶା ରାଜ୍ୟ ଶ୍ରମ ପ୍ରତିଷ୍ଠାନର ନିର୍ଦେଶକ ଭାବେ କାମ କରି ସମଗ୍ର ରାଜ୍ୟରେ ଶ୍ରମିକମାନଙ୍କ ପାଇଁ ଅନେକ କଳ୍ୟାଣମୂଳକ ପଦକ୍ଷେପ ନେଇଛନ୍ତି। ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀଙ୍କ ଜୀବନ ସମାଜସେବା, ସଂଘର୍ଷ ଓ ଶ୍ରମିକ କଳ୍ୟାଣ ପ୍ରତି ଅଟୁଟ ସମର୍ପଣର ଏକ ଉଜ୍ୱଳ ଉଦାହରଣ ଅଟେ। ତାଙ୍କୁ ଦିଆଯାଇଥିବା ଏହି ସମ୍ମାନ ସମଗ୍ର ଶ୍ରମିକ ସମୁଦାୟ ପାଇଁ ଗୌରବର ବିଷୟ ହୋଇରହିଛି। ଶ୍ରୀ ପାଢ଼ୀ ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ ପାଇବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।





