ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଅକାଦେମି ଓ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ‘ଓଡ଼ିଆ କବିତାରେ ଜୀବନବୋଧ’ ଶୀର୍ଷକ ଏକ ଆଲୋଚନାଚକ୍ର ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଡକ୍ଟର ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହିଳା କଲେଜର ଅଧ୍ୟକ୍ଷା ଡକ୍ଟର କଳ୍ପନା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଜଣାଇବା ସହ ଓଡିଆ ସାହିତ୍ୟରେ ସବୁ ଯୁଗର କବିମାନଙ୍କ କବିତାରେ ଜୀବନବୋଧ ଦେଖିବାକୁ ମିଳେ ବୋଲି ମତବ୍ୟକ୍ତ କରିଥିଲେ। ସଭାମୁଖ୍ୟ ଶ୍ରୀ ପଣ୍ଡା ସଭାପତିୟ ଅଭିଭାଷଣରେ ଆଧୁନିକ ଜୀବନକୁ ଓଡ଼ିଆ କବିମାନେ ନିଜ ସୃଷ୍ଟିରେ ଯଥାର୍ଥ ରୂପ ପ୍ରଦାନ କରି ଅଛନ୍ତି । ଆଲୋଚକ ଭାବରେ ସର୍ବଶ୍ରୀ ଅଖିଳ ବିଶ୍ବାଳ, ଅଧ୍ୟାପିକା ରଞ୍ଜିତା ମାଝି, ଡକ୍ଟର ଶାନ୍ତନୁ ସୁନା, ଡକ୍ଟର ସୌରଭ ରଞ୍ଜନ ଖମାରୀ, ସୁଶୀଲ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଆଲୋଚକମାନେ ଭୀମ ଭୋଇ,ରାଧାନାଥ, ଫକୀରମୋହନ, ଗଙ୍ଗାଧର, ସଚ୍ଚି ରାଉତରାୟ, ଗୁରୁପ୍ରସାଦ ମହାନ୍ତି, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ବିପିନ୍ ନାୟକ , ପଦୀପ କୁମାର ପଣ୍ଡା ଆଦିଙ୍କ ସୃଷ୍ଟିରେ ଜୀବନାନୁଭଵର ବିଭିନ୍ନ ଚିତ୍ର ଉପରେ ଆଲୋକପାତ କରିଥିଲେ । ସମସ୍ତଙ୍କ ମତ ଥିଲା ଯେ ଆଧୁନିକ କବିତା ବାସ୍ତବ ଜୀବନର କଥା କହେ, ଜଗତର ନିର୍ମାଣ ପାଇଁ ବାଟ ଦେଖାଏ । ଶେଷରେ ଡକ୍ଟର ଯୋଗେଶ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ସହରର ଗଣ୍ୟମାଣ୍ୟ କବି, ବୁଦ୍ଧିଜୀବୀ ତଥା ଶତାଧିକ ଛାତ୍ରୀ ଯୋଗଦାନ କରିଥିଲେ ।








