ମତଦାତା ତାଲିକା ପୁନରୀକ୍ଷଣ ଓ ସଂଗଠନ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବୁଥ୍ ଲେଭେଲ୍ ଏଜେଣ୍ଟ (BLA-୨) ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର କୋରାପୁଟ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମତଦାତା ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (SIR), ନୂତନ ମତଦାତାଙ୍କ ନାମ ସଂଯୋଜନ, ତ୍ରୁଟି ସଂଶୋଧନ, ଦାବି ଓ ଆପତ୍ତି ପ୍ରକ୍ରିୟା ସହ BLA-୨ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପିସିସି ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ କଂଗ୍ରେସ ନେତା ମୁନା ତ୍ରିପାଠୀ ଯୋଗଦେଇ କହିଥିଲେ ଯେ, ପ୍ରତ୍ୟେକ BLA-୨ ନିଜ ନିଜ ବୁଥ୍ରେ ମତଦାତା ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ସହ ଯୋଗ୍ୟ ମତଦାତାଙ୍କ ନାମ ସୁନିଶ୍ଚିତ କରିବାରେ ସକ୍ରିୟ ଭୂମିକା ନେବା ଆବଶ୍ୟକ। ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଡ଼ଃ ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଇଁ ସରକାର, BLA-୧ କୃଷ୍ଣ କୁଲଦୀପ, ବ୍ଲକ ସଭାପତି ମିହିର କୁଲଦୀପ, କୋରାପୁଟ ଟାଉନ୍ ସଭାପତି ଜୟନ୍ତ କଚୀମ, ଦୀବାନ କୁଲଦୀପ, ସାଂସଦ ପ୍ରତିନିଧି ରାମ ପାଗୀ, ପିଣ୍ଟୁ କର, ଜଗନ୍ନାଥ ବିଶୋଇ, ବିଧାନସଭା ପ୍ରତିନିଧି ଇସୁ ଖିଲ, ଡିସିସି ସମ୍ପାଦକ ମହେଶ ଚେଟିଙ୍କ ସମେତ କୋରାପୁଟ ନିର୍ବାଚନ ମଣ୍ଡଳୀର ସମସ୍ତ BLA-୨ ସଦସ୍ୟ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତ କର୍ମୀ ଆଗାମୀ ଦିନରେ ବୁଥ୍ ସ୍ତରରେ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ମତଦାତାଙ୍କ ନିକଟରେ ପହଞ୍ଚିବା ପାଇଁ ସଂକଳ୍ପ ନେଇଥିଲେ





