ଲଗାଣ ବର୍ଷାଜନିତ କ୍ଷୟକ୍ଷତି ସୂଚନା ତୁରନ୍ତ ଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ପ୍ରଶାସନର ଅନୁରୋଧ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ପରିପ୍ରେକ୍ଷୀରେ କୌଣସି ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି କିମ୍ବା ଜୀବନହାନୀ ଘଟିଥିଲେ ସେ ସମ୍ପର୍କିତ ସୂଚନା ତୁରନ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଅସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ୧୨ଟି ବର୍ଷାମାପନ କେନ୍ଦ୍ରରେ ମୋଟ ୧୭୩୧ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୪୪.୨୫ ମି.ମି. ରହିଛି। ସର୍ବାଧିକ ୨୩୯ ମି.ମି. ବର୍ଷା ନୀଳଗିରିରେ ରେକର୍ଡ ହୋଇଥିବା ବେଳେ ରେମୁଣାରେ ୨୨୨ ମି.ମି., ବାଲେଶ୍ୱର ସଦରରେ ୨୦୪ ମି.ମି., ଜଳେଶ୍ୱରରେ ୧୬୨ ମି.ମି., ବସ୍ତାରେ ୧୫୪ ମି.ମି. ଏବଂ ଭୋଗରାଇରେ ୧୨୯ ମି.ମି. ବର୍ଷା ହୋଇଛି। ଏହି ଅତିବୃଷ୍ଟି ଫଳରେ ଜିଲ୍ଲାର ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ସହ ନିମ୍ନାଞ୍ଚଳରେ ପାଣି ପଶିଥିବା ଖବର ମିଳିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଠିକ୍ ଏବଂ ତ୍ୱରିତ ସୂଚନା ଆଦାନ-ପ୍ରଦାନ ଦ୍ୱାରା ପ୍ରଶାସନ ପକ୍ଷରୁ ଆବଶ୍ୟକ ଉଦ୍ଧାର, ରିଲିଫ ଓ ସହାୟତା କାର୍ଯ୍ୟ ଶୀଘ୍ର ଗ୍ରହଣ କରାଯାଇପାରିବ ବୋଲି ପ୍ରଶାସନ କହିଛି। ଏହି ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଅଞ୍ଚଳରେ ଘଟୁଥିବା ଘରଭାଙ୍ଗା, ଗଛ ଉପୁଡ଼ିବା, ରାସ୍ତା ଧସିବା, ବନ୍ୟାଜଳ ପ୍ରବେଶ, ଚାଷଜମି କ୍ଷତି କିମ୍ବା ଜୀବନହାନୀ ଭଳି ଘଟଣା ସମ୍ପର୍କରେ ତଥ୍ୟ ମିଳିବାମାତ୍ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ପ୍ରଭାବିତ ଲୋକଙ୍କ ପାଖରେ ଶୀଘ୍ର ସହାୟତା ପହଞ୍ଚାଇବା ପାଇଁ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.