● ଟଳିନି କରୋନା ବିପଦ, ସଜାଗ ଓ ସତର୍କ ରହିବାକୁ ଜନତାଙ୍କୁ ନିବେଦନ କଲେ ଲୋକପ୍ରତିନିଧି
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ରାଜ୍ୟରେ କରୋନାର ଦୃତ ସଂକ୍ରମଣକୁ ନେଇ ରାଜ୍ୟ ସରକାର ଗତ ବୁଧବାର ୫ ମଇ ରୁ ୧୭ ଜୁନ୍ ପର୍ଯ୍ୟନ୍ତ ୪୨ ଦିନ ଧରି ସାରା ରାଜ୍ୟକୁ ଲକଡାଉନ ଘୋଷଣା କରିବା ପରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ମଧ୍ୟ ଲକଡାଉନ କଡା କଡି ରହିଥିବା ଦେଖିବାକୁ ମିଳୁଛି। କେତେକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦୋକାନ, ତେଜରାଜୀ ଦୋକାନ, ଡେଲିନିଡ୍ସ ଦୋକାନ ଗୁଡିକ ସକାଳ ୬ ଟାରୁ ଦିନ ୧୧ ଘଣ୍ଟା ପର୍ଯ୍ୟନ୍ତ ଖୋଲୁଥିବା ବେଳେ ଔଷଧ ଦୋକାନ ଗୁଡିକ ରାତି ୮ ଟା ଯାଏଁ ଖୋଲା ରହୁଛି। ରାଜ୍ୟ ସରକାରଙ୍କ ଲକଡାଉନ ଗାଇଡଲାଇନ ଅନୁଯାୟୀ ନର୍ଲା ପୋଲିସ ତରଫରୁ ନର୍ଲା ଅଞ୍ଚଳର ବିଭିନ୍ନ ଛକ ସ୍ଥାନ ଯଥା; ନର୍ଲା ଚାରି ଛକ, ବାଲିପଡା ଛକ, ଛତିକୁଡା ଛକ, ରୁପ୍ରାରୋଡ ପ୍ରଭୃତି ସ୍ଥାନରେ କଡାପହରା ଦେଇ ଗାଡି ମୋଟର ଏବଂ କୌଣସି କାମ ନଥାଇ ବାହାରେ ବୁଲାବୁଲି କରୁଥିବା ଲୋକଙ୍କୁ ଅଟକାଇ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଛି ।
ଆଉ ଅନେକ ସମୟରେ ଏହି ଲକଡାଉନ ସମୟରେ ନର୍ଲା ଥାନା ସମ୍ମୁଖରେ ଅଚାନକ ହେଲମେଟ, ମାସ୍କ ଓ ଗାଡିର କାଗଜପତ୍ର ଚେକିଂ ହେଉଛି । ଏହି କ୍ରମରେ ଗତ ବୁଧବାର, ଶନିବାର ଓ ଆଜି ନର୍ଲା ପୋଲିସ ପକ୍ଷରୁ ନର୍ଲା ଥାନା ସମ୍ମୁଖରେ ଦିନ ୧୦ ଟା ଠାରୁ ୧୨ଟା ଯାଏଁ ଗାଡି ଚେକିଂ ଅନୁଷ୍ଠିତ ହୋଇଥିଲା । ହେଲମେଟ ବାବଦକୁ ୧୦୦୦ ଟଙ୍କା ମାସ୍କ ପିନ୍ଧି ନଥିବା ବାଇକ ଓ ଗାଡି ଆରୋହୀଙ୍କ ଠାରୁ ୫୦୦ ଟଙ୍କା ଏବଂ ସିଟବେଲ୍ଟ ବାନ୍ଧି ନଥିବା ଗାଡି ଚାଳକଙ୍କ ଠାରୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା । ଏହି କ୍ରମରେ ଅମାନିଆ ମାନେ ଆଜି ନର୍ଲା ପୋଲିସ୍ ନିକଟରେ ୬୦୦୦ ଟଙ୍କା ତଣ୍ଡ ଗଣିଥିବା ନର୍ଲା ପୋଲିସ୍ ସୂତ୍ରରୁ ସୂଚନା ମିଳିଛି । ଗତ ସପ୍ତାହରେ ପୋଲିସ ପକ୍ଷରୁ ଗାଡି ଚେକିଂରେ ହେଲମେଟ ମାସ୍କ ଓ ଅନ୍ୟାନ୍ୟ ଜୋରିମାନା ବାବଦକୁ ୧୫,୦୦୦ ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆଦାୟ ହୋଇଥିବା ଜନାପଡିଛି ।
ଏବେ କରୋନାର ଦ୍ୱିତୀୟ ଲହରୀରେ ବୁଧବାର ୫ ମଇ ରୁ ହୋଇଥିବା ଲକଡାଉନର ପ୍ରଭାବ ନର୍ଲାରେ ବେଶ ଅନୁଭୁତ ହେଉଛି । ଆଉ ତିନିଦିନ ରହିଲା ଲକଡାଉନ ଅବଧି । ନର୍ଲା ବସ୍ତି, ରୁପ୍ରାରୋଡ, ଛତିକୁଡା ପ୍ରଭୃତି ସ୍ଥାନ ଦିନ ୧୧ ଘଣ୍ଟା ସମୟରୁ ସଂଧ୍ୟା ଯାଏଁ ପୁରା ଶୁନସାନ ହୋଇ ପଡୁଥିବା ଦୃଶ୍ୟମାନ ହେଉଛି । ଅବଶ୍ୟ ସକାଳ ୭ ଟା ରୁ କେତେକ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଦୋକାନ ସବୁ ଖୋଲୁଥିବାରୁ ନର୍ଲା ବଜାରରେ ଟିକେ ଭିଡ ପରିଲକ୍ଷିତ ହେଉଛି । ଆଉ ଏଥିପ୍ରତି ନର୍ଲା ପୋଲିସ ଓ ପ୍ରାଶାସନ ଆଉଟିକେ କଡା ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।
ନର୍ଲା ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି । ଏଥିପାଇଁ ନର୍ଲା ଅଞ୍ଚଳର ଜନସାଧାରଣ ସଜାଗ ରୁହନ୍ତୁ, ସତର୍କ ରୁହନ୍ତୁ, ସାମାଜିକ ଦୂରତା ବଜାଇ ରଖିବା ସହିତ ମାସ୍କ ପରିଧାନ ଓ ବାରମ୍ବାର ହାତ ଧୂଅନ୍ତୁ । ଅଯଥାରେ ଘରୁ ବାହାରନ୍ତୁ ନାହିଁ । ବାହାରୁ ଘରକୁ ଆସିଲେ ପିନ୍ଧିଥିବା କପଡା ଡେଟଲ ଦେଇ ସଫା କରନ୍ତୁ ବୋଲି ବିଶିଷ୍ଟ ସମାଜସେବୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ଉପସଭାପତି ବାବୁଲି ମଣ୍ଡଳ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବିଧାୟକଙ୍କ ସ୍ୱତନ୍ତ୍ର ପ୍ରତିନିଧି ତଥା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ନର୍ଲା ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ, ସମ୍ପାଦକ ତଥା ରୁପ୍ରାରୋଡ ସରପଞ୍ଚ ଚିତ୍ତରଂଜନ ରଣାଙ୍କ ସହ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ନର୍ଲା ଶାଖା ସଭାପତି ଅଭିରାମ ନନ୍ଦ ନର୍ଲା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।