ଖରିଆର ରେଂଜରଙ୍କ ଆୟ ବର୍ହିଃଭୂତ ସଂପତି ଠୁଳ ଲିଙ୍କ୍କୁ ନେଇ ଚଢାଉ
ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ବିରେନ୍ଦ୍ର କୁମାର ଖରାଙ୍କ ରାୟଗଡ ସହର କସ୍ତୁରୀ ନଗରସ୍ଥିତ ବାଲାଜୀ ଟାୱାର ଆପାର୍ଟମେଂଟର ବି-୬ବାସ ଭବନରେ ଆଜି ସକାଳ ୬ଟାରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ ଶ୍ୱଶୁର ତଥା ନୂଆପଡା ଜିଲ୍ଳା ଖରିଆର ବନାଂଚଳ ରେଂଜର ସଦାନନ୍ଦ ସୁନାନୀଙ୍କ ଆୟ ବର୍ହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ରାୟଗଡ, ଭବାନୀପାଟଣା, ଖରିଆର ସମେତ ଆଉ ୩ଟି ମୋଟ ୬ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସ ଚଢାଉ କରାଯାଇଛି ।
ତେବେ ରେଂଜର ଶ୍ରୀ ସୁନାନୀଙ୍କ ଝିଅ ଓ ଜ୍ୱାଇଁ ଶ୍ରୀ ଖରା ରାୟଗଡାରେ ରହୁଥିବାରୁ ଏଠାରେ ମଧ୍ୟ ତାଙ୍କ ସଂପତି ଠୁଳ ହେବାର ସନ୍ଦେହ ତଥା ଅଭିଯୋଗ ପ୍ରକାରେ ରାୟଗଡ ଦୁର୍ନିତୀ ନିବାରଣ ବିଭାଗର ଉପ ଆରକ୍ଷୀ ଅଧୀକ୍ଷକ ଡିଏସପି ଅନନ୍ତଚରଣ ମଲ୍ଳିକଙ୍କ ନେତୃତ୍ୱରେ ୯ଜଣିଆ ସ୍ୱତନ୍ତ୍ର ଟିମ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଖରାଙ୍କ ଘରେ ଚଢାଉ କରିଥିଲେ ।
ଯାଂଚ ସମୟରେ ୧୨ଲକ୍ଷ ଟଙ୍କାର ଏକ କାର, ୮୦ହଜାର ଟଙ୍କା ନଗଦ ଟଙ୍କା ସହ ୮୦ହଜାର ଟଙ୍କାର ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କାର ଘର ଆସବାବପତ୍ର ଠାବ କରି ମୋଟ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆକଳନ କରାଯାଇଥିବା ବେଳେ ଶ୍ୱଶୁର ତଥା ରେଂଜର ଶ୍ରୀ ସୁନାନୀଙ୍କ କୈାଣସି ସଂପତି ଥିବା ନେଇ କୈାଣସି ସଂପତି ତାଲିକାର ସୁରାକ ପାଇନାହି ଭିଜିଲାନ୍ସ ଟିମ୍ । ଖରିଆର ରେଂଜରଙ୍କ ନାମରେ ଆୟ ବର୍ହିଃଭୂତ ସଂପତି ଠୁଳ ଅଭିଯୋଗ ହେବା ପରେ ମାଲକାନଗିରି ଭିଜିଲାନ୍ସ ଡିଏସପି ଏସ.କେ.ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀ ସୁନାନୀଙ୍କ ସରକାରୀ ବାସଭବନରେ ଚଢାଉ କରିଥିବା ଜଣାପଡିଥିବା ବେଳେ ରାୟଗଡରେ ଥିବା ତାଙ୍କ ଜ୍ୱାଇଁଙ୍କ ଘରୁ କୈାଣସି ଆବଶ୍ୟକ କାଗଜପତ୍ର ମିଳି ନ ଥିବା ନେଇ ରାୟଗଡ ଭିଜିଲାନ୍ସ ଡିଏସପି ଶ୍ରୀ ମଲ୍ଳିକ ସୂଚନା ଦେଇଛନ୍ତି ।