ଲଗାଣ ବର୍ଷାରେ ବାଲେଶ୍ୱର ବେହାଲ : ୨୪ ଘଣ୍ଟାରେ ୨୪୬.୬ ମିମି ବର୍ଷା ରେକର୍ଡ, ସହରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହରର ଜନଜୀବନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୨୪୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅବିରତ ବର୍ଷା ଫଳରେ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଅନେକ ଘରେ ପାଣି ପଶିଯାଇ ଲୋକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସହରର ଗୋପାଳ ଗାଁ, ସିନେମା ଛକ, ନୂଆସାହି, ବାଲିଆ ରାସ୍ତା, ଦରଜୀ ପୋଖରୀ, ଆଜିମାବାଦ, ପଢୁଆପଦା, ଭାସ୍କରଗଞ୍ଜ, ଚୁନଭାଟି, ମଠସାହି, ଗୁଡ଼ିପଦା, କଂଗ୍ରେସ ଗଳି, ଚିଡ଼ିଆପୋଲ, କାଦରାବାଦ ଏବଂ ରେମୁଣା ଗୋଲେଇ ପ୍ରମୁଖ ଅଞ୍ଚଳରେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ବହୁ ସ୍ଥାନରେ ଡ୍ରେନ ଉପଚି ପାଣି ରାସ୍ତାରେ ପ୍ରବାହିତ ହେଉଥିବା ବେଳେ ନିମ୍ନାଞ୍ଚଳର ଘରଗୁଡ଼ିକ ଭିତରକୁ ବର୍ଷାଜଳ ପଶିଯାଇଛି। ଫଳରେ ଲୋକମାନଙ୍କ ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ଅନେକ ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦୁଇଚକିଆ ଯାନ ଚାଳକମାନେ ସବୁଠାରୁ ଅଧିକ ହଇରାଣ ହେଉଥିବା ବେଳେ ଅନେକ ଗାଡ଼ି ମଝି ରାସ୍ତାରେ ଅଚଳ ହୋଇପଡ଼ିଥିବା ଦେଖାଯାଇଛି। ବର୍ଷା ସହ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ବ୍ୟବସାୟ, ଶିକ୍ଷା ଓ ସାଧାରଣ କାର୍ଯ୍ୟକଳାପ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଜଳବନ୍ଦୀ ଅଞ୍ଚଳରେ ବହୁ ପରିବାର ଘର ଭିତରେ ଅଟକି ରହିଥିବା ବେଳେ ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି। ବୃଦ୍ଧ, ଶିଶୁ ଓ ରୋଗୀମାନଙ୍କ ଅବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଉଛି।ଏପଟେ ଲଗାଣ ବର୍ଷା ଓ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ, ବାଲେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ମଙ୍ଗଳବାର ପାଇଁ ବନ୍ଦ ରଖାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ସ୍ଥାନୀୟ ବର୍ଷାଜନିତ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହି ସମ୍ଭାବ୍ୟ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଜଳବନ୍ଦୀ ଅଞ୍ଚଳର ଲୋକମାନଙ୍କ ପାଖରେ ତୁରନ୍ତ ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ଆବଶ୍ୟକୀୟ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସହରରେ ଜମି ରହିଥିବା ପାଣିର ଶୀଘ୍ର ନିଷ୍କାସନ, ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହରବାସୀ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.